ଶୁଭେଚ୍ଛା, ଅଭିନନ୍ଦନରେ କଟିଲା ପ୍ରଥମ ଦିନ, ମୁଖ୍ୟ ସଚିବଙ୍କ ପ୍ରକୋଷ୍ଠରେ ସର୍ବାଧିକ ଗହଳି

Advertisment

ଲୋକସେବା ଭବନ, ଖାରବେଳ ଭବନରେ ଉତ୍ସବର ପରିବେଶ, ଭିଣୋଇଙ୍କ ପରଲୋକ ଯୋଗୁଁ ମୁଖ୍ୟମନ୍ତ୍ରୀ ଆସିଲେନି

ଲୋକସେବା ଭବନ, ଖାରବେଳ ଭବନରେ ଉତ୍ସବର ପରିବେଶ, ଭିଣୋଇଙ୍କ ପରଲୋକ ଯୋଗୁଁ ମୁଖ୍ୟମନ୍ତ୍ରୀ ଆସିଲେନି

ଶୁଭେଚ୍ଛା, ଅଭିନନ୍ଦନରେ କଟିଲା ପ୍ରଥମ ଦିନ, ମୁଖ୍ୟ ସଚିବଙ୍କ ପ୍ରକୋଷ୍ଠରେ ସର୍ବାଧିକ ଗହଳି

ଭୁବନେଶ୍ବର : ଉପସ୍ଥାନ ସ୍ବାଭାବିକ ଥିଲା। କର୍ମଚାରୀମାନେ ଅନ୍ୟ ଦିନ ପରି ଆଜି ବି ଅଫିସ୍‌ ଆସିଥିଲେ। କିନ୍ତୁ ଚେୟାର ଖାଲି ପଡ଼ିଥିଲା। କାହାର କାମ କରିବା ମୁଡ୍‌ ନ ଥିଲା। ସମସ୍ତେ ବାହାରେ ଚକ୍କର କାଟୁଥିଲେ। କର୍ମଚାରୀ ଯେତିକି ଥିଲେ, ବାହାରର ଲୋକଙ୍କ ସଂଖ୍ୟା ବି ପାଖାପାଖି ସେତିକି ଥିଲା। ସମସ୍ତଙ୍କ ହାତରେ ଥିଲା ଫୁଲତୋଡ଼ା। ପୁଣି କିଏ ଧରିଥିଲେ ମିଠା, ଡାଏରି, କ୍ୟାଲେଣ୍ତର‌୍‌। ପୋର୍ଟିକୋଠାରୁ ଆରମ୍ଭ କରି ତୃତୀୟ ମହଲା ପର୍ଯ୍ୟନ୍ତ ଚାଲିଥିଲା ଧାଁ ଧଉଡ଼।

ଏହା ଥିଲା ଲୋକସେବା ଭବନରେ ୨୦୨୦ ମସିହାର ପ୍ରଥମ କାର୍ଯ୍ୟଦିବସର ଦୃଶ୍ୟ। ଦିନତମାମ ଏକ ଭିନ୍ନ ପରିବେଶ, ନିଆରା ଅନୁଭବ ମିଳୁଥିଲା ପାୱାର୍‌ କରିଡର୍‌ରେ। ସମାନ ଦୃଶ୍ୟ ବି ଦେଖିବାକୁ ମିଳିଥିଲା ଖାରବେଳ ଭବନରେ। ରାଜ୍ୟ ଶାସନର ଡୋରି ରହିଥିବା ଏହି ଦୁଇ କୋଠା ଆଜି ବେଶ୍‌ ଲୋକାରଣ୍ୟ ହୋଇ ଉଠିଥିଲା।

ଲୋକସେବା ଭବନର ପରିସରର କିଛି ସ୍ଥାନକୁ ଫୁଲରେ ସଜା ଯାଇଥିଲା। ଦ୍ବିତୀୟ ମହଲାରେ ମୁଖ୍ୟ ସଚିବଙ୍କ ପ୍ରକୋଷ୍ଠ ସାମ୍ନାରେ ଫୁଲର ତୋରଣ କରାଯାଇଥିଲା। ଯେଉଁମାନେ ଆଜି ମୁଖ୍ୟ ପୋର୍ଟିକୋ ଦେଇ ସଚିବାଳୟ ଭିତରକୁ ପଶୁଥିଲେ, ସେମାନେ ବାଣିଜ୍ୟ ଓ ପରିବହନ ବିଭାଗ ପରିବହନ ବିଭାଗ ନିକଟରେ ପୂଜା ପାଉଥିବା ମହାପ୍ରଭୁ ଜଗନ୍ନାଥଙ୍କ ଆସ୍ଥାନ ନିକଟକୁ ଯାଇ ଦର୍ଶନ କରୁଥିଲେ।

publive-image

ତେବେ ଭିଣୋଇଙ୍କ ଦେହାନ୍ତ ଯୋଗୁ ନୂଆ ବର୍ଷ ପାଳନ କରୁ ନ ଥିବାରୁ ମୁଖ୍ୟମନ୍ତ୍ରୀ ଲୋକସେବା ଭବନକୁ ଆସି ନ ଥିଲେ। ତେଣୁ ତୃତୀୟ ମହଲା ସେତେଟା ଚଳଚଞ୍ଚଳ ନ ଥିଲା। ଯଦିଓ କର୍ମଚାରୀ ଓ ବାହାରର ଲୋକମାନେ ତୃତୀୟ ମହଲା ଯାଇ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଉଥିଲେ, ତେବେ ମୁଖ୍ୟମନ୍ତ୍ରୀ ନ ଥିବାରୁ ସ୍ଥାନଟି ଫିକା ଲାଗୁଥିଲା। ପ୍ରତି ବର୍ଷ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଆସୁଥିବା ଲୋକମାନେ ତାଙ୍କ ପସନ୍ଦର ଧଳା ଲିଲି ଫୁଲ ଆଣନ୍ତି। କିନ୍ତୁ ଏଥର ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତି ଯୋଗୁଁ ଏହି ଫୁଲ ଖୁବ୍ କମ୍ ଦେଖିବାକୁ ମିଳିଥିଲା। ମନ୍ତ୍ରୀ କରିଡର୍‌ରେ କିଛି ମନ୍ତ୍ରୀ ଆଜି ଉପସ୍ଥିତ ଥିଲେ। ସେମାନଙ୍କ ବିଭାଗର ସଚିବ, ଅଧିକାରୀ ଓ କର୍ମଚାରୀମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ମୁଖ୍ୟ ସଚିବଙ୍କ ପ୍ରକୋଷ୍ଠରେ ସର୍ବାଧିକ ଗହଳି ଦେଖିବାକୁ ମିଳିଥିଲା। ସବୁ ବିଭାଗର ସଚିବ, ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଆସି ତାଙ୍କୁ ଶୁଭେଚ୍ଛା ଜଣାଉଥିଲେ। ମୁଖ୍ୟ ସଚିବଙ୍କ ପ୍ରକୋଷ୍ଠ ସମସ୍ତଙ୍କ ପାଇଁ ଖୋଲା ଥିଲା। କର୍ମଚାରୀଙ୍କ ବାଦ୍ ବିଭିନ୍ନ କର୍ପୋରେଟ୍‌ ହାଉସ୍‌ର ଅଧିକାରୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ଶୁଭେଚ୍ଛା ଜଣାଇବାକୁ ଆସିଥିବା ଦେଖାଯାଇଥିଲା। ଉନ୍ନୟନ କମିସନର୍‌ଙ୍କ ଚାମ୍ବର୍‌ରେ ମଧ୍ୟ ଭିଡ଼ ଜମିଥିଲା। ଏହା ବାଦ୍‌ ଅନ୍ୟ ବିଭାଗର ସଚିବମାନଙ୍କୁ ନିଜ ନିଜ ବିଭାଗର କର୍ମଚାରୀମାନେ ଅଭିନନ୍ଦନ ଜଣାଉଥିଲେ। କିଛି ବିଭାଗରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ବି କରାଯାଇଥିଲା। ସନ୍ଧ୍ୟା ବେଳକୁ ଲୋକସେବା ଭବନର ବିଭିନ୍ନ ସ୍ଥାନରେ ଫୁଲ ଗଦା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଆଜି ଖାରବେଳ ଭବନ ସାମ୍ନାରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ମାଗଣାରେ ଚାରା ବଣ୍ଟାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe