ଫୁଲବାଣୀ : ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ଼ ଗାଁ ନିକଟରେ ଥିବା ଏକ ଆମ୍ବଗଛରୁ ଜଣେ ବିବାହିତାଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି। ସେ ହେଲେ ବନ୍ଧଗଡ଼ ଗ୍ରାମର ଦିନେଶ ଦେହୁରୀଙ୍କ ସ୍ତ୍ରୀ ସରିତା ଦଳବେହେରା । ତାଙ୍କ ବାପାଙ୍କ ଘର ବାଲିଗୁଡ଼ା ଥାନା ଅନ୍ତର୍ଗତ ଜାର୍ଗିଭଟା ଗ୍ରାମରେ । ଛଅ ମାସ ତଳେ ସେ ବିବାହ କରିଥିଲେ। ଗତକାଲି ଭୋର ସମୟରେ ସେ ଘର କାମ ସାରି ପାଣି ଆଣିବାକୁ ବାହାରକୁ ଯାଇ ଆଉ ଘରକୁ ଫେରି ନଥିଲେ। ଘର ଲୋକେ ବହୁ ଖୋଜାଖୋଜି କରିବା ପରେ ଗାଁପାଖ ଜଙ୍ଗଲ ଭିତରେ ଥିବା ଏକ ଆମ୍ବ ଗଛରେ ମହିଳାଜଣକ ଝୁଲୁଥିବା ଦେଖିବାକୁ ପାଇ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଫିରିଙ୍ଗିଆ ଥାନାଧିକାରୀ ପି.ଶ୍ୟାମସୁନ୍ଦର ରାଓଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ପ୍ରଦୀପ କୁମାର ରାଉଳ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଜିଲ୍ଲା ଫରେନ୍ସିକ ଟିମ୍ ସହାୟତାରେ ଶବକୁ ଉଦ୍ଧାର କରାଯିବା ସହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।
ଝିଅକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଶ୍ବଶୁରଘର ଲୋକେ ହତ୍ୟା କରିଛନ୍ତି ବୋଲି ମହିଳାଙ୍କ ପରିବାର ଅଭିଯୋଗ ଆଣିଛନ୍ତି। ଏ ନେଇ ତାଙ୍କ ଦାଦା ବୃଷଭ ଅମାତ ଏକ ଲିଖିତ ଅଭିଯୋଗ କରିବା ପରେ ଫିରିଙ୍ଗିଆ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସ୍ବାମୀ ଦିନେଶ ଦେହୁରୀଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରାଯାଉଥିବା ଥାନାଧିକାରୀ ପି.ଶ୍ୟାମସୁନ୍ଦର ରାଓ ପ୍ରକାଶ କରିଛନ୍ତି।
Follow Us