ପାରଳା ମୁଖ୍ୟ ଚିକିତ୍ସାଳୟରୁ ନବଜାତ ଶିଶୁପୁତ୍ର ଚୋରି

Advertisment

୪ ମହିଳା ଆଶାଦିଦି କହି ବ୍ୟାଗ୍‌ରେ ପୂରାଇ ଚମ୍ପଟ୍‌, ସନ୍ଦେହରେ କଳା କାର୍‌

୪ ମହିଳା ଆଶାଦିଦି କହି ବ୍ୟାଗ୍‌ରେ ପୂରାଇ ଚମ୍ପଟ୍‌, ସନ୍ଦେହରେ କଳା କାର୍‌

ପାରଳା ମୁଖ୍ୟ ଚିକିତ୍ସାଳୟରୁ ନବଜାତ ଶିଶୁପୁତ୍ର ଚୋରି

odishatv.in

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରୁ ଚାରି ଦିନର ନବଜାତ ଶିଶୁ ଚୋରି ହୋଇଛି। ନିଜକୁ ଆଶା ଦିଦି ପରିଚୟ ଦେଇ ଆଈ କୋଳରୁ ୪ଦିନର ଶିଶୁକୁ ୪ ଜଣ ଅଜଣା ମହିଳା ନେଇ ଚମ୍ପଟ୍‌ ମାରିଥିବା ଜଣାପଡ଼ିଛି। ନୂଆଗଡ଼ ବ୍ଲକର ମଦନ ବାଣୁଆଙ୍କ ପତ୍ନୀ ଚାରିଦିନ ତଳେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପ‌ରେ ପୁଲିସ ତନାଘନା ଆରମ୍ଭ କରିଛି। ଡାକ୍ତରଖାନା ସିସିଟିଭି ଫୁଟେଜ୍‌ରେ ୪ ମହିଳା ଶିଶୁଟିକୁ ଏକ ବ୍ୟାଗ୍‌ରେ ଧରି ‌ଦୌଡ଼ି ପଳାଉଥିବାର ଦୃଶ୍ୟ ରେକର୍ଡ଼ ହୋଇଛି। ଏ ସମୟରେ ଏକ କଳା ରଙ୍ଗର କାର୍‌ ମହିଳାଙ୍କ ଆଗରେ ଯାଉଥିବା ସିସିଟିଭି ଫୁଟେଜ‌୍‌ରୁ ସ୍ପଷ୍ଟ ହୋଇଛି। ତେଣୁ ପିଲା ଚୋରି କରିବା ଉଦ୍ଦେଶ୍ୟ ନେଇ ଏହି ମହିଳାମାନେ ଆସିଥିବା ଓ ପେସାଦାର ଢଙ୍ଗରେ ଏଭଳି କାରନାମା ଘଟାଇ ଫେରାର ହୋଇ ଯାଇଥିବା ପୁଲିସ ଅନୁମାନ କରୁଛି। ସିସିଟିଭି ଫୁଟେଜ୍‌କୁ ଅଧାର କରି ଏବେ ପୁଲିସ ତଦନ୍ତ ଚଳାଇଥିବା ବେଳେ ନିଖୋଜ ଶିଶୁ କିମ୍ବା ସନ୍ଦିଗ୍ଧ କାର୍‌ର କୌଣସି ସନ୍ଧାନ ମିଳିପାରି ନଥିବା ଜଣାପଡିଛି।

ପରିବାର ସଦସ୍ୟ ଦେଇଥିବା ସୂଚନା ଅନୁସାରେ, ୪ଜଣ ମହିଳା ଡାକ୍ତରଖାନା ପ୍ରସୂତି ୱାର୍ଡ଼ରେ ପ୍ରବେଶ କରିଥିଲେ। ସେମାନେ ଶିଶୁଟିକୁ ଧରିଥିବା ତାର ଆଈ ନିକଟରେ ପହଞ୍ଚି ନିଜକୁ ଆଶାଦିଦି ବୋଲି ପରିଚୟ ଦେଇଥିଲେ। ଶିଶୁକୁ କୋଳେଇ ଧରି ଆଖି ପିଛୁଳାକେ ସେଠାରୁ ଗାଏବ ହୋଇ ଯାଇଥିଲେ। ଖବର ପାଇ ପାରଳାଖେମୁଣ୍ଡି ପୁଲିସ ଡାକ୍ତରଖାନାରେ ପହଞ୍ଚି ସିସିଟିଭି ଫୁଟେଜ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛି। ଚମ୍ପଟ ମହିଳାଙ୍କ ପତ୍ତା ଲଗାଇଥିଲେ ମଧ୍ୟ ପୁଲିସ କୌଣସି ସୁରାକ ପାଇପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe