ନୂଆବର୍ଷରେ ଭିଡ଼ ପାଇଁ ବାତିଲ ହୋଇପାରେ ରାତି ପହୁଡ଼

୧୬ରୁ ଶ୍ରୀମନ୍ଦିରରେ ପହିଲି ଭୋଗ, ଜାନୁଆରି ୧୫ରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯଜ୍ଞ, ୧୭ରେ ଲୋକାର୍ପଣ

ନୂଆବର୍ଷରେ ଭିଡ଼ ପାଇଁ ବାତିଲ ହୋଇପାରେ ରାତି ପହୁଡ଼

ପୁରୀ: ନୂଆବର୍ଷରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା। ରାତି ୧୧ଟା ସୁଦ୍ଧା ପହୁଡ଼ ହୋଇ ନ ପାରିଲେ ରାତି ପହୁଡ଼ ନୀତି ବାତିଲ କରାଯିବ। ଶ୍ରୀମନ୍ଦିର ପରିସର ଲୋକାରଣ୍ୟ ଥିଲେ ଜାନୁଆରି ୧ ତାରିଖରେ ଦିବା ପହୁଡ଼ ବାତିଲ କରାଯିବ। ନୂଆବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପୁରୀକୁ ଭକ୍ତମାନଙ୍କ ସୁଅ ଛୁଟିବ। ତେଣୁ ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କ ସୁଗମ ଦର୍ଶନ ପାଇଁ ଆଜି ନୀତି ସବ୍‌କମିଟି ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି। ଏହାବ୍ୟତୀତ ଧନୁ ସଂକ୍ରାନ୍ତିଠାରୁ ଆରମ୍ଭ ହେବାକୁ ଥିବା ପହିଲି ଭୋଗ ନୀତି, ମକର ସଂକ୍ରାନ୍ତି ନୀତି ଓ ଦେବାଭିଷେକ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଚୂଡ଼ାନ୍ତ କରାଯାଇଛି।

ଆସନ୍ତା ୧୬ ତାରିଖ ଧନୁ ସଂକ୍ରାନ୍ତିଠାରୁ ଜାନୁଆରି ୧୪ ପର୍ଯ୍ୟନ୍ତ ରାତି ୨ରୁ ଦ୍ବାର ଫିଟା ହୋଇ ଭିତରଶୋଧ ପରେ ୨ଟା ୪୫ରେ ମଙ୍ଗଳ ଆଳତି ହେବ। ସକାଳ ୭ଟା ସୁଦ୍ଧା ପହିଲି ଭୋଗ ନୀତି ଶେଷ ହେବ। ଏହି ମାସକ ଯାକ ରାତି ୧୧ରେ ରାତ୍ର ପହୁଡ଼ ହେବ। ଜାନୁଆରି ୧୫ରେ ରାତି ୩ଟାରେ ଦ୍ବାର ଫିଟା ନୀତି ହୋଇ ୩ଟା ୪୫ରେ ମଙ୍ଗଳ ଆଳତି ହେବ। ରାତି ସାଢ଼େ ୧୦ଟାରେ ବଡ଼ସିଂହାର ବେଶ ହୋଇ ରାତି ୧୨ଟାରେ ରାତି ପହୁଡ଼ ହେବ। ଜାନୁଆରି ୨୫ ତାରିଖ ଦେବାଭିଷେକ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଅନୁଯାୟୀ, ରାତି ୩ଟାରେ ଦ୍ବାର ଫିଟା ହୋଇ ଭିତରଶୋଧ ପରେ ଭୋର ୪ଟାରେ ମଙ୍ଗଳ ଆଳତି ହେବ। ସେହି ଦିନ ମହାପ୍ରଭୁଙ୍କୁ ଫୁଲ, ଧନୁଶର ଓ ଆୟୁଧ ଲାଗି ହେବ। ରାଜନୀତି, ଦହିପଟି ଘସା ବିଡ଼ିଆ ମଣୋହି ହେବ। ରାତି ୧୧ଟାରେ ବଡ଼ସିଂହାର ବେଶ ହୋଇ ରାତି ୧୨ଟାରେ ରାତ୍ର ପହୁଡ଼ ନୀତି ସମ୍ପାଦିତ ହେବା ନେଇ ସ୍ଥିର ହୋଇଛି।

ଜାନୁଆରି ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ୧୫ ତାରିଖରୁ ଯଜ୍ଞ ଆରମ୍ଭ ହେବ। ଶ୍ରୀମନ୍ଦିରର ଉତ୍ତର ପୂର୍ବ ନିକଟସ୍ଥ ଐଶାନ୍ୟ କୋଣରେ ଲୋକାର୍ପଣ ପର୍ବ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ଉଦ୍‌ଘାଟନ କରିବେ। ଏଥିପାଇଁ ଦ୍ବାଦଶ ଜ୍ୟୋତିର୍ଲିଙ୍ଗ, ଚାରିଧାମ ଓ ଦେଶର ବହୁ ଆଧ୍ୟାତ୍ମିକସ୍ଥଳରୁ ସାଧୁସନ୍ଥ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଗଣପର୍ବ ଭାବେ ପାଳନ କରାଯିବ। ଏହାବ୍ୟତୀତ ଶାଳୀନତାପୂର୍ଣ୍ଣ ପୋଷାକ ନେଇ ୧୦୦ ପ୍ରତିଶତ ସେଚତନତା ଆସିଲାଣି। ସେବାୟତମାନେ ମଧ୍ୟ ଏ ଦିଗରେ ପଦକ୍ଷେପ ନେଉଛନ୍ତି। ଶାଳୀନତା ପୂର୍ଣ୍ଣ ପୋଷାକ ପରିଧାନ ନିୟମକୁ ଜାନୁଆରି ପହିଲାରୁ କଡ଼ାକଡ଼ି କରାଯିବ। ଶ୍ରୀମନ୍ଦିରରେ ପାନ, ଗୁଟଖା ଆଦି ସମ୍ପୂର୍ଣ୍ଣ ନିଷେଧ କରାଯିବ। ନୂଆବର୍ଷରୁ ଦିବ୍ୟାଙ୍ଗମାନେ ଉତ୍ତର ଦ୍ବାର ରାମ୍ପ ଦେଇ ପ୍ରବେଶ କରିପାରିବେ ବୋଲି ସେ କହିଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଓ ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe