ସମ୍ବାଦ ପ୍ରଭାବ: ଫସଲ ବୀମା ଯୋଜନା ଦୁର୍ନୀତିର ତଦନ୍ତ ଆରମ୍ଭ

Advertisment

କୃଷି ବିଭାଗ-ବୀମା କମ୍ପାନି ଦୋଷ ଲଦାଲଦି

କୃଷି ବିଭାଗ-ବୀମା କମ୍ପାନି ଦୋଷ ଲଦାଲଦି

ସମ୍ବାଦ ପ୍ରଭାବ: ଫସଲ ବୀମା ଯୋଜନା ଦୁର୍ନୀତିର ତଦନ୍ତ ଆରମ୍ଭ

123RF

ବଲାଙ୍ଗୀର: ଫସଲ ବୀମା ଯୋଜନାରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ‘ସମ୍ବାଦ’ରେ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପରେ କୃଷି ବିଭାଗ ଏହାକୁ ଗୁରୁତ୍ବର ସହ ଗ୍ରହଣ କରିଛି। ବିଭାଗର ଅଧିକାରୀମାନେ ସଇନ୍ତଳା ଓ ଟିଟିଲାଗଡ଼କୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ପୂରା ଦୁର୍ନୀତିରେ ତଳଠାରୁ ଉପର ଯାଏ ଅନେକ ବଡ଼ବଡ଼ିଆ ସାମିଲ୍‌ ଥିବାନେଇ ଚର୍ଚ୍ଚା ହେଉଥିବାବେଳେ ଏହି ତଦନ୍ତ କିଭଳି ରହସ୍ୟ ଉନ୍ମୋଚନ କରୁଛି, ତାହା ଦେଖିବାକୁ ବାକିରହିଲା। ତେବେ, ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ସାମ୍‌ନାକୁ ଆସିବ କ୍ଷତିଗ୍ରସ୍ତ ଚାଷୀ କହିଛନ୍ତି।

ବଲାଙ୍ଗୀର ଜିଲ୍ଲାରେ ୨୦୧୯ ଖରିଫ ଋତୁରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରୋୟଲ ସୁନ୍ଦରମ କମ୍ପାନିରେ ବୀମା କରାଇଥିଲେ। ୨୦୧୯ ବର୍ଷ ମରୁଡ଼ି ସ୍ଥିତି ହେବାପରେ ଚାଷୀଙ୍କୁ ୨୦୨୦ ମସିହାରେ କମ୍ପାନି ଆକାଉଣ୍ଟ ଜରିଆରେ ଟଙ୍କା ପ୍ରଦାନ କରିଥିଲା। ହେଲେ ପ୍ରାୟ ୨୦ ହଜାର ଚାଷୀଙ୍କ ଟଙ୍କା ଆକାଉଣ୍ଟ ନମ୍ବର ଭୁଲ ଏବଂ ବ୍ୟାଙ୍କ ଗୁଡ଼ିକର ମିଶ୍ରଣ ହେବା କାରଣରୁ ଟଙ୍କା ପଡ଼ିପାରିନଥିଲା। ସେମାନଙ୍କ ତାଲିକାକୁ ଠିକ୍‌ କରି କୃଷି ବିଭାଗ ୨୦୨୧ ବର୍ଷ ପର୍ଯ୍ୟାୟକ୍ରମେ ପଠାଇଥିଲା। ଯାହାଙ୍କ ଆକାଉଣ୍ଟ ନମ୍ବର କୃଷି କାର୍ଯ୍ୟାଳୟରୁ କମ୍ପାନିକୁ ଯାଉଥିଲା, ସେହି ଚାଷୀ ଟଙ୍କା ପାଉଥିଲେ।

ଆଉ ଟଙ୍କା ପାଇ ନଥିବା ଚାଷୀଙ୍କ ତାଲିକା ଧରି ଗାଁ ଗାଁ ବୁଲିଥିଲେ ଦଲାଲ। ଅଧା ଟଙ୍କା ଯେଉଁ ଚାଷୀ ଦେବାକୁ ରାଜି ହେଲେ, ସେମାନଙ୍କ ଟଙ୍କା ତାଙ୍କ ଆକାଉଣ୍ଟରେ ପଡୁଥିଲା। ତେଣୁ ଦଲାଲ ସବୁ ବ୍ଲକ୍‌ରେ କାୟା ବିସ୍ତାର କରିଥିଲେ। କୃଷି ଅଧିକାରୀ ଓ ବୀମା କମ୍ପାନିକୁ ହାତ କରି ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଜମା କରି ଅଧା ଟଙ୍କା ଲୁଟ୍‌ ହେଉଥିଲା। ସଇନ୍ତଲା ବ୍ଲକ୍‌ ଚିତ୍ର ସାମ୍ନାକୁ ଆସିବା ପରେ ଜିଲ୍ଲାର ବେଲପଡା, ଆଗଲପୁର ବ୍ଲକ୍‌ରେ ମଧ୍ୟ ଏଭଳି ବଡ଼ଧରଣର ହେରଫେର ହୋଇଥିବା ନେଇ ବି ଅଭିଯୋଗ ଆସିଛି। ଅନେକ ଚାଷୀଙ୍କ ଅଜାଣତରେ ବ୍ୟାଙ୍କକୁ ହାତକରି ଅନ୍ୟ ଆକାଉଣ୍ଟ ନମ୍ବରରେ ବି ଟଙ୍କା ହଡ଼ପ କରିଛନ୍ତି ଦଲାଲ ଓ ଅଧିକାରୀ, ଯାହାକି ସଇନ୍ତଲା ବ୍ଲକ ଅଂଚଳର ଚାଷୀଙ୍କ କ୍ଷେତ୍ରରେ ହୋଇଛି। ‘ଗ୍ରାଉଣ୍ଡ ଜିରୋ’ର ତଥ୍ୟ ଲୋକଲୋଚନକୁ ଆସିବାପରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି। ଆଜି ଜିଲ୍ଲା କୃଷି ମୁଖ୍ୟ ଅଧିକାରୀ ସାରଦା ପ୍ରସାଦ ମିଶ୍ର ତଦନ୍ତ ପାଇଁ ସଇନ୍ତଲା ଓ ଟିଟିଲାଗଡ଼ ଗସ୍ତ କରି ସବିଶେଷ ଫାଇଲପତ୍ର ଯାଞ୍ଚ କରିଛନ୍ତି।

ଏବେ ସବୁ ଦୁର୍ନୀତି ପଛରେ ବୀମା କମ୍ପାନିର ହାତ ଥିବା କୃଷି ବିଭାଗ କହୁଥିବା ବେଳେ ବୀମା କମ୍ପାନି କହୁଛି ସାର୍ଟିଫାଏଡ କପି କୃଷି ବିଭାଗ ଅଧିକାରୀ ଦେବା ପରେ ଟଙ୍କା ଦିଆଯାଉଛି। ଏଭଳି ଦୋଷ ଲଦାଲଦି ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe