ମ୍ୟାଲେରିଆ ହ୍ରାସ ପାଇଁ ନୂଆ ରଣନୀତି

Advertisment

ସଂକ୍ରମିତ ଜିଲ୍ଲାରେ ମିନି ପିସିଆର, ଏଚ୍‌ଏସ୍‌-ଆରଡିଟିର ବ୍ୟବହାର

ସଂକ୍ରମିତ ଜିଲ୍ଲାରେ ମିନି ପିସିଆର, ଏଚ୍‌ଏସ୍‌-ଆରଡିଟିର ବ୍ୟବହାର

ସିଡିଏମ୍‌ଓମାନଙ୍କୁ ସତର୍କ କରାଇଲା ସ୍ବାସ୍ଥ୍ୟ ବିଭାଗ: ମ୍ୟାଲେରିଆ, ଡେଙ୍ଗୁ ଉପରେ ନଜର ରଖ

Daily Mirror

ଭୁବନେଶ୍ବର : ରାଜ୍ୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ୨୦୨୧ ମସିହାରେ ଏହା ୨୫ହଜାରକୁ ଖସି ଆସିଛି। ତେବେ ରାଜ୍ୟର କିଛି ଜିଲ୍ଲାରେ ମ୍ୟାଲେରିଆ ସ୍ଥିତି ଏବେ ଚିନ୍ତାଜନକ ରହିଛି। ତେଣୁ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ଆହୁରି କମାଇବା ଲାଗି ନୂଆ ରଣନୀତି ପ୍ରସ୍ତୁତ କରାଯାଇଛି। ସଂକ୍ରମଣ ଅଧିକ ଥିବା ଜିଲ୍ଲାରେ ମିନି ପିସିଆର ସହିତ ଉଚ୍ଚ ସମ୍ବେଦନଶୀଳ ରାପିଡ୍‌ ଡାଏଗ୍ନୋଷ୍ଟିକ୍ ପରୀକ୍ଷା ବା ଏଚ୍‌ଏସ୍‌-ଆରଡିଟିର ବ୍ୟବହାର ନେଇ ଆଲୋଚନା ହୋଇଛି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବା ସିଏଚ୍‌ସିସ୍ତରରେ ମ୍ୟାଲେରିଆ ପରୀକ୍ଷା ପାଇଁ ‘ମ୍ୟାଲେରିଆ ନୋ ମୋର’ ପକ୍ଷରୁ ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

କୋଭିଡ ସଂକ୍ରମଣ ସମୟରେ ରାଜ୍ୟର କିଛି ଜିଲ୍ଲାରେ ହଠାତ୍ ମ୍ୟାଲେରିଆ ସଂକ୍ରମଣ ବୃଦ୍ଧି ପାଇଥିଲା। କେବଳ ଆକ୍ରାନ୍ତଙ୍କ ସଂଖ୍ୟା ନୁହେଁ, ମୃତ୍ୟୁରେ ମଧ୍ୟ ବୃଦ୍ଧି ଘଟିଥିଲା। ୨୦୧୮ରେ ୩, ୨୦୧୯ ଓ ୨୦ରେ ୯ଜଣ ଲେଖାଏ ମ୍ୟାଲେରିଆରେ ପ୍ରାଣ ହରାଇଥିଲେ। ହେଲେ ୨୦୨୧ରେ ଏହି ସଂଖ୍ୟା ୧୩କୁ ବୃଦ୍ଧି ପାଇଥିଲା। ଯାହାଫଳରେ ରାଜ୍ୟରେ ମ୍ୟାଲେରିଆ ନିରାକରଣକୁ ଏକପ୍ରକାର ଝଟ୍‌କା ଲାଗିଥିଲା। ରାଜ୍ୟରେ ମ୍ୟାଲେରିଆ ନିରାକରଣ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ବା ଦମନ କାର୍ଯ୍ୟକ୍ରମ ସହିତ ‘ମ୍ୟାଲେରିଆ ଏଲିମିନେସ୍ ଟ୍ରଷ୍ଟ’, ‘ମ୍ୟାଲେରିଆ ନୋ ମୋର’ ଭଳି ସଂସ୍ଥା ସହିତ ଏମ୍‌ଓୟୁ କରିଛନ୍ତି। ତେବେ ନୂଆ ରଣନୀତି ଅନୁସାରେ ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ଜିଓ ଟ୍ୟାଗିଂ ସହିତ ସଂସ୍ଥା ପକ୍ଷରୁ ଲକ୍ଷଣବିହୀନ ରୋଗୀମାନଙ୍କୁ ନୂଆ ବୈଷୟିକ ଜ୍ଞାନ କୌଶଳ ଜରିଆରେ ଚିହ୍ନଟ କରାଯିବ। ନିକଟରେ ଏଚ୍‌ଏସ୍‌-ଆରଡିଟିର ବିକଶିତ କରାଯାଇଛି। ଏଥିରେ କମ୍ ତୀବ୍ରତା ପିଏଫ୍‌(ପ୍ଲାଜମୋଡିୟମ ଫାଲିସପରମ୍) ସଂକ୍ରମଣକୁ ଚିହ୍ନଟ କରିବା ସହଜ ହେବ। ବିଶ୍ବରେ ପ୍ରତିବର୍ଷ ଯେତିକି ସଂଖ୍ୟକ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଥାନ୍ତି ତାହାର ୫୦ ପ୍ରତିଶତ ପିଏଫ୍ ଦ୍ବାରା ସଂକ୍ରମଣ ହୋଇଥାଏ।

publive-image nationalpoliticalmirror.com

ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କେଉଁ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବ ଖୁବଶୀଘ୍ର ତାହାର ଚିହ୍ନଟ କରାଯିବ। ବିଶେଷକରି ସର୍ବାଧିକ ମ୍ୟାଲେରିଆ ଚିହ୍ନଟ ହେଉଥିବା ସିଏଚ୍‌ସି ଓ ଉପଖଣ୍ଡସ୍ତରୀୟ ହସ୍ପିଟାଲ ଚିହ୍ନଟ କରାଯାଇ ଲକ୍ଷଣବିହୀନ ଆକ୍ରାନ୍ତଙ୍କୁ ସ୍କ୍ରିନିଂ କରାଯିବ। ଏହାସହ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର କିଛି ଅଞ୍ଚଳକୁ ମଧ୍ୟ ଏଥିରେ ସାମିଲ କରାଯିବା ଉପରେ ବିଚାର କରାଯାଉଛି। ଏହାସହ କିଛି ଘରୋଇ ସଂସ୍ଥାକୁ ନେଇ ମଧ୍ୟ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ କରାଯିବ। ଅନୁଗୁଳ, ଝାରସୁଗୁଡ଼ା ଆଦି ଜିଲ୍ଲାରେ ଏସବୁ ସଂସ୍ଥାମାନେ ମ୍ୟାଲେରିଆ ମ୍ୟାପିଂ କରିବେ। ଏଥିରେ ଅଧିକ ଆକ୍ରାନ୍ତ ଜିଲ୍ଲା ସହିତ କମ୍ ସଂକ୍ରମିତ ଜିଲ୍ଲା ସହିତ ଶିଳ୍ପାଞ୍ଚଳକୁ ଅଧିକ ଗୁରୁତ୍ବ ଦିଆଯିବ। ଯାହାଫଳରେ ବର୍ଷ ବର୍ଷ ଯେଉଁ ଆକ୍ରାନ୍ତମାନେ ଚିହ୍ନଟ ହୋଇପାରୁ ନାହାନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ପାରିବ। ଏହାସହ କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ଅନ୍ୟ ସର୍ବାଧିକ ସଂକ୍ରମିତ ଜିଲ୍ଲାଗୁଡ଼ିକରେ କୁଡ଼ିଆ ଘରଗୁଡ଼ିକରେ ମଧ୍ୟ ମ୍ୟାଲେରିଆ ମ୍ୟାପିଂ କରାଯିବ। ଯାହାଫଳରେ ମଶା କାମୁଡ଼ି ପ୍ରତି ଲୋକଙ୍କ ବ୍ୟବହାରରେ ପରିବର୍ତନ ଆସିପାରିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ରାଜ୍ୟରେ ମ୍ୟାଲେରିଆ ନିରାକରଣ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଲୋକମାନଙ୍କୁ ସଚେତନ କରାଯିବା ସହିତ ଲୋକଙ୍କ ବ୍ୟବହାରରେ ଯେପରି ପରିବର୍ତନ ଆସିପାରିବ ‌ତାହା ଉପରେ ଗୁରୁତ୍ବ ଦିଆଯାଉଛି। ଔଷଧୀୟ ମଶାରୀ ମଧ୍ୟ ବଣ୍ଟନ କରାଯାଇଛି। ତେ‌ବେ ଦମନ କାର୍ଯ୍ୟକ୍ରମର ନବୀକରଣ କରିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe