YouTube
ସମ୍ବଲପୁର : ଯୌତୁକ ନିର୍ଯାତନା ସହ୍ୟ କରିନପାରି ନବବଧୂଙ୍କ ଆତ୍ମହତ୍ୟା। ମୃତକଜଣଙ୍କ ହେଉଛନ୍ତି ଅଇଁଠାପାଲି ଥାନା ବହିଦାରନୂଆପାଲିର ତୋଫାନ୍ ନାଏକଙ୍କ ପତ୍ନୀ ପୁନମ୍ ବରୀ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ଭାରତୀୟ ଦଣ୍ଡବିଧି ଧାରା ୪୯୮(କ), ୩୦୬, ୩୪ରେ ଏକ ମାମଲା ରୁଜୁ କରି ସ୍ବାମୀ ତୋଫାନ୍ ନାଏକ, ଶ୍ବଶୂର ମୁକୁନ୍ଦ ନାଏକ ଓ ଶାଶୂଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁସାରେ, ଚଳିତ ବର୍ଷ ଫେବ୍ରୁଆରି ୧୪ ତାରିଖରେ ମୟୁରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ବଡ଼ଡାଲିମା ଗ୍ରାମର ରାଜେନ୍ଦ୍ର ବରୀଙ୍କ ଝିଅ ପୁନମଙ୍କୁ ତୋଫାନ୍ ବିବାହ କରିଥିଲେ। ମାତ୍ର ବିବାହ ପରଠାରୁ ତୋଫାନ୍ ସ୍ତ୍ରୀ ପୁନମ୍ଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଥିଲା। ଗତ ୧୨ ତାରିଖ ରାତିରେ ପୁନମ୍ ଶୋଇବା ଘର ସିଲିଂ ଫ୍ୟାନ୍ରେ ଓଢଣୀ ଦେଇ ଝୁଲିପଡ଼ିଥିଲେ। ଏନେଇ ତୋଫାନ୍ ଅଭିଯୋଗ କରିବା ପରେ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ତେବେ ଏହା ପରଦିନ ପୁନମଙ୍କ ବାପା ଅଇଁଠାପାଲି ଥାନାରେ ତାଙ୍କ ଝିଅକୁ ତଣ୍ଟିଚିପି ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ଏନେଇ ପୁଲିସ୍ ଅପମୃତ୍ୟୁ ମାମଲାକୁ ହତ୍ୟା ମାମଲାରେ ରୂପାନ୍ତରିତ କରିଥିଲା। ତେବେ ବୁଧବାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଥିଲା। କିନ୍ତୁ ମୃତ୍ୟୁ ପୂର୍ବରୁ ତାଙ୍କୁ ନିର୍ଯାତନା ଦିଆଯାଇଥିବା ନେଇ ପୁଲିସ୍କୁ ପ୍ରମାଣ ମିଳିବା ପରେ ପୁଣି ଘଟଣା ନୂଆମୋଡ଼ ନେଇଥିଲା।
Follow Us