ପୁରୀ: ପୁରୀର ଏକ ନର୍ସିଂ ହୋମ୍ରେ ଚିକିତ୍ସା ଅବହେଳାରୁ ଜଣେ ନବଜାତ ଶିଶୁ କନ୍ୟାର ମୃତ୍ୟୁ ଘଟିଥିବା ଅଭିଯୋଗ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଶିଶୁର ପରିବାର ଲୋକେ ନର୍ସିଂହୋମ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏନେଇ କୁମ୍ଭାରପଡ଼ା ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ନର୍ସିଂ ହୋମର ମାଲିକ ଓ ଦଲାଲକୁ ଧରିନେଇ ଥାନାରେ ଅଟକ ରଖିଛି। ଅଭିଯୋଗ ଅନୁଯାୟୀ, କାଳିକାଦେବୀ ସାହି ନିବାସୀ ଅଭିଜିତ ମହାପାତ୍ର ପତ୍ନୀ ସଂଗୀତା ପାଢ଼ୀଙ୍କୁ ପ୍ରସବ ଲାଗି ଗତ ୮ ତାରିଖ ରାତି ୯ଟାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ତେବେ ନିଶ୍ଚେତକ ବିଶେଷଜ୍ଞ ନଥିବାରୁ ଅସ୍ତ୍ରୋପଚାର ହୋଇପାରିବ ନାହିଁ ବୋଲି ଡିଉଟିରେ ଥିବା ଡାକ୍ତର କହିଥିଲେ। ତେଣୁ ସଂଗୀତାଙ୍କୁ ଘରୋଇ ଚିକିତ୍ସାଳୟକୁ ନେଇଯିବା ପାଇଁ ସେ ପରାମର୍ଶ ଦେଇଥିଲେ। ଫଳରେ ଅଭିଜିତ୍ ଡାକ୍ତରଖାନା ସମ୍ମୁଖରେ ଥିବା ଶିବାନନ୍ଦ ନର୍ସିଂ ହୋମ୍ ଆଣ୍ଡ ହସପିଟାଲରେ ସଂଗୀତାଙ୍କୁ ଭର୍ତ୍ତିି କରାଇଥିଲେ। ଏଠାରେ ଅସ୍ତ୍ରୋପଚାର କରି ସଂଗୀତାଙ୍କର ଏକ ଶିଶୁ କନ୍ୟା ପ୍ରସବ କରାଯାଇଥିଲା। ମାତ୍ର ଆଜି ଭୋରରେ ନବଜାତ ଶିଶୁଟି ପ୍ରାଣ ହରାଇଥିଲା। ଏହି ଘଟଣାକୁ ନେଇ ନର୍ସିଂ ହୋମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ କୁମ୍ଭାରପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ନର୍ସିଂ ହୋମ୍ ମାଲିକ ଓ ଦଲାଲକୁ ଥାନାକୁ ନେଇଯାଇଥିଲେ। ଅନ୍ୟପଟେ ସମ୍ପୃକ୍ତ ନର୍ସିଂ ହୋମ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସିଡିଏମ୍ଓଙ୍କ କାର୍ଯ୍ୟାଳୟରୁ ଜିଲ୍ଲାପାଳଙ୍କ ନିକଟକୁ ରିପୋର୍ଟ ଯାଇଥିବା ଜଣାପଡ଼ିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us