ଶୁଭେଚ୍ଛା, ଅଭିନନ୍ଦନରେ କଟିଗଲା ପ୍ରଥମ ଦିନ 

Advertisment

ସଚିବାଳୟରେ ଉତ୍ସବ ମାହୋଲ

ସଚିବାଳୟରେ ଉତ୍ସବ ମାହୋଲ

ଶୁଭେଚ୍ଛା, ଅଭିନନ୍ଦନରେ କଟିଗଲା ପ୍ରଥମ ଦିନ 

ଭୁବନେଶ୍ୱର : ଉପସ୍ଥାନ ସ୍ୱାଭାବିକ ଥିଲା। ଅଫିସ୍‌ ଖୋଲା ଥିବାରୁ କର୍ମଚାରୀମାନେ ଅନ୍ୟ ଦିନ ପରି ଆଜି ବି ଅଫିସ୍‌ ଆସିଥିଲେ। କିନ୍ତୁ ଚେୟାର ଖାଲି ପଡ଼ିଥିଲା। ସମସ୍ତେ ବାହାରେ ଚକ୍କର କାଟୁଥିଲେ। କାହାର କାମ କରିବା ମୁଡ୍‌ ନ ଥିଲା। ସମସ୍ତଙ୍କ ହାତରେ ଥିଲା ଫୁଲ ତୋଡ଼ା। ପୁଣି କିଏ ଧରିଥିଲେ ଡାଏରି, କ୍ୟାଲେଣ୍ଡର୍‌। ପୋର୍ଟିକୋ ଠାରୁ ଆରମ୍ଭ କରି ତୃତୀୟ ମହଲା ପର୍ଯ୍ୟନ୍ତ ଚାଲିଥିଲା ଧାଁ ଧଉଡ଼।

ଏହା ଥିଲା ସଚିବାଳୟରେ ୨୦୧୮ ମସିହାର ପ୍ରଥମ କାର୍ଯ୍ୟଦିବସର ଦୃଶ୍ୟ। ଦିନତମାମ ଏକ ଭିନ୍ନ ପରିବେଶ, ନିଆରା ଅନୁଭବ ମିଳୁଥିଲା ସଚିବାଳୟରେ। ୧୧ଟା ସୁଦ୍ଧା ଉପସ୍ଥାନ ସ୍ୱାଭାବିକ ହୋଇଯାଇଥିଲା। ସଚିବାଳୟ ପରିସରକୁ ସଜାଯାଇଥିଲା। ପୋର୍ଟିକୋରେ ଫୁଲ କୁଣ୍ଡ ରଖାଯାଇଥିଲା। ଦ୍ୱିତୀୟ ଓ ତୃତୀୟ ମହଲାରେ ବି ଫୁଲ କୁଣ୍ଡ ରଖାଯାଇ ସଜାଯାଇଥିଲା। ଦ୍ୱିତୀୟ ମହଲାରେ ମୁଖ୍ୟ ସଚିବଙ୍କ ପ୍ରକୋଷ୍ଠ ସାମ୍ନାରେ ଫୁଲର ତୋରଣ କରାଯିବା ସହ ନୂଆ ବର୍ଷର ଅଭିନନ୍ଦନର ବ୍ୟାନର୍‌ ଲଗାଯାଇଥିଲା।

ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟ ଆସି ନ ଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ବି ତୃତୀୟ ମହଲାରେ ଭିଡ଼ କିଛି କମ୍‌ ନ ଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇବାକୁ ବହୁ କର୍ମଚାରୀ ଓ ବ୍ୟକ୍ତିବିଶେଷ ଯାଉଥିବାର ଦେଖିବାକୁ ମିଳିଥିଲା। ସନ୍ଧ୍ୟା ପ୍ରାୟ ୫ଟା ୪୫ରେ ମୁଖ୍ୟମନ୍ତ୍ରୀ ସଚିବାଳୟରେ ପହଞ୍ଚିଥିଲେ। ଦେଢ଼ ଘଣ୍ଟାରୁ ଅଧିକ ସମୟ ରହିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ତୃତୀୟ ମହଲାରେ ଜୋର୍‌ ଭିଡ଼ ହୋଇଥିଲା।

ମନ୍ତ୍ରୀ କରିଡର୍‌ରେ ଆଜି ଏତେଟା ଭିଡ଼ ନ ଥିଲା। କାରଣ ବହୁ ମନ୍ତ୍ରୀ ସଚିବାଳୟ ଆସି ନ ଥିଲେ। ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲ, ପ୍ରଦୀପ ମହାରଥୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ ଜେନା, ରମେଶ ମାଝୀ ଓ ଶଶିଭୂଷଣ ବେହେରା ପ୍ରମୁଖ ପୂର୍ବାହ୍ନରେ କାର୍ଯ୍ୟାଳୟ ଆସିଥିଲେ। ସେମାନଙ୍କ ଚାମ୍ବର୍‌ ଫୁଲରେ ଭର୍ତ୍ତି ହୋଇଯାଇଥିଲା। ସେମାନଙ୍କୁ ଶୁଭେଚ୍ଛା ଜଣାଇବାକୁ ବିଭାଗୀୟ ସଚିବ, ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ସେମାନଙ୍କ ଚାମ୍ବର୍‌କୁ ଯାଇଥିଲେ। କିଛି ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ମିଠା ବଣ୍ଟା ବି ଚାଲିଥିଲା।

ଅଧିକାରୀ ଓ କର୍ମଚାରୀମାନେ ବେଶୀ ଭିଡ଼ ଜମାଇଥିଲେ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିସନର୍‌ଙ୍କ ପ୍ରକୋଷ୍ଠରେ। ଉଭୟଙ୍କ ଚାମ୍ବର୍‌ରେ ପଶି ଶୁଭେଚ୍ଛା ଜଣାଇବାକୁ କାହାରିକୁ ବାଧା ଦିଆଯାଇ ନ ଥିଲା। ଏହା ବାଦ୍‌ ଅନ୍ୟ ବିଭାଗର ସଚିବମାନଙ୍କୁ ନିଜ ନିଜ ବିଭାଗର କର୍ମଚାରୀମାନେ ଅଭିନନ୍ଦନ ଜଣାଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe