Breaking news Photograph: (sambad.in)
ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
-
Dec 16, 2025 23:04 IST
ଧଉଳି ଗଣଦୁଷ୍କର୍ମ ମାମଲା: ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ
ଭୁବନେଶ୍ବର: ବହୁଚର୍ଚ୍ଚିତ ଧଉଳି ଗଣଦୁଷ୍କର୍ମ ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରାଯାଇଛି। ଏହି ମାମଲାର ତଦନ୍ତ କରିବ କ୍ରାଇମ୍ବ୍ରାଞ୍ଚ। ସୂଚନାଯୋଗ୍ୟ, ଗତ ୧୦ ତାରିଖ ଦିନ ବାଙ୍କୁଆଳ ନଦୀପଠାରେ ଏହି ଦୁଷ୍କର୍ମ ମାମଲା ଘଟିଥିଲା। ମାମଲା ସହିତ ୨ ଜଣ ଅଭିଯୁକ୍ତଙ୍କୁ କମିସନରେଟ୍ ପୁଲିସ ଗିରଫ କରିଛି। ଅନ୍ୟ ଜଣେ ଫେରାର ଅଛି।
-
Dec 16, 2025 22:28 IST
ବାରିପଦା ସୂତା କଳ ପୁନଃ କାର୍ଯ୍ୟକାରୀ ଦାବି କଲେ ସାଂସଦ
ବାରିପଦା/ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଦୀର୍ଘ ବର୍ଷରୁ ଅଚଳ ଥିବା ସୂତା କାରଖାନାକୁ ପୁନଃ କାର୍ଯ୍ୟକାରୀ ପାଇଁ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ୍ ସିଂଙ୍କୁ ଦାବିକଲେ ଲୋକସଭା ସାଂସଦ ନବଚରଣ ମାଝୀ। ବାରିପଦା ଠାରେ ପୂର୍ବରୁ ଏକ ସୂତାକଳ ଥିଲା। ଉକ୍ତ ସୂତାକଳରେ ୨୦ ହଜାରରୁ ଊର୍ଦ୍ଧ୍ବ ଲୋକ ଜୀଵନ ଜୀବିକା ନିର୍ଭର କରୁଥିଲା।
Mayurbhanj MP Naba Charan Majhi meets Union Minister Gririraj Singh. Photograph: (sambad.in) ତେବେ ଦୀର୍ଘ ବର୍ଷ ହେବ ସୂତାକଳଟି ବନ୍ଦ ଥିବାରୁ ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଶ୍ରମିକମାନେ ବେରୋଜଗାର ହୋଇ ବସିଛନ୍ତି। ତାହାକୁ ଦୃଷ୍ଟିରେ ରଖି ଆଜି ସାଂସଦ ଶ୍ରୀ ମାଝୀ ଦିଲ୍ଲୀଠାରେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ୍ ସିଂଙ୍କୁ ଭେଟି ଉକ୍ତ କାରଖାନାକୁ ପୁନଃ କାର୍ଯ୍ୟକାରୀ କରାଯାଉ ବୋଲି ଲିଖିତ ଭାବେ ଦାବି କରିଛନ୍ତି। ଉକ୍ତ କାରଖାନା ପୁନଃ କାର୍ଯ୍ୟକାରୀ ହେଲେ ମୟୂରଭଂଜ ଜିଲ୍ଲାର ବହୁ ବେକାର ଯୁବକ ଯୁବତୀ ନିଯୁକ୍ତି ପାଇବେ ବୋଲି କହିଛନ୍ତି।
-
Dec 16, 2025 21:04 IST
ସମ୍ବଲପୁରରୁ ୬ ଶିଶୁ ଶ୍ରମିକ ଉଦ୍ଧାର
ସମ୍ବଲପୁର (ଜିତେନ୍ଦ୍ର ଦାଶ): କଡା ଆଇନ୍ ଓ ସଚେତନତା ସତ୍ତ୍ୱେ ଦେଶରେ କମୁନି ଶିଶୁ ଶ୍ରମିକ ପ୍ରଥା। ପାଠ ପଢିବା ବୟସରେ ଦାଦନ ଖଟୁଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଦିନ ସମ୍ବଲପୁର ଆରପିଏଫ୍ ପୁଲିସ ପକ୍ଷରୁ ଟ୍ରେନ ନଂ ୧୮୧୮୯ ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ଚଢଉ କରାଯାଇ ୬ଜଣ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଛି। ଏହି ଶିଶୁ ଶ୍ରମିକମାନଙ୍କ ମଧ୍ୟରେ ୩ ଜଣ ପୁଅ ଓ ୩ ଜଣ ଝିଅ ରହିଥିବା ସୂଚନା ମିଳିଛି। ଏହି ଶିଶୁ ମାନେ ଝାଡ଼ଖଣ୍ତ ଟାଟାନଗର ଟ୍ରେନରେ ବସି ହାଇଦାରବାଦ ବିଜୟୱାଡାକୁ ଯାଉଥିଲେ। ସେମାନେ ବିଜୟୱାଡାର ଏକ କମ୍ପାନିରେ କାମ କରିବା ପାଇଁ ଯାଉଥିବା ସୂଚନା ରହିଛି। ଏମାନେ ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ଆସୁଥିବା ନେଇ ପୂର୍ବରୁ ଆରପିଏଫ୍ ପୁଲିସ ଖବର ମିଳିଥିଲା। ଯୋଜନା ମୁତାବକ ଆରପିଏଫ୍ ପୁଲିସ କ୍ଷେତରାଜପୁର ରେଳ ଷ୍ଟେସନରେ ଗାଡ଼ି ଅଟକିବା ପରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ୬ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ଏମାନଙ୍କୁ ପଚରାଉଚରା ପରେ କିଏ ଏମାଙ୍କୁ ନେଇ କିଏ ଆସିଥିଲା ତାହାର ତଦନ୍ତ ଚାଲୁଥିବା ଜଣାପଡ଼ିଛି। ଉଦ୍ଧାର ହେଉଥିବା ଶିଶୁମାନଙ୍କୁ ସିଡବ୍ଲୁସି ଅଧିକାରୀଙ୍କ ନିକଟରେ ହସ୍ତାନ୍ତର କରାଯିବ।
-
Dec 16, 2025 20:37 IST
ପୂର୍ବତନ ରାଜସ୍ବ ନିରୀକ୍ଷକଙ୍କୁ ୩ ବର୍ଷ କାରାଦଣ୍ତ
ସୁନ୍ଦରଗଡ଼: ଏକ ଲାଞ୍ଚ ମାମଲାର ବିଚାର କରି ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଆଜି ରାଜଗାଙ୍ଗପୁର ତହସିଲ ମାଳିଡିହିର ପୂର୍ବତନ ରାଜସ୍ବ ନିରୀକ୍ଷକ ମାନସୀ ସାହୁଙ୍କୁ ୩ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦାୟେ କାରାଦଣ୍ଡ ଅଧିକ ୨ ମାସ ବୃଦ୍ଧି ହେବ ବୋଲି ବିଚାରପତି ରାୟରେ ଉଲ୍ଲେଖ କରିଛନ୍ତି। ଅଧୁନା ରାଉରକେଲା ତହସିଲର ରାଜସ୍ବ ନିରୀକ୍ଷକ ଭାବେ ଅବସ୍ଥାପିତ ମାନସୀ ସାହୁ ୨୦୧୯ରେ ମାଳିଡିହିରେ ଥିବା ବେଳେ ସେହି ଗ୍ରାମର ସୁଦୀପ ଟପ୍ପୋ ନାମକ ଜଣେ ବ୍ୟକ୍ତିଙ୍କ ଜମି ଦାଖଲ ଖାରଜ ରିପୋର୍ଟ ଦେବାକୁ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ସୁଦୀପ ସୁନ୍ଦରଗଡ଼ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ୨୭.୩.୨୦୧୯ରେ ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ମାନସୀ ଧରିବାକୁ ଜାଲ୍ ବିଛାଇଥିଲା।
ସୁଦୀପଙ୍କ ଠାରୁ ଶ୍ରୀମତୀ ସାହୁ ରାସାୟନିକ ପ୍ରଲେପ ଦିଆ ୮ ହଜାର ଟଙ୍କା ନେଲାବେଳେ ପୂର୍ବରୁ ସେଠାରେ ଛକିଥିବା ଭିଜିଲାନ୍ସ ଟିମ୍ ମାଡ଼ି ବାସି ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲା। ମାମଲାରେ ବିଚାର ଚାଲିଥିବା ବେଳେ ଭିଜିଲାନ୍ସର ଚୂଡ଼ାନ୍ତ ତଦନ୍ତ ରିପୋର୍ଟ ଆଧାରରେ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଦଣ୍ଡାଦେଶ କରିଛନ୍ତି। ପୂର୍ବତନ ସୁନ୍ଦରଗଡ଼ ଭିଜିଲାନ୍ସ ନିରୀକ୍ଷକ କାଶୀନାଥ କୁଜୁର ମାମଲାର ତଦନ୍ତ କରିଥିବାବେଳେ ସ୍ବତନ୍ତ୍ର ଭିଜିଲାନ୍ସ ଜନ ଅଭିଯୋଜକ (ପିପି) ଶ୍ୟାମ ସୁନ୍ଦର ମିଶ୍ର ପରିଚାଳନା କରିଥିଲେ। ସ୍ବତନ୍ତ୍ର ଜନ ଅଭିଯୋଜକ ଉଦିତ ବଟୁଶର୍ମା, ସହକାରୀ ଜନ ଅଭିଯୋଜକ ସନ୍ଦୀପ ପଣ୍ଡା ସହଯୋଗ କରିଥିଲେ।
-
Dec 16, 2025 19:52 IST
ବେକରେ ରଶି ଲଗାଇ ଜୀବନ ହାରିଲେ ଯୁବତୀ, ନାବାଳକ
ରାଇରଙ୍ଗପୁର/ଗୋରୁ/ଜାମଦା: ମୟୂରଭଞ୍ଜ ଜିଲ୍ଲାର ପୃଥକ୍ ପୃଥକ୍ ସ୍ଥାନରେ ବେକରେ ରଶି ଲଗାଇ ଜଣେ ଯୁବତୀ ଓ ଜଣେ ନାବାଳକ ଜୀବନ ହାରିଥିବା ଅଭିଯୋଗ ହୋଇଛି। ଗୋରୁମହିଷାଣି ଥାନା ଅନ୍ତର୍ଗତ କୁଲଡିହା ଗ୍ରାମର ଅନନ୍ତ ହାଁସଦାଙ୍କ ପୁଅ ରଣଜିତ ହାଁସଦା(୧୩)ଙ୍କ ଗତକାଲି ସନ୍ଧ୍ୟାରେ ନିଜ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ। ପରିବାର ଲୋକେ ସଙ୍ଗେସଙ୍ଗେ ସେ ସମ୍ପର୍କରେ ଗୋରୁମହିଷାଣି ଥାନାକୁ ସୂଚନା ଦେଇଥିଲେ। ଘଟଣାସ୍ଥଳକୁ ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ତେବେ ସପ୍ତମ ଶ୍ରେଣୀରେ ପାଠପଢୁଥିବା ରଣଜିତ କାହିଁକି ଜୀବନ ହାରିଲେ ନା ତାଙ୍କୁ କେହି ହତ୍ୟା କରି ଝୁଲାଇ ଦିଆଯାଇଛି ତାହା ପୁଲିସ ତଦନ୍ତ ଜାରି ରଖିଛି। ଏନେଇ ଗୋରୁମହିଷାଣି ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ ହୋଇଛି।
ଜାମଦା ଥାନା ଅନ୍ତର୍ଗତ ଜାରକାଣି ଗ୍ରା.ପର ରୁଗୁଡ଼ିହି ଗ୍ରାମର ବଇଦୁ ପାତ୍ରଙ୍କ ଝିଅ ସୀମା ପାତ୍ର (୨୨) ଗତକାଲି ଘରେ ଏକୁଟିଆ ଥିବା ସମୟରେ ଘର ଭିତରୁ କବାଟ ବନ୍ଦ କରି ଜୀବନ ହାରିଥିବା ଅଭିଯୋଗ ହୋଇଛି। ପରିବାର ଲୋକେ କବାଟ ଭାଙ୍ଗିବା ପରେ ଦେଖିବାକୁ ପାଇଲେ ଯେ ତାଙ୍କ ଝିଅ ସୀମା ଘରର ଏକ ଉରାରେ ଓଢଣି ସାହାଯ୍ୟରେ ଝୁଲୁଥିଲା। ପରିବାର ଲୋକେ ଜାମଦା ଥାନାରେ ଖବର ଦେବା ପରେ ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁରକୁ ପଠାଇଥିଲେ। ତେବେ ଘଟଣା ସଂପର୍କରେ କାରଣ ଜଣା ପଡ଼ିନାହିଁ। ଉଭୟ ଶବକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। -
Dec 16, 2025 18:38 IST
ବେଆଇନ ଚୋରାଚାଲଣ ବେଳେ ୩୨ କୁଇଣ୍ଟାଲ ଧାନ ଜବତ
କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜୈନିକ ବ୍ୟବସାୟୀ ନିଜ ପିକ୍ଅପ୍ ୪୦୭ ଗାଡିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡା ପୁଲିସ ହାବୁଡରେ ପଡ଼ିଥିଲା। ରିଷିଡ଼ା ଫାଣ୍ଡିଧିକାରୀ ମନୁଆ ବିଡ଼ିକା ଉକ୍ତ ଗାଡ଼ିକୁ ଜବତ କରି ଯୋଗାଣ ବିଭାଗକୁ ଖବର ଦେଇଥିଲେ।
Paddy loaded pickup seized in Kalahandi district. Photograph: (sambad.in) ଖବର ପାଇ ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ସୋନାଲି ଖରା, ଭବାନୀପାଟଣା ମ୍ୟୁନସିପାଲଟିର ସହକାରୀ ଯୋଗାଣ ଅଧିକାରୀ ପ୍ରତିଭା ପ୍ରଧାନ, କର୍ଲାମୁଣ୍ଡା ଯୋଗଣ ନିରୀକ୍ଷକ ସ୍ମୃତିରଞ୍ଜନ ଜେନା, ନର୍ଲା ଯୋଗାଣ ନିରୀକ୍ଷକ ପ୍ରଶାନ୍ତ ଶ୍ରୀଚନ୍ଦନଙ୍କୁ ନେଇ ଯୋଗାଣ ବିଭାଗର ଟିମ ପହଞ୍ଚି ଗାଡ଼ି (ଓଡିଜିରୋତିନିଡି ୨୭୮୫) ଓ ସେଠାରେ ଥିବା ୩୨ କୁଇଣ୍ଟାଲ ୬୮ କେଜି ଧାନ ଜବତ କରିଥିଲେ। ଜବତ ଗାଡି ଓ ଧାନ ନିକଟସ୍ଥ ଲକ୍ଷ୍ମୀନାରାୟଣ ରାଇସମିଲ, ଗଜବାହାଲରେ ରଖାଯାଇଥିବା ଜଣାଯାଇଛି। ଅଞ୍ଚଳରେ ବର୍ତ୍ତମାନ ଧାମବେପାରୀ ମାନେ ସକ୍ରିୟ ଥିବାବେଳେ ରିଷିଡା ପୁଲିସର ଅଚାନକ ଚଢାଉ ନେଇ ସେହି ବେପାରୀ ମହଲରେ କୋକୁଆଭୟ ସୃଷ୍ଟି ହୋଇଚି। ଜବତ ଗାଡ଼ିର ମାଲିକ ଅବୁଜବାହାଲ ଗ୍ରାମର ହରେକୃଷ୍ଣ ସାହୁ ବୋଲି ସୂଚନା ମିଳିଛି।
ରିପୋର୍ଟ: ଭଜଶ୍ୟାମ ସାହୁ
-
Dec 16, 2025 18:12 IST
ଆତ୍ମସମର୍ପଣ କଲେ ୩୪ ମାଓବାଦୀ
- ସୁରକ୍ଷା ବାହିନୀକୁ ପୁଣି ଏକ ବଡ଼ ସଫଳତା
- ଆତ୍ମସମର୍ପଣ କଲେ ୩୪ ମାଓବାଦୀ
- ଛତିଶଗଡ଼ରେ ଭୁଶୁଡୁଛି ମାଓଦୁର୍ଗ
- ବିଜାପୁର ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ
- ମାଓବାଦୀଙ୍କ ନାମରେ ଥିଲା ୮୪ଲକ୍ଷ ଟଙ୍କା ପୁରସ୍କାର
- ବିଜାପୁର ଏସ୍ପିଙ୍କ ସୂଚନା
-
Dec 16, 2025 17:23 IST
ଛାତ୍ରବାସରେ ଛାତ୍ରର ମୃତ୍ୟୁ
ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଚାରଭଟାସ୍ଥିତ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ଆର୍ଯ୍ୟାନ୍ ସୁନାଙ୍କ ବିଦ୍ୟାଳୟର ଛାତ୍ରବାସରେ ସନ୍ଦେହଜନକ ମୃତ୍ୟୁ ଘଟିଛି। ଆର୍ଯ୍ୟାନ୍କୁ ପ୍ରଥମେ ଚାରଭଟା ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା। ଡାକ୍ତର ତାକୁ ସେଠାରେ ମୃତ ଘୋଷଣା କରିଥିଲେ। ସେ ଡୁଙ୍ଗୁରିପାଲି ବ୍ଲକର ବାସିନ୍ଦା ବୋଲି ଜଣାଯାଇଛି। ଅଭିଭାବକଙ୍କୁ ଖବର ଦିଆ ଯାଇଛି ଓ ତାଙ୍କ ଅପେକ୍ଷା କରାଯାଇଛି। ତରଭା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନଯାଇ ଶବ ବ୍ୟବଚ୍ଛେଦ କରାଯିବା ସୂଚନା ରହିଛି। ମୃତ୍ୟୁର କାରଣ ଜଣାପଡ଼ିନାହିଁ।
-
Dec 16, 2025 15:35 IST
ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ସ୍ପର୍ଶକାତର: ନବୀନ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଛାତି ଉପରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଏବଂ ବିଚଳିତ କରିଦେବା ପରି ବିଷୟ। ବର୍ବରତା ଓ ଅରାଜକତା ସୀମା ଟପୁଛି, ରାଜ୍ୟ ରାଜଧାନୀ ଅସୁରକ୍ଷିତ ହେଉଛି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଭୟଶୂନ୍ୟ ହେଉଛନ୍ତି ଅପରାଧୀ, ବିଶ୍ୱସନୀୟତା ହରାଉଛି ସରକାର। ଆଇନଶୃଙ୍ଖଳା କେତେ ଆଉ ବିପର୍ଯ୍ୟସ୍ତ ହେଲେ ସରକାର ସଜାଗ ହେବେ? ଅପରାଧ ରୋକିବା ଦିଗରେ ସରକାରଙ୍କ ଅସମର୍ଥତା ସାଧାରଣ ଜନତାଙ୍କୁ ଭୟଭୀତ କରୁଛି। ରାଜଧାନୀରେ ମହିଳାଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରି ନ ପାରିବା ବିଜେପି ସରକାରର ଅପାରଗତା ଓ ସମ୍ବେଦନହୀନ ଆଚରଣକୁ ଦର୍ଶାଉଛି। ମହିଳାଙ୍କ ସୁରକ୍ଷା ସହ ଅପରାଧ ପ୍ରବଣତାକୁ ରୋକିବା ପାଇଁ ସରକାର କଠୋର ପଦକ୍ଷେପ ନିଅନ୍ତୁ। ଘଟଣା ଘଟିବା ପରେ ନୁହେଁ, ପୂର୍ବରୁ ଏହାକୁ ରୋକିବା ଦିଗରେ ସରକାର ତତ୍ପର ହୁଅନ୍ତୁ।
Naveen bothers about death of college girl Photograph: (sambad.in) -
Dec 16, 2025 15:06 IST
IPL 2026: ସବୁଠୁ ମହଙ୍ଗା ଖେଳାଳି ହେଲେ କ୍ୟାମେରୁନ ଗ୍ରୀନ୍
ନୂଆଦିଲ୍ଲୀ: ଅଷ୍ଟ୍ରେଲୀୟ ଅଲରାଉଣ୍ଡର କ୍ୟାମେରୁନ ଗ୍ରୀନ୍ ଏବେ IPL ଇତିହାସର ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି ହୋଇଛନ୍ତି। ନିଲାମରେ କୋଲକାତା ନାଇଟ୍ ରାଇଡର୍ସ, ଗ୍ରୀନ୍ଙ୍କୁ ୨୫ କୋଟିରେ କିଣିଛି।ତେବେ ନୂତନ ନିୟମ ଅନୁଯାୟୀ, ଗ୍ରୀନ୍ କେବଳ ୧୮ କୋଟି ପାଇବେ। ବାକି ରାଶି ଖେଳାଳି କଲ୍ୟାଣ ପାଣ୍ଠିକୁ ଯିବ।
-
Dec 16, 2025 14:59 IST
Goa Night Club Fire: ଥାଇଲାଣ୍ଡରୁ ଦିଲ୍ଲୀ ଆସିଲେ ଲୁଥ୍ରା ବ୍ରଦର୍ସ, ଗିରଫ କଲା ପୁଲିସ
ନୂଆଦିଲ୍ଲୀ: ଥାଇଲାଣ୍ଡରୁ ଦିଲ୍ଲୀ ଆସିଲେ ଲୁଥ୍ରା ବ୍ରଦର୍ସ। ଗିରଫ କଲା ପୁଲିସ। ଗୋଆ ଅଗ୍ନିକାଣ୍ଡ ଘଟଣାର ଅଭିଯୁକ୍ତ ଏବଂ ନାଇଟ୍ କ୍ଲବ୍ ସହ-ମାଲିକ ଗୌରବ ଲୁଥ୍ରା ଏବଂ ସୌରଭ ଲୁଥ୍ରାଙ୍କୁ ଆଜି ଥାଇଲାଣ୍ଡରୁ ଭାରତ ଅଣାଯାଇଛି।ଇଣ୍ଡିଗୋ ବିମାନ ଯୋଗେ ସେମାନେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛନ୍ତି। ଗିରଫ ପରେ ଏବେ ଦୁହିଁଙ୍କ ଡାକ୍ତରୀ ପରୀକ୍ଷା କରାଯିବ ଏବଂ ପଟିଆଲା ହାଉସ କୋର୍ଟରେ ହାଜର କରାଯିବ, ଯେଉଁଠାରେ ୨୪ ଘଣ୍ଟାର ଟ୍ରାଞ୍ଜିଟ୍ ରିମାଣ୍ଡ ଲୋଡାଯିବ।
-
Dec 16, 2025 13:38 IST
କଡ଼ା ସୁରକ୍ଷା ବଳୟ ଭିତରେ ଓଟିଇଟି ପ୍ରଶ୍ନପତ୍ର
କାଶୀନଗର: କାଶୀନଗର ଠାରେ ଥିବା ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଶିକ୍ଷକତା ପେସା କରିବା ପାଇଁ ଆସନ୍ତା କାଲି ବୁଧବାର ଦିନ ହେଉଥିବା ଯୋଗ୍ୟତା ପରୀକ୍ଷା ନିମନ୍ତେ ଏଠାରେ ପରୀକ୍ଷା ସେଣ୍ଟର ହୋଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆର. ଦିଲୀପ କୁମାର ଆସନ୍ତା କାଲି ହେବାକୁ ଥିବା ଓଟିଇଟି ପରୀକ୍ଷା ପାଇଁ ସବୁ ପ୍ରସ୍ତୁତି ସରିଛି ବୋଲି କହିଥିଲେ। ବିଦ୍ୟାଳୟ ମଧ୍ୟରେ ପ୍ରଶ୍ନପତ୍ର ତଥା ଏହାର ଅନୁସଙ୍ଗିକ ମେଟାରିଏଲ ସବୁ କଡ଼ା ସୁରକ୍ଷାର ସହିତ ଏକ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶ କ୍ରମେ ସ୍ଥାନୀୟ ଥାନା ଅଧିକାରୀ ସୁନୀଲ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୁଲିସ ଏଠାରେ ଦିବା ରାତ୍ରି ମୁତୟନ ରହି ପ୍ରଶ୍ନ ପତ୍ରକୁ କଡ଼ା ସୁରକ୍ଷା ଦେଉଛନ୍ତି।
Breaking news Photograph: (sambad.in) -
Dec 16, 2025 13:30 IST
ଦୁର୍ଘଟଣାରେ ‘ସମ୍ବାଦ’ର ସାମ୍ବାଦିକ ସନ୍ତୋଷ ଶୁକ୍ଲା ଆହତ
ସମ୍ବଲପୁର: ବାମରା ନିବାସୀ ‘ସମ୍ବାଦ’ର ସାମ୍ବାଦିକ ସନ୍ତୋଷ ଶୁକ୍ଲା ମିଶନ ଛକରୁ ସୁନ୍ଦରଗଡ ସରକାରୀ ଡାକ୍ତରଖାନା (DHH) ଆଡକୁ ଚାଲି ଚାଲି ଯିବା ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ଧକ୍କା ଦେଇ ଚାଲିଗଲା, ଯାହାଦ୍ୱାରା ସନ୍ତୋଷ ଶୁକ୍ଲା ରାସ୍ତା ଉପରେ ଛିଟିକି ପଡ଼ି ଅଚେତ ହୋଇ ପଡିଥିଲେ। ସାଙ୍ଗରେ ତାଙ୍କର ସ୍ତ୍ରୀ ମଧ୍ୟ ଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ତାଙ୍କୁ ସୁନ୍ଦରଗଡ଼ ଶଙ୍କରା ସ୍ଥିତ ଏନଟିପିସି ହସ୍ପିଟାଲରେ ଭର୍ତ୍ତି କଲେ। ବାମ ଆଣ୍ଠୁରେ ଗଭୀର ଆଘାତ ଲାଗିଛି । ଚିକିତ୍ସା ଚାଲିଛି, ସେ ବିପଦମୁକ୍ତ ଅଛନ୍ତି |
Breaking news Photograph: (sambad.in) -
Dec 16, 2025 12:34 IST
ଇତିହାସ ରଚିଲେ ଏଲନ ମସ୍କ, ୫୪ଲକ୍ଷ କୋଟିରୁ ଅଧିକ ହେଲା ସମ୍ପତ୍ତି
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଇତିହାସ ରଚିଛନ୍ତି। ସେ ବିଶ୍ୱର ପ୍ରଥମ ବ୍ୟକ୍ତି ହୋଇଛନ୍ତି ଯାହାଙ୍କ ମୋଟ ସମ୍ପତ୍ତି ୬୦୦ ବିଲିୟନ (ପ୍ରାୟ ୫୪ ଲକ୍ଷ କୋଟି ଟଙ୍କା) ଡଲାର ଅତିକ୍ରମ କରିଛି। ଗତ ୨୪ଘଣ୍ଟା ମଧ୍ୟରେ ତାଙ୍କର ସମ୍ପତ୍ତି ୧୬୭ ବିଲିୟନ ଡଲାର ବୃଦ୍ଧି ପାଇଛି। ମସ୍କଙ୍କ ସମ୍ପତ୍ତିରେ ଏହି ଆଶ୍ଚର୍ଯ୍ୟଜନକ ବୃଦ୍ଧି ତାଙ୍କ ରକେଟ ନିର୍ମାଣକାରୀ କମ୍ପାନି ସ୍ପେସଏକ୍ସର ବର୍ଦ୍ଧିତ ମୂଲ୍ୟ ଯୋଗୁଁ ହୋଇଛି। ଏହି କାରଣରୁ ସେ ବିଶ୍ୱର ଅନ୍ୟ ସମସ୍ତ କୋଟିପତିଙ୍କୁ ପଛରେ ପକାଇ ଦେଇଛନ୍ତି। ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତିଠାରୁ ମସ୍କ ଚଳିତ ବର୍ଷର ଅଧିକ ଆୟ କରିଛନ୍ତି।
-
Dec 16, 2025 11:34 IST
ଆଇପିଏଲ୍-୨୦୨୬ ଖେଳିବେ ଦୁଇ ଓଡ଼ିଆ ଖେଳାଳି!
ଭୁବନେଶ୍ବର: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସଂସ୍କରଣ ପାଇଁ ଦୁଇ ଜଣ ଓଡ଼ିଆ ଯୁବ କ୍ରିକେଟରଙ୍କୁ ସୁଯୋଗ ମିଳିପାରେ। ଆଜି ଆବୁଧାବିରେ ଆୟୋଜନ ହେବାକୁ ଥିବା ଆଇପିଏଲ୍-୨୦୨୬ ନିଲାମୀ ପ୍ରକ୍ରିୟାରେ ଓଡ଼ିଆ ଖେଳାଳି ରାଜେଶ ମହାନ୍ତି ଓ ସ୍ବସ୍ତିକ ସାମଲଙ୍କୁ ସାମିଲ କରାଯାଇଛି। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପକ୍ଷରୁ କୁହାଯାଇଛି ୨ ଜଣ ଓଡ଼ିଆଙ୍କ ସମେତ ମୋଟ ୧୯ ଜଣଙ୍କୁ ସାମିଲ କରାଯାଇଛି। ଏଥି ସହିତ ଆଇପିଏଲ-୨୦୨୬ରେ ମୋଟ ୩୬୯ ଖେଳାଳିକୁ ସାମିଲ କରାଯାଇଛି।
-
Dec 16, 2025 11:25 IST
Goa Night Club Fire: ଆଜି ଭାରତ ଫେରିବେ ଲଥ୍ରା ବ୍ରଦର୍ସ, ଡାକ୍ତରୀ ପରୀକ୍ଷା ପରେ କୋର୍ଟରେ ହାଜର ହେବେ ଗୋଆ ଅଗ୍ନିକାଣ୍ଡର ୨ଅଭିଯୁକ୍ତ
ନୂଆଦିଲ୍ଲୀ: ଗୋଆ ଅଗ୍ନିକାଣ୍ଡ ଘଟଣାର ଅଭିଯୁକ୍ତ ଏବଂ ନାଇଟ୍ କ୍ଲବ୍ ସହ-ମାଲିକ ଗୌରବ ଲୁଥ୍ରା ଏବଂ ସୌରଭ ଲୁଥ୍ରାଙ୍କୁ ଆଜି ଥାଇଲାଣ୍ଡରୁ ଭାରତ ଅଣାଯାଉଛି ଏବଂ ସେମାନେ ଅପରାହ୍ନ ପ୍ରାୟ ୧:୪୫ରେ ଇଣ୍ଡିଗୋ ବିମାନ ଯୋଗେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବେ। ସେଠାରେ ଗୋଆ ଏବଂ ଦିଲ୍ଲୀ ପୁଲିସର ଏକ ମିଳିତ ଦଳ ସେମାନଙ୍କୁ ହେପାଜତକୁ ନେବେ। ତା'ପରେ ସେମାନଙ୍କର ଡାକ୍ତରୀ ପରୀକ୍ଷା କରାଯିବ ଏବଂ ପଟିଆଲା ହାଉସ କୋର୍ଟରେ ହାଜର କରାଯିବ, ଯେଉଁଠାରେ ୨୪ ଘଣ୍ଟାର ଟ୍ରାଞ୍ଜିଟ୍ ରିମାଣ୍ଡ ଲୋଡାଯିବ।
-
Dec 16, 2025 11:19 IST
ସୋନିଆ-ରାହୁଲଙ୍କୁ ଆଶ୍ବସ୍ତ କଲେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ, ଇଡି ଚାର୍ଜସିଟ୍ ଉପରେ ଶୁଣାଣି କରିବାକୁ ମନା କଲେ
ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଗାନ୍ଧୀ ପରିବାରକୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟ୍ ଉପରେ ବିଚାର କରିବାକୁ ମନା କରିଦେଇଛନ୍ତି। କୋର୍ଟର ନିଷ୍ପତ୍ତିକୁ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ବିଜୟ ଭାବରେ ଦେଖାଯାଉଛି।
-
Dec 16, 2025 08:38 IST
ଏନ୍କାଉଣ୍ଟରରେ କୁଖ୍ୟାତ ଅପରାଧୀ ଆହତ
ଭଦ୍ରକ: ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଭଦ୍ରକ ପୁଲିସ ଏନ୍କାଉଣ୍ଟର କରିଛି। ଭଦ୍ରକ ଏସପି ମନୋଜ ରାଉତ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଚରମ୍ପା ମାଲଗୋଦାମ ଅଞ୍ଚଲରେ ଡକାୟତି କରିବାକୁ ଆସିଥିବା କମଳାକାନ୍ତ ଦାସଙ୍କୁ ଟାଉନ ପୁଲିସ ଏନ୍କାଉଣ୍ଟର କରିଛି। ଅପରାଧୀର ଗୋଡ଼ରେ ଗୁଳି ବାଜି ଥିବା ବେକେ ସେ ଗୁରୁତର ଭାବରେ ଆହତ ହୋଇଛି। ତାକୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୁଲିସର ତଦନ୍ତକାରୀ ଟିମ୍ ତନାଘନା ଆର୍ମ୍ଭକରିଛି।
Firing in Komna Photograph: (Photo Courtey: tv 9 bharatvarsh) -
Dec 16, 2025 07:57 IST
ପଶ୍ଚିମବଙ୍ଗରେ ଆଜି ପ୍ରକାଶିତ ହେବ ଡ୍ରାଫ୍ଟ ଭୋଟର ତାଲିକା
କୋଲକାତା: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର)ର ଦ୍ୱିତୀୟ ପର୍ଯ୍ୟାୟର ଅଂଶ ସ୍ୱରୂପ ମଙ୍ଗଳବାର ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶିତ ହେବ। ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁଯାୟୀ, ମୃତ, ନିଖୋଜ, ସ୍ଥାନାନ୍ତରିତ ଏବଂ ନକଲି ଭୋଟରଙ୍କ ସମେତ ମୋଟ 58,20,898 ଜଣଙ୍କ ନାମ ବାଦ ଦିଆଯିବ। ୨୦୨୫ ଅକ୍ଟୋବର ୨୭ସୁଦ୍ଧା ବଙ୍ଗଳାରେ ମୋଟ ଭୋଟର ସଂଖ୍ୟା ୭,୬୬,୩୭,୫୨୯ ଥିଲା, ଯାହା ଏବେ ୭,୦୮,୧୬,୬୩୧ ହେବ।
Nuapada by-election: Final voter list published -
Dec 16, 2025 07:34 IST
କୋଠା ଉପରେ ବିମାନ ଧକ୍କା, ୭ଜଣଙ୍କ ମୃତ୍ୟୁ
ମେକ୍ସିକୋ: କେନ୍ଦ୍ରୀୟ ମେକ୍ସିକୋରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଛୋଟ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଅତି କମରେ ସାତ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା ଏବଂ କର୍ତ୍ତୃପକ୍ଷ ତୁରନ୍ତ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ଆରମ୍ଭ କରିଥିଲେ। ମେକ୍ସିକୋ ରାଜ୍ୟ ନାଗରିକ ସୁରକ୍ଷା ସଂଯୋଜକ ଆଡ୍ରିଆନ ହର୍ନାଣ୍ଡେଜଙ୍କ ଅନୁଯାୟୀ ଦୁର୍ଘଟଣାଟି ସାନ ମାଟେଓ ଆଟେନକୋରେ ଘଟିଛି, ଯାହା ଟୋଲୁକା ବିମାନବନ୍ଦରରୁ ପ୍ରାୟ ପାଞ୍ଚ କିଲୋମିଟର ଏବଂ ମେକ୍ସିକୋ ସିଟିରୁ ପ୍ରାୟ ୫୦ କିଲୋମିଟର ପଶ୍ଚିମରେ ଏକ ଶିଳ୍ପ କ୍ଷେତ୍ର। ବିମାନଟି ଆକାପୁଲକୋରୁ ଉଡ଼ାଣ ଭରୁଥିଲା।
Young man dead in stone attack in Dhenkanal. Photograph: (sambad) -
Dec 16, 2025 07:13 IST
ଦୁର୍ଘଟଣାରେ ଜଳିଗଲା ୬ ବସ୍, ୨ କାର୍
ମଥୁରା: ଉତ୍ତର ପ୍ରଦେଶର ମଥୁରାରେ ସୋମବାର-ମଙ୍ଗଳବାର ରାତି ପ୍ରାୟ ୨ଟା ସମୟରେ, ଯମୁନା ଏକ୍ସପ୍ରେସୱେରେ ଘନ କୁହୁଡ଼ି ହେତୁ ଆଗ୍ରାରୁ ନୋଏଡା ଯାଉଥିବା ୬ଟି ବସ୍ ଏବଂ ଦୁଇଟି କାର ପରସ୍ପର ସହିତ ଧକ୍କା ଖାଇଥିଲେ। ଧକ୍କା ଏତେ ଭୟଙ୍କର ଥିଲା ଯେ ସମସ୍ତ ଗାଡ଼ିରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗି ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ଅନେକ ଯାତ୍ରୀ ବସ୍ ରୁ ଡେଇଁ ନିଜ ଜୀବନ ବଞ୍ଚାଇଥିଲେ। କିନ୍ତୁ ନିଆଁ ଲାଗିଯିବା ପରେ ଅନେକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏକ୍ସପ୍ରେସୱେରେ ଆଗ୍ରାରୁ ନୋଏଡା ଯିବା ପାଇଁ ରାସ୍ତା ସମ୍ପୂର୍ଣ୍ଣ ଜାମ୍ ହୋଇଯାଇଛି। ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
Accident in Mathura of Uttar Pradesh on Monday night. Photograph: (sambad.in)
Follow Us