ନୂଆବର୍ଷ, ହକି ବିଶ୍ବକପକୁ ନେଇ ସତର୍କତା

ନମୁନା ପରୀକ୍ଷାରେ ଖୋର୍ଧା ଆଗରେ, ପୁରୀ ପଛରେ, ଅକ୍ଟୋବର ୧୦ତାରିଖରୁ ଶହେରୁ ଖସି ଚାଲିଛି ସଂକ୍ରମଣ

ନୂଆବର୍ଷ, ହକି ବିଶ୍ବକପକୁ ନେଇ ସତର୍କତା

Image Courtesy of National Geographic

ଭୁବନେଶ୍ବର : ଓଡ଼ିଶାରେ ଦୈନିକ ସଂକ୍ରମଣ ଏକ ଅଙ୍କରେ ରହିଥିଲେ ହେଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କରୋନା ମୁକାବିଲା ନେଇ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି। ମାତ୍ର ବଡ଼ଦିନ ସମେତ ନୂଆବର୍ଷ ଓ ହକି ବିଶ୍ବକପ୍‌ ରାଜ୍ୟ ସରକାରଙ୍କ ପାଇଁ ପ୍ରମୁଖ ଆହ୍ବାନ ଭାବେ ଉଭା ହୋଇଛି। ବିଶେଷଜ୍ଞଙ୍କ ମତରେ ଆଉ ସପ୍ତାହ ପରେ ନୂଆବର୍ଷ। ଏଥିପାଇଁ ଚାରିଆଡ଼େ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଭୋଜିଭାତ ପାଇଁ ଆଗୁଆ ବୁକିଂ ଜାରି ରହିଛି। କରୋନା ସଂକ୍ରମଣ ନ ଥିବାରୁ ବେଶ୍ କିଛିମାସ ହେବ ଲୋକମାନେ ମାସ୍କ ପରିଧାନ, ହାତ ଧୋଇବା ଓ ସାମାଜିକ ଦୂରତାକୁ ଭୁଲି ଯାଇଛନ୍ତି। ଏଭଳି ପରିସ୍ଥିତିରେ ଶତାଧିକ ଲୋକ ଏକାଠି ହେବା ବିପଦକୁ ଡାକି ଆଣିପାରେ। ଆସନ୍ତା ମାସରେ ଭୁବନେଶ୍ବର ଓ ରାଉରାକେଲାରେ ହକି ବିଶ୍ବକପ୍ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରାଜଧାନୀରେ ଏକାଧିକ ବଡ଼ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଏଥିପାଇଁ ଦୁଇ ସହରରେ ଶହ ଶହ ଲୋକଙ୍କ ଚଳପ୍ରଚଳ ସଂକ୍ରମଣକୁ ବଢ଼ାଇ ଦେଇପାରେ। ଏହାସହ ଚୀନ୍‌ରେ ଆତଙ୍କ ସୃଷ୍ଟି କରିଥିବା ନୂଆ ପ୍ରଜାତି ବିଏଫ୍‌.୭, ଓଡ଼ିଶାରେ ଚିହ୍ନଟ ହୋଇଛି। ତେଣୁ ଲୋକମାନଙ୍କୁ କୋଭିଡ ନିୟମାବଳୀ ମାନିବାକୁ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି, ବିଏଫ୍‌.୭ ପ୍ରଜାତି ଗତ ୨ବର୍ଷ ହେବ ରହିଛି। ଯେହେତୁ ଏହା ଯୋଗୁଁ ଚୀନ୍‌ରେ ସଂକ୍ରମଣ ବଢ଼ୁଛି, ତେଣୁ ଏହାକୁ ନେଇ ଚର୍ଚା ବଢ଼ିଛି। ଏହାର ସଂକ୍ରମଣ କ୍ଷମତା ଅଧିକ ରହିଥିଲେ ବି ଫାଟାଲିଟି ବା ମୃତ୍ୟୁ ହାର ବିଶେଷ ନାହିଁ। ଗତ ୪ଟି ଲହର ପାଇଁ ଭାରତୀୟ ଲୋକଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି। ତେଣୁ ବିଏଫ୍‌.୭ ଅଧିକ ସଂକ୍ରମିତ କରିପାରିବ ନାହିଁ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଏବେ ଗତ ୧ମାସ ଦୈନିକ ୬ହଜାର ଉପରେ ନମୁନା ପରୀକ୍ଷା କରାଯାଉଛି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ପରୀକ୍ଷା ହେଉଛି। ତେବେ ପୁରୀ ଜିଲ୍ଲାରେ ଏଥିରେ ପଛରେ ପଡ଼ିଛି। ପୁରୀକୁ ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ଲୋକଙ୍କ ଯିବାଆସିବା ଲାଗି ରହିଥିବାରୁ ନମୁନା ପରୀକ୍ଷା ବୃଦ୍ଧି କରିବା ଜରୁରୀ ହୋଇ ପଡ଼ିଛି। ରାଜ୍ୟରେ ଏବେ ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ୧୩୪ଜଣଙ୍କ ନମୁନା ପରୀକ୍ଷା ହେଉଛି। ଦେଶରେ ୫୮୯ ନମୁନା ପରୀକ୍ଷାରେ ଜଣେ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ୧୫୫୨ ପରୀକ୍ଷାରେ ଜଣେ ଆକ୍ରାନ୍ତ ବାହାରୁଛନ୍ତି। ରାଜ୍ୟରେ ସଂକ୍ରମଣ ହାର ୦.୦୫ ପ୍ରତିଶତ ରହିଛି। ସେହିପରି ଗତ ଅକ୍ଟୋବର ୧୦ତାରିଖରେ ରାଜ୍ୟରେ ସର୍ବାଧିକ ୧୦୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ପରଠାରୁ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କେତେବେଳେ ୧୦ ରହିଛି ତ ଆଉ କେବେ ୨ ଦେଖିବାକୁ ମିଳୁଛି।

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି, ଆଇସିଏମ୍‌ଆର ଗାଇଡଲାଇନ୍‌ରେ ଲକ୍ଷଣଯୁକ୍ତ ଓ ସମ୍ବେଦନଶୀଳ ବ୍ୟକ୍ତିମାନଙ୍କ ନମୁନା ପରୀକ୍ଷା କରିବା ଉପରେ ଗୁରୁତ୍ବ ଦିଆଯାଇଛି। ତେଣୁ ରାଜ୍ୟରେ ନମୁନା ପରୀକ୍ଷାକୁ ନେଇ କୌଣସି ପ୍ରକାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇନାହିଁ। ଯେଉଁମାନଙ୍କର ଲକ୍ଷଣ ରହିଛି ସେମାନେ ନିଜର ପରୀକ୍ଷା କରାଇନେବା ଜରୁରୀ ବୋଲି ଡା.ମିଶ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe