ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଓ ଶିଶୁ ବିକ୍ରି ଘଟଣା: ଛତିଶଗଡ଼ରୁ ଉଦ୍ଧାର ହେଲା ନବଜାତକ

Advertisment

ଅଭିଯୁକ୍ତ ଶ୍ୟାମଲକୁ କୋର୍ଟ ଚାଲାଣ କଲା ପୁଲିସ

ଅଭିଯୁକ୍ତ ଶ୍ୟାମଲକୁ କୋର୍ଟ ଚାଲାଣ କଲା ପୁଲିସ

ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଓ ଶିଶୁ ବିକ୍ରି ଘଟଣା: ଛତିଶଗଡ଼ରୁ ଉଦ୍ଧାର ହେଲା ନବଜାତକ

କାଲିମେଳା : ଦିବ୍ୟାଙ୍ଗ ଦୁଷ୍କର୍ମ ପୀଡ଼ିତାଙ୍କ ବିକ୍ରି ହୋଇଥିବା ନବଜାତ ଶିଶୁକୁ ଶେଷରେ ଠାବ କରିଛି କାଲିମେଳା ପୁଲିସ। ବୁଧବାର ଦିନ ଛତିଶଗଡ଼ର ସୁକମା ଜିଲ୍ଲାର ଗୋଟିଏ ଡାକ୍ତରଖାନାରୁ ଉଦ୍ଧାର କରାଯାଇଛି। ଶିଶୁର ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା ଜଣାପଡ଼ିଛି। ତେଣୁ ଉଦ୍ଧାର କରିବା ପରେ ମାଲକାନଗିରି ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଭର୍ତ୍ତି କରାଯାଇଛି। ଅପରପକ୍ଷରେ ଆଜି ଘଟଣାର ଅଭିଯୁକ୍ତ ତଥା ଏମ୍‌ଭି-୭୭ ଗାଁର ଶ୍ୟାମଲ ସ୍ବର୍ଣ୍ଣକାରକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଦିବ୍ୟାଙ୍ଗ ପୀଡ଼ିତା ଏବଂ ନବଜାତ ଶିଶୁପୁତ୍ରର ଥଇଥାନକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି।

ଦିବ୍ୟାଙ୍ଗ ଯୁବତୀ ଦୁଷ୍କର୍ମର ଶିକାର ହେବା ଏବଂ ଜରିମାନା ପାଇଁ ନବଜାତ ଶିଶୁକୁ ବିକ୍ରି ନେଇ ଖବର ପ୍ରକାଶ ପାଇବା ପରେ ଗତକାଲି ପୁଲିସ ଏବଂ ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲେ। ଗତକାଲି ହିଁ ପୀଡ଼ିତାକୁ କାଲିମେଳା ସିଡିପିଓ ଭେଟି ପଚରାଉଚୁରା କରିଥିଲେ। ସେହିପରି ପୁଲିସ ମଧ୍ୟ ଅଭିଯୁକ୍ତ ଶ୍ୟାମଲ ସ୍ବର୍ଣ୍ଣକାରକୁ ଉଠାଇ ଆଣି ପଚରାଉଚୁରା କରିଥିଲା। କିନ୍ତୁ ନବଜାତ ଶିଶୁପୁତ୍ର କେଉଁଠି ଏବଂ କେଉଁ ଅବସ୍ଥାରେ ରହିଛି ପୁଲିସ ଜାଣିପାରି ନଥିଲା। ଅନେକ ଉଦ୍ୟମ ପରେ ଶେଷରେ ଆଜି ଛତିଶଗଡ଼ରେ ରହିଥିବା ଅଭିଯୁକ୍ତର ଶ୍ୟାମର ଜଣେ ସଂପର୍କୀୟଙ୍କ ନିକଟରେ ଶିଶୁପୁତ୍ର ରହିଥିବା ଖବର ମିଳିଥିଲା। ତୁରନ୍ତ କାଲିମେଳା ପୁଲିସ, ଶିଶୁ ସୁରକ୍ଷା ଅଧିକାରୀ ସୁକମା ପହଞ୍ଚି ଚିକିତ୍ସିତ ହେଉଥିବା ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ। ଏହାପରେ ମାଲକାନଗିରିରେ ପୀଡ଼ିତା ଏବଂ କାଲିମେଳାରେ ଅଭିଯୁକ୍ତର ଡାକ୍ତରୀ ମାଇନା କରାଯାଇଥିଲା। କାଲିମେଳା ଥାନା କେସ ନଂ ୮୬/୨୨ରେ ବିଭିନ୍ନ ସଂଗୀନ ଦଫାରେ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe