Breaking News Photograph: (sambad.in)
ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
-
Dec 19, 2025 22:01 IST
ବିଜେପି ଜିଲ୍ଲା ପ୍ରଭାରୀ ପୂର୍ଣ୍ଣିମା ନାୟକଙ୍କୁ ସମ୍ବର୍ଦ୍ଧନା
ନବରଙ୍ଗପୁର: ଆଜି ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ପରିସରରେ ରାଜ୍ୟ ସାଧାରଣ ସମ୍ପାଦିକା ତଥା ଜିଲ୍ଲା ପ୍ରଭାରୀ ପୂର୍ଣ୍ଣିମା ନାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଜିଲ୍ଲାସଭାପତି କୁଂଜ ବିହାରୀ ଦାଶଙ୍କ ସଭାପତିତ୍ବରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟ ଉପସଭାପତି ରମେଶ ଚନ୍ଦ୍ର ସାହୁ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପୂର୍ବତନ ଜିଲ୍ଲାସଭାପତି ଗୋବିନ୍ଦ ଜୈନ, ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ଶର୍ମିଷ୍ଟା ଦେଓ, କିଶୋରୀ ପଟ୍ଟନାୟକ, ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ସବିତା ପ୍ରଧାନ, ଜିଲ୍ଲା ଉପସଭାପତି କୁକୁ ଶର୍ମା ମଂଚାସୀନ ଥିଲେ।
/fit-in/580x348/filters:format(webp)/sambad/media/media_files/2025/12/19/ngp-felictiation-1-2025-12-19-22-00-47.jpg)
ଜିଲ୍ଲାର ସବୁ ମଣ୍ଡଳରୁ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଜିଲ୍ଲାରେ ଡବଲ ଇଂଜିନ ସରକାରର ସବୁ ଜନହୀତକାରୀ ଯୋଜନାକୁ ତୃଣମୂଳସ୍ତରରେ ପହଚାଂଇବାକୁ ପ୍ରଭାରୀ ଆହ୍ବାନ ଦେଇଥିଲେ। ସଂଗଠନକୁ ଅଧିକା ମଜଭୁତ କରି ଆଗମୀ ଦିନରେ ବିଜେପିର ଗଢ଼ ଭାବେ ଗୋଢ଼ିତୋଳିବାକୁ ଆହ୍ବାନ ଦେଇଥିଲେ। ଜିଲ୍ଲାର ଜନସାଧାରଣ ବିଜେପି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଲ ପାଉଥିବାରୁ ୩ଜଣ ବିଧାୟକଙ୍କ ସହ ଜଣେ ସାଂସଦଙ୍କୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେମାନଙ୍କ ଆଶା ଭରସାକୁ ପୂରଣ କରିବା ଦିଗରେ ଦଳର କର୍ମକର୍ତ୍ତା ମାନେ ଏକଜୁଟ୍ ହୋଇ କାମ କରିବାକୁ ପ୍ରଭାରୀ କହିଥିଲେ। ଆଗାମୀ ୨୫ତାରିଖରେ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପାୟୀଙ୍କ ଜୟନ୍ତୀରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଜନମାନସରେ ଭଲ ଛାପ ଛାଡିବାକୁ ପ୍ରଭାରୀ କହିଥିଲେ। ଜିଲ୍ଲାସାଧାରଣ ସମ୍ପାଦକ ଦେବଦାସ ମହାଙ୍କୁଡ ମଂଚ ସଂଯୋଜନା କରିଥିଲେ।
ରିପୋର୍ଟ: ସୁରେଶ ନାଇଡୁ
-
Dec 19, 2025 21:58 IST
ଡିସେମ୍ବର ୨୦ରେ ପଶ୍ଚିମବଙ୍ଗ ଯିବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୦ ତାରିଖରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ। ପୂର୍ବାହ୍ନ ପ୍ରାୟ ୧୧ଟା ୧୫ରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ରାଣାଘାଟ ଠାରେ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ଉପସ୍ଥିତ ଜନସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ପ୍ରାୟ ୩୨୦୦ କୋଟି ଟଙ୍କାର ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିବେ ।ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଏନଏଚ-୩୪ରେ ୬୬.୭ କିମି ବିଶିଷ୍ଟ ୪ ଲେନ ବିଶିଷ୍ଟ ବାରାଜଗୁଲି-କ୍ରିଷ୍ଣାନଗର ସେକ୍ସନର ଉଦଘାଟନ କରିବେ। ଏହା ସହ ପଶ୍ଚିମବଙ୍ଗ ଉତ୍ତର ଚବିଶ ପ୍ରଗଣା ଜିଲ୍ଲାର ଏନଏଚ-୩୪ରେ ୧୭.୬ କି.ମି ଦୈର୍ଘ୍ୟ ବିିଶିଷ୍ଟ ବରସାତ-ବାରାଜଗୁଲି ସେକ୍ସନ ୪ ଲେନ୍ କାମର ଶିଳାନ୍ୟାସ କରିବେ।
Narendra Modi Photograph: (Hindustan Times) ଏହି ପ୍ରକଳ୍ପ ଗୁଡ଼ିକ କୋଲକାତା ଓ ସିଲିଗୁଡ଼ି ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ବ୍ୟବସ୍ଥା ଭାବେ କାମ କରିବ। ଏହାଦ୍ୱାରା ଯାତ୍ରା ସମୟ ପ୍ରାୟ ୨ ଘଣ୍ଟା ହ୍ରାସ ପାଇବ ଏବଂ ଗାଡ଼ି ଗୁଡ଼ିକ ନିର୍ବିଘ୍ନରେ କମ୍ ଟ୍ରାଫିକରେ ଦ୍ରୁତ ଓ ନିରାପଦରେ ଯାତାୟାତ କରିପାରିବେ। ଗାଡ଼ି ଚଳାଚଳର ଖର୍ଚ୍ଚହ୍ରାସ ପାଇ କୋଲାକାତା ଓ ପଶ୍ଚିମବଙ୍ଗର ଅନ୍ୟାନ୍ୟ ଜିଲ୍ଲା ସମେତ, ପଡ଼ୋଶୀ ଦେଶ ସହ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ଉନ୍ନତ ହୋଇପାରିବ। ପ୍ରକଳ୍ପ ଗୁଡ଼ିକ ଅଞ୍ଚଳରେ ଆର୍ଥିକ ଅଭିବୃଦ୍ଧିକୁ ସୁଦୃଢ଼ କରିବ ଏବଂ ଅଞ୍ଚଳରେ ପର୍ଯ୍ୟଟନର ବିକାଶକୁ ପ୍ରୋତ୍ସାହନ ମିଳିପାରିବ।
-
Dec 19, 2025 21:37 IST
ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର
ରାୟଗଡ଼ା: ରାୟଗଡା ଜିଲ୍ଲା କୋଲନରା ବ୍ଲକ ପାଇକପଡ଼ା ଗ୍ରାମ ନିକଟସ୍ଥ ପଙ୍ଗୋଲୀ ଯିବା ରାସ୍ତାରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତ୍ତର ହୋଇଥିବା ଜଣାପଡିଛି। ଗୁରୁତର ହୋଇଥିବା ବୃଦ୍ଧ ଜଣକ ହେଲେ ୭୦ ବର୍ଷିୟ କାନ୍ଦୁରୁ ପ୍ରାସ୍କା। ସୂଚନାରୁ ଜଣାପଡ଼ିଛି ଆଜି କାନ୍ଦୁରୁ ନିଜ କୁଡିଆକୁ ଯିବା ସମୟରେ ଭାଲୁ ସହ ମହାଁମୁହିଁ ହୋଇଥିଲେ। ସେ ଯିବା ରାସ୍ତାରେ ୨ଟି ଭାଲୁ ନିକଟସ୍ଥ ଜଙ୍ଗଲରେ ଫଳିଥିବା କଣ୍ଟେଇକୋଳି ଖାଉଥିଲେ ଏବଂ କାନ୍ଦୁରୁ ଦେଖି ଆକ୍ରମଣ କରି ତାଙ୍କୁ ରାମ୍ପି ଦେଇଥିଲେ। ଗରୁତ୍ତର ଅବସ୍ଥାରେ ତାଙ୍କୁ ଗ୍ରାମବାସୀମାନେ ଉଦ୍ଧାର ପ୍ରଥମେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ତାଙ୍କ ଅବସ୍ଥା ଗୁରୁତ୍ତର ରହିଥିବାରୁ କାନ୍ଦୁରୁଙ୍କ ଚିକିତ୍ସା ପାଇଁ ବିଷମକଟକ ସ୍ଥିତ ଖ୍ରୀଷ୍ଟିଆନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ତାଙ୍କ ପୁଅ ଜଗନ୍ନାଥ ପ୍ରାସ୍କା ପ୍ରକାଶ କରିଛନ୍ତି।
-
Dec 19, 2025 20:40 IST
ଭିଜିଲାନ୍ସ ଜାଲରେ ବିଞ୍ଝାରପୁର ତହସିଲଦାର
ବିଞ୍ଝାରପୁର: ଜଣେ ଜମିମାଲିକଙ୍କ ଠାରୁ ତାଙ୍କ ଜମିର ଅନୁକୂଳ ସୀମା ନିର୍ଦ୍ଧାରଣ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଯାଜପୁର ଜିଲ୍ଲା ବିଞ୍ଝାରପୁର ତହସିଲର ଅତିରିକ୍ତ ତହସିଲଦାର ପ୍ରଦୀପ କୁମାର ସେଠୀ। ଧରାପଡ଼ିବା ସମୟରେ ତାଙ୍କ ଠାରୁ ଉକ୍ତ ଲାଞ୍ଚ ଟଙ୍କା ଭିଜିଲାନ୍ସ ଟିମ୍ ଜବତ କରିଛନ୍ତି। ଅତିରିକ୍ତ ତହସିଲରେ ଥିବା ଶ୍ରୀ ସେଠୀ ବିଞ୍ଝାରପୁର ତହସିଲରେ ତହସିଲଦାର ମଧ୍ୟ ଦାୟିତ୍ବ ତୁଲାଉଛନ୍ତି। ତାଙ୍କ ବିରୋଧରେ କଟକ ଭିଜିଲାନ୍ସ ପିଏସ୍ କେସ୍ ନଂ. ୩୬/୨୦୨୫ ରୁଜୁ କରାଯାଇ ୟୁ/ଏସ୍-୭ ପିସି(ସଂଶୋଧନ) ଆଇନ, ୨୦୧୮ରେ ଗିିରଫ କରାଯାଇ ଅଧିକ ତଦନ୍ତ ଚାଲିଥିବା ଜଣାଯାଇଛି।
-
Dec 19, 2025 20:14 IST
ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ୧୦ବର୍ଷ କାରାଦଣ୍ଡାଦେଶ
ନବରଙ୍ଗପୁର: ଗତ ୨୦୨୫ ମସିହାରେ ମୈଦଲପୁର ଥାନା ଅଂଚଳରେ ଜୈନେକା ନାବାଳିକାଙ୍କୁ ସେହିଥାନା ଅଂଚଳର ଅଭିଯୁକ୍ତ ଶିବ ହରିଜନ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ପୀଡ଼ିତା ନାବାଳିକା ପରିବାରବର୍ଗକୁ ନେଇ ମୈଦଲପୁର ଥାନାରେ ଅଭିଯୋଗ କରିବା ଅଭିଯୁକ୍ତକୁ ଗିରଫ କରି ପୁଲିସ କୋର୍ଟ ଚାଳାଣ କରିଥିଲେ। ଆଜି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ପକ୍ସୋକୋର୍ଟର ବିଚାରପତି ବାସୁଦେବ ଆଚାର୍ଯ୍ୟ ମାମଲାର ବିଚାର କରିଛନ୍ତି। ଏହି ମାମଲାର ଅଭିଯୁକ୍ତ ଶିବ ହରିଜନ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦଣ୍ଡ ଦେଇଛନ୍ତି। ଏହା ସହ ଅଭିଯୁକ୍ତ ଜରିମାନା ବାବଦକୁ ୫ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ମୁତାବକ, ଗତ ୨୦୨୫ମସିହା ମାର୍ଚ୍ଚ ମାସ ୧୨ ତାରିଖ ଦିନ ମୈଦଲପୁର ଥାନା ଅଂଚଳର ଜୈନେକା ନାବାଳିକା ସଂଧ୍ୟାରେ ଶୌଚ କରିବାକୁ ଯିବା ସମୟରେ ତାଙ୍କୁ ଡରାଇ ଧମକାଇ ଦୁଷ୍କର୍ମ କରିଥିଲେ। କାହାରିକୁ କହିଲେ ଜୀବନରେ ମାରିବାକୁ ବି ଧମକ ଦେଇଥିଲେ। ଏସମ୍ପର୍କରେ ପୀଡିତା ନାବାଳିକା ଓ ପରିବାରବର୍ଗ ପୁଲିସ ନିକଟରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଗିରଫ କରିଥିଲେ ପୁଲିସ। ପୀଡ଼ିତା ନାବାଳିକା ଓ ଅଭିଯୁକ୍ତଙ୍କର ଡାକ୍ତରୀ ମାଇନା କରାଇଥିଲେ। ଏହି ମାମଲାର ବିଚାର ଚାଳିଥିବା ବେଳେ ୨୩ଜଣ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସଚ୍ଚି ନନ୍ଦନ ସ୍ବାଇଁ ମାମଲା ପରିଚାଳନା କରୁଥିଲେ।
-
Dec 19, 2025 20:08 IST
ଭାରତ-ଦକ୍ଷିଣ ଆଫ୍ରିକା ଟି୨୦: ଟିମ୍ ଇଣ୍ଡିଆର ବ୍ୟାଟିଂ ଜାରି
ଅହମଦାବାଦ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ମ୍ୟାଚ୍ ବିଶିଷ୍ଟ ଟି୨୦ ଅନ୍ତର୍ଜାତୀୟ ସିରିଜ୍ର ପଞ୍ଚମ ତଥା ଅନ୍ତିମ ମୁକାବିଲା ଅହମଦାବାଦରେ ଜାରି ରହିଛି। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତ ବ୍ୟାଟିଂ ଜାରି ରଖିଛି। ରିପୋର୍ଟ ଲେଖାଯିବା ବେଳକୁ ଭାରତ ୧୨ ଓଭର ଶେଷ ସୁଦ୍ଧା ୨ଟି ୱିକେଟ୍ ହରାଇ ୧୧୫ ରନ୍ ସଂଗ୍ରହ କରିଛି।
Indian batter Sanju Samson at Ahmadabad. Photograph: (Aajtak) ଭାରତର ପ୍ରାରମ୍ଭିକ ବ୍ୟାଟର ଅଭିଷେକ ଶର୍ମା ଓ ସଂଜୁ ସାମସନ୍ ପ୍ରଥମ ୱିକେଟ୍ ପାଇଁ ୬୩ ରନ୍ ସଂଗ୍ରହ କରିଥିଲେ। ଦକ୍ଷିଣ ଆଫ୍ରିକାର ପ୍ରଥମ ଶିକାର ହୋଇଥିଲେ ଅଭିଷେକ ଶର୍ମା। ସେ ୨୧ଟି ବଲ୍ ଖେଳି ୩୪ ରନ୍ ସଂଗ୍ରହ କରିଥିଲେ। ଏଥିରେ ୬ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଭାରତ ଦ୍ବିତୀୟ ୱିକେଟ୍ ଭାବେ ସଂଜୁ ସାମସନ୍ଙ୍କୁ ହରାଇଥିଲା, ଯିଏକି ବ୍ୟକ୍ତିଗତ ଭାବେ ୩୭ ରନ୍ ସଂଗ୍ରହ କରିଥିଲେ। ସେ ୨୨ଟି ବଲ୍ ଖେଳି ୪ଟି ଚୌକା ଓ ୨ଟି ଛକା ମାରିଥିଲେ।
-
Dec 19, 2025 17:58 IST
ଖଳାରେ ନିଆଁ ଲାଗି ଜଳିଗଲା ଧାନ ମାଣ୍ଡିଆ
ଚିତ୍ରକୋଣ୍ଡା: ଧାନ ଖଳାରେ ନିଆଁ ଲାଗି ୮ ଜଣ ଚାଷୀଙ୍କ ୧୨୦ ବସ୍ତା ଧାନ ସହ ୨୪୦ ବସ୍ତା ମାଣ୍ଡିଆ ପୋଡ଼ି ନଷ୍ଟ ହୋଇଯାଇଛି। ସୂଚନା ମୁତାବକ, ଚିତ୍ରକୋଣ୍ଡା ବ୍ଲକ ନୁଆଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଆର୍.ଏସ.ସି-୧୧ ନଂ ଗ୍ରାମର ଆଠ ଜଣ ଚାଷୀ ଧାନ ଓ ମାଣ୍ଡିଆକୁ ଅମଳ କରିବା ନିମନ୍ତେ ନିଜ ଗ୍ରାମ ନିକଟରେ ଥିବା ଧାନ ଖଳାରେ ଧାନ ଓ ମାଣ୍ଡିଆକୁ ଗଛିତ କରି ରଖିଥିଲେ। ହଠାତ୍ ଆଜି ଦିନ ତିନିଟା ସମୟରେ ଖଳାରୁ ଧୂଆଁ ବାହାରୁଥିବା ଦେଖି ଚିତ୍ରକୋଣ୍ଡା ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ତୁରନ୍ତ ସ୍ଥାନୀୟ ଲୋକଙ୍କ ସହ ଦମକଳ ବାହୀନି ପହଞ୍ଚି ଲାଗିଥିବା ନିଆଁକୁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରିଥିଲେ ସୁଦ୍ଧା ଖଳା ସମ୍ପୂର୍ଣ ରୂପେ ପୋଡି ନଷ୍ଟ ହୋଇଯାଇଛି।
/fit-in/580x348/filters:format(webp)/sambad/media/media_files/2025/12/19/chitrakonda-2025-12-19-17-59-04.jpg)
ପୋଡ଼ି ଯାଇଥିବା ଧାନ ମାଣ୍ଡିଆର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି। ଅନ୍ୟପଟେ ପୋଡ଼ି ଯାଇଥିବା ମାଣ୍ଡିଆରୁ ଦରପୋଡ଼ା ମଣ୍ଡିଆ ଖୋଜି ବାହାର କରୁଛନ୍ତି ଚାଷୀଙ୍କ ପରିବାର। ବର୍ତ୍ତମାନ ଚାଷ ପାଇଁ ଆଣିଥିବା ଋଣ ସୁଝିବେ କେମିତି ଓ ବର୍ଷସାରା ପରିବାର ଚଳେଇବେ କେମିତି ଚିନ୍ତାରେ ଚାଷୀ ପରିବାର। ଅନ୍ୟପଟେ ସ୍ଥାନୀୟ ଜିଲ୍ଲାପରିଷଦ ସଦସ୍ୟା ଵିନତୀ ଖିଲ ଘଟଣା ସ୍ଥଳେ ପହଞ୍ଚି ତୁରନ୍ତ କ୍ଷୟ କ୍ଷତି ର ଆକଳନ କରି କ୍ଷତି ପୂରଣ ଦେବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି।
-
Dec 19, 2025 17:50 IST
ଦଲାଲ୍ ମୁକ୍ତ କରିବାକୁ ଶ୍ରମ ଅଧିକାରୀଙ୍କ ପ୍ରୟାସ
ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ନିର୍ମାଣ ଶ୍ରମିକଙ୍କ ଠାରୁ ବିଭିନ୍ନ ସମୟରେ ଟଙ୍କା ଠକେଇ ହେଉଛି l ନିର୍ମାଣ ଶ୍ରମିକ କାର୍ଡ କରାଇଦେବା, ନିଯୁକ୍ତିଦାତା ପ୍ରମାଣପତ୍ର ଦେବାକୁ କହି ଦଲାଲ୍ ମାନେ ଶ୍ରମିକଙ୍କ ଠାରୁ ଟଙ୍କା ଲୁଟୁଥିବା ଅଭିଯୋଗ ହେଉଛି l ତେବେ ଆଜି ଶ୍ରମ ବିଭାଗ ପକ୍ଷରୁ ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ନିର୍ମାଣସ୍ଥଳରେ ଏ ସମ୍ପର୍କରେ ଶ୍ରମିକମାନଙ୍କୁ ସଚେତନ କରାଯାଇଛି l ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ, ବୌଦ୍ଧ ସୁଶ୍ରୀ କନ୍ୟା କୁମାରୀ ସାହୁ ଆଜି ବୌଦ୍ଧ ବ୍ଲକ୍ ଅଧୀନରେ ଥିବା ବିଭିନ୍ନ ଅଞ୍ଚଳ ଯଥା ଜଗତି, ଗିରସୀଙ୍ଗା, ମୁର୍ଶୁଣ୍ଡିରେ ନିର୍ମାଣାଧୀନ ଥିବା କାର୍ଯ୍ୟସ୍ଥଳୀ ଗୁଡ଼ିକୁ ପରିଦର୍ଶନ କରିଥିଲେl ନିର୍ମାଣାଧୀନ କାର୍ଯ୍ୟରେ ଥିବା ଶ୍ରମିକଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ବିଷୟରେ ଅବଗତ କରାଇଥିଲେl
ସେହିପରି ନିୟୋଜିତ ଥିବା ଶ୍ରମିକମାନଙ୍କୁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜୀକରଣ ପାଇଁ ନିଯୁକ୍ତିଦାତା ପ୍ରମାଣପତ୍ର ପ୍ରଦାନ କରିଥିଲେl ନିର୍ମାଣ ଶ୍ରମିକ ପଞ୍ଜିକରଣ ପାଇଁ ୨୦ ଟଙ୍କା ଓ ବାର୍ଷିକ ଦେୟ ପାଇଁ ୫୦ ଟଙ୍କା ନିର୍ମାଣ ଶ୍ରମିକ ଅନଲାଇନ୍ ପୋର୍ଟାଲ୍/ଶ୍ରମିକ ସାଥୀ ମୋବାଇଲ ଆପ ମାଧ୍ୟମରେ ଦାଖଲ କରାଯାଏ ବୋଲି ସେ ସଚେତନ କରିଥିଲେl ଶ୍ରମିକମାନଙ୍କର ନିର୍ମାଣ ଶ୍ରମିକ ପଞ୍ଜିକରଣ, ବାର୍ଷିକ ଦେୟ ଓ ସହାୟତା ପାଇବାପାଇଁ କୌଣସି ସମସ୍ୟା ଥିଲେ ଦଲାଲ୍ମାନଙ୍କ ଦ୍ବାରା ପ୍ରଲୋଭିତ ନ ହୋଇ ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟଳୟ, ବୌଦ୍ଧରେ ଯୋଗାଯୋଗ କରିବାକୁ ଶ୍ରମିକ ମାନଙ୍କୁ ସଚେତନ କରିଥିଲେ।
-
Dec 19, 2025 17:41 IST
ସମ୍ବାଦ ସାହିତ୍ୟଘରର ସଦସ୍ୟଙ୍କ ହୃଦ୍ଘାତରେ ପରଲୋକ
ବଡ଼ଚଣା: ସମ୍ବାଦ ସାହିତ୍ୟଘର ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଶାଖାର ବରିଷ୍ଠ ସଦସ୍ୟ ବିଭୁ ଶଙ୍କର ପୃଷ୍ଟି(୫୨)ଙ୍କର ଆଜି ହୃଦ୍ଘାତରେ ପରଲୋକ ଘଟିଛି। ସେ ଜଣେ ପରୋପକାରୀ ବ୍ୟକ୍ତି ଥିଲେ। ତାଙ୍କର ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
/fit-in/580x348/filters:format(webp)/sambad/media/media_files/2025/12/19/shankar-prusti-2025-12-19-17-41-07.jpg)
-
Dec 19, 2025 16:56 IST
ଶୀତ ସହ ଘନ କୁହୁଡ଼ି ଯୋଗୁଁ ଯାତାୟତ ବାଧାପ୍ରାପ୍ତ
ବହଳଦା: କିଛି ଦିନ ହେଲା ବହଳଦା ଅଞ୍ଚଳରେ ଥଣ୍ଡାର ପ୍ରକୋପ ସହ ପ୍ରବଳକୁହୁଡି ଦେଖିବାକୁ ମିଳୁଛି। ଘନ କୁହୁଡ଼ି ପାଇଁ ଲୋକମାନେ ସକାଳ ୯ଟା ପର୍ଯ୍ୟନ୍ତ ଘରୁ ପଦାକୁ ବାହାରି ପାରୁନାହାନ୍ତି। କୁହୁଡି ଯୋଗୁଁ ସାମ୍ନାର ୪୦/୫୦ ଫୁଟ୍ ଦୂରକୁ ବି କିଛି ଦେଖାଯାଉନାହିଁ। ଫଳରେ ଗାଡ଼ି, ବାଇକ ଚଳେଇବା ବି କଷ୍ଟକର ହୋଇପଡୁଛି। କୁହୁଡ଼ି ଯୋଗୁଁ ସକାଳର ଯାତ୍ରୀବାହୀ ବସ୍ ସବୁ ଆବଶ୍ୟକ ଗତିରେ ନଯାଇ ଗନ୍ତବ୍ୟ ସ୍ଥଳକୁ ପହଞ୍ଚିବା ବିଳମ୍ବ ହେଉଛି। ଏଥିପାଇଁ ଅନେକ ବସ ଖାଲିଯାଉଛି। କୁହୁଡି ଯୋଗୁଁ ଦୁର୍ଘଟଣା ସମ୍ଭାବନା ବଢ଼ିଯାଇଛି।
Dense fog in Bahalada of Mayurbhanj. Photograph: (sambad.in) ରାସ୍ତାକଡ଼ରେ ବେଆଇନ ଭାବେ ପାର୍କିଂ କରୁଥିବା ଯୋଗୁଁ ଏଆଶଙ୍କା ବଢ଼ିଯାଇଛି। ଦିନମଜୁରିଆ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ପର୍ଯ୍ୟନ୍ତ କୁହୁଡ଼ି ସହିତ ଅସହ୍ୟ ଶୀତ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୀତରୁ ରକ୍ଷା ପାଇବା ପାଇଁ କିଛିକିଛି ଜାଗାରେ ରାସ୍ତାକଡ଼ରେ ନିଆଁ ଜାଳି ଲୋକ ପୁଇଁ ହେଉଛନ୍ତି। ବିଭିନ୍ନ ଚା ଖଟିରେ ମଧ୍ୟ ଭିଡ ପରିଲକ୍ଷିତ ହେଉଛି। ଥଣ୍ଡା ପାଇଁ ରାତି ୮/୯ ସୁଦ୍ଧା ବଜାର ଖାଁଖାଁ ହୋଇ ପଡୁଛି। ଦୁର୍ଗମ ଅଞ୍ଚଳ ନକହିବା ଭଲ ସଂଧ୍ୟା ସୁଦ୍ଧା ଝରାଡ଼ିହି,ବାସିଙ୍ଗି, ଗମ୍ଭାରିଆ ବଜାର ଶୀତ ପାଇଁ ବଜାର, ରାସ୍ତା ଶୁନଶାନ୍ ହୋଇ ପଡୁଛି। କୁହୁଡ଼ି ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଜାରିରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି।
-
Dec 19, 2025 16:24 IST
ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ
ରାଇରଙ୍ଗପୁର/ବିଜାତଳା: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ରକ୍ତକେନ୍ଦ୍ର ପରିସରରେ ସମ୍ବାଦ ଆମ ଓଡ଼ିଶା ଓ ‘ମାସା ମୟୂରଭଂଜ’ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ ଶିବିରରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ରକ୍ତକେନ୍ଦ୍ରର ଅଧିକାରୀ ଡାକ୍ତର ସୁଦିବ୍ୟ ଲୋଚନ ସିଂ ଯୋଗଦେଇ ଉଦଘାଟନ କରିଥିଲେ। ଉକ୍ତ ଶିବିରକୁ ସମ୍ବାଦର ବିଜାତଳା ବ୍ଳକ୍ ପ୍ରତିନିଧି ଯୁଧିଷ୍ଠିର ପରିଡ଼ା ପରିଚାଳନା କରିଥିବା ବେଳେ ରାଇରଙ୍ଗପୁର ସମ୍ବାଦ ଜିଲ୍ଲା ପ୍ରତିନିଧି ତୁଷାର କାନ୍ତ ମହାନ୍ତ, ବାଲେଶ୍ଵର ଉତ୍ତର ଓଡ଼ିଶା ସଂସ୍କରଣର ଆମ ଓଡ଼ିଶା ସଂଯାଜକ ଲକ୍ଷ୍ମୀଧର ବାରିକ, ବାଲେଶ୍ଵର ସଂସ୍କରଣର ବରିଷ୍ଠ କାର୍ଯ୍ୟନିର୍ବାହି ବିରଞ୍ଜନ ଦାସ ପ୍ରମୁଖ ପରିଚାଳନା କରିଥିଲେ।
Blood donation camp organised in Rairangpur. Photograph: (sambad.in) ଉକ୍ତ ଶିବିରରେ ରକ୍ତଦାତାମାନେ ହେଲେ ମାସାଙ୍ଗ ହେମ୍ବ୍ରମ୍, ଦୁର୍ଗା ମାଝୀ, କ୍ରିଷ୍ଣା ଠାକୁର ଟୁଡୁ, ସୁନୀଲ ସୋରେନ୍, ରାମ୍ ମୁର୍ମୁ, ଯୁଧିଷ୍ଠିର ପରିଡ଼ା ପ୍ରମୁଖ। ରାଇରଙ୍ଗପୁର ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ଏସ.ଏଲ ସିଂ, ଏଲ.ଟି ଦେବବ୍ରତ ଗିରି,ସୁମନ୍ତ ଗିରି, ସୁଜାତା ସ୍ବାଇଁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଏହି ଅବସରରେ ସମସ୍ତ ରକ୍ତଦାତାଙ୍କୁ ମାନପତ୍ର ଓ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଆମ ଓଡ଼ିଶା ସଂଯାଯୋକ ଲକ୍ଷ୍ମୀଧର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। -
Dec 19, 2025 16:08 IST
ଓଏମ୍ଡବ୍ଲ୍ୟୁୟୁରେ ମିଶିଲେ ଶତାଧିକ ଖଣି ଶ୍ରମିକ
କାଳିଆପାଣି: ଫେକର-ବେଦାନ୍ତ କଲରଙ୍ଗିଅତ୍ତା କ୍ରୋମାଇଟ୍ ଖଣିରୁ ବିଭିନ୍ନ ବର୍ଗର ଶତାଧିକ ଠିକା ଖଣି ଶ୍ରମିକ ଓଡ଼ିଶା ମାଇନିଂ ୱାର୍କର୍ସ ୟୁନିଅନ(ଓଏମ୍ଡବ୍ଲ୍ୟୁୟୁ)ରେ ସାମିଲ ହୋଇଛନ୍ତି। ଓଏମ୍ଡବ୍ଲ୍ୟୁୟୁ ପ୍ରତିଷ୍ଠାତା ସମବାୟ ମନ୍ତ୍ରୀ ଡ. ପ୍ରଦୀପ ବଳସାମନ୍ତ ସମସ୍ତ ନବାଗତଙ୍କୁ ସ୍ବାଗତ କରିଥିଲେ। ସାଧାରଣ ସମ୍ପାଦକ ଅମଳେନ୍ଦୁ ବେହୁରା ଓ କାର୍ଯ୍ୟକାରୀ ସଭାପତି ନାରାୟଣ ଚନ୍ଦ୍ର ଧୀରଙ୍କ ସଂଯୋଜନାରେ ସଭାପତି ଇଂ ସବ୍ୟସାଚୀ ବଳସାମନ୍ତଙ୍କ ଅଧ୍ୟକ୍ଷତାରେ ଖଣିରେ ଅନୁଷ୍ଠିତ ସ୍ବତନ୍ତ୍ର ମିଶ୍ରଣପର୍ବରେ ମନ୍ତ୍ରୀ ଶ୍ରୀ ବଳସମାନ୍ତ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।
/fit-in/580x348/filters:format(webp)/sambad/media/media_files/2025/12/19/kaliapani-2025-12-19-16-07-59.jpg)
ଶ୍ରମିକମାନେ ମନ୍ତ୍ରୀ ଶ୍ରୀ ବଳସାମନ୍ତଙ୍କ ପ୍ରତି ଅକୁଣ୍ଠ ସମର୍ଥନ ଘୋଷଣା କରିଥିଲେ। ବରିଷ୍ଠ ବିଜେପି ନେତା ବେଣୁଧର ମହାନ୍ତ, ଖଣିଅଞ୍ଚଳ ମଣ୍ଡଳ ସଭାପତି ମନୋଜ କୁମାର ନାୟକ, ପୂର୍ବତନ ସରପଞ୍ଚ ରବୀନ୍ଦ୍ର କୁମାର ସାହୁ, ଦୀପକ କୁମାର ପାତ୍ର, ଧନେଶ୍ବର ମହାନ୍ତ, ଲମ୍ବୋଦର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶ୍ରମିକମାନେ ସୁକିନ୍ଦା ରିଜିଅନ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ(ଏସ୍ଆର୍ସିକେଏମ୍ଏସ୍) ଛାଡ଼ି ଓଏମ୍ଡବ୍ଲ୍ୟୁୟୁରେ ସାମିଲ ହୋଇଥିବା କୁହାଯାଇଛି।
ରିପୋର୍ଟ: ରବି ନାରାୟଣ କର
-
Dec 19, 2025 16:05 IST
ବଡ଼ଦିନ ପାଇଁ ପୁଲିସ ତରଫରୁ ଶାନ୍ତି କମିଟି ବୈଠକ
ଘୁ.ଉଦୟଗିରି: ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିନ ଡିସେମ୍ବର ୨୫ ବଡ଼ଦିନକୁ ଶାନ୍ତି ଶୃଙ୍ଖଳାର ସହ ପାଳନ ନିମନ୍ତେ ସ୍ଥାନୀୟ ଏସଡିପିଓ ବିଜୟ କୁମାର ବିଶିଙ୍କ ଅଧ୍ୟକ୍ଷତାରେ ବ୍ଲକ ପ୍ରେକ୍ଷାଳୟ ଠାରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ, ପରିଷଦ ଉପାଧ୍ଯକ୍ଷ ସନ୍ତୋଷ କୁମାର ବାଘ, ବିଡିଓ ଶରତ ଚନ୍ଦ୍ର ମଲ୍ଲିକ, ଏନଏସି ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ସ୍ଥାନୀୟ ଥାନା ଆଇଆଇସି ବିଜୟ କୁମାର ସ୍ଵାଇଁ, ବରିଷ୍ଠ ସାମ୍ବାଦିକ ଶିଶିର ପଟ୍ଟନାୟକ, ସାଂସଦ ପ୍ରତିନିଧି ପ୍ରିୟବ୍ରତ ସାହୁ, ମାନଗୋବିନ୍ଦ ପ୍ରଧାନ ମଞ୍ଚାସୀନ ହୋଇଥିବା ବେଳେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି, ସରପଞ୍ଚ, ସମିତି ସଭ୍ଯ, ଏନଏସି କାଉନସିଲର, ଖ୍ରୀଷ୍ଟ ସମ୍ପ୍ରଦାୟର ପ୍ରତିନିଧି ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
G Udayagiri police preparation for XMas tree. Photograph: (sambad.in) ବୈଠକରେ ଚଳିତ ବର୍ଷ ଡିସେମ୍ବର ୨୫ ବଡ଼ଦିନକୁ କିପରି ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯାଇ ପାରିବ ସେଥିପ୍ରତି ଆଲୋଚନା ହୋଇଥିଲା।କୌଣସି ଅପ୍ରୀତିକର ବାତାବରଣ ନଥିବା ବେଳେ ଶାନ୍ତି କମିଟି ବୈଠକର କୌଣସି ଆବଶ୍ୟକତା ନାହିଁ ଆମ ଅଞ୍ଚଳରେ ଭାଇ ଚାରା ସହ ଏହି ପର୍ବ ପାଳନ କରାଯାଏ ବୋଲି ଉପସ୍ଥିତ ବୁଦ୍ଧିଜିବୀ ନିଜ ନିଜ ବକ୍ତବ୍ୟ ରଖିଥିଲେ ଏବଂ ଏହି ବୈଠକ ଶାନ୍ତି କମିଟି ବୈଠକ ବଦଳରେ ବଡ଼ଦିନ ପ୍ରାକ ପ୍ରସ୍ତୁତି ବୈଠକ ରଖିବାକୁ ପ୍ରସ୍ତାବ ଦେଇଥିଲେ। ସ୍ଥାନୀୟ ଆଇଆଇସି ବଡ଼ଦିନ କୁ ଶାନ୍ତି ଶୃଙ୍ଖଳାର ସହ ପାଳନ ନିମନ୍ତେ ପୋଲିସ ପ୍ରଶାସନ ତରଫରୁ ନିଆଯାଇଥିବା ପଦକ୍ଷେପ ବିଷୟରେ ଅବଗତ କରିଥିଲେ। ସ୍ଥାନୀୟ ପୁଲିସ ଥାନା ଅନ୍ତର୍ଗତ ପ୍ରାୟ ୨୬ ଟି ଚର୍ଚ୍ଚ ଓ ପ୍ରାର୍ଥନା ଗୃହ ଗୁଡ଼ିକ ୨୪ତାରିଖ ଠାରୁ ଫୋର୍ସ ମୁତୟନ ସହ ପୋଲିସ ତରଫରୁ ପାଟ୍ରୋଲିଂ ବ୍ଯବସ୍ଥା କରାଯିବ। ଜଣେ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିବର । ତା ସହ ସହରର ପ୍ରବେଶ ପଥରେ କଡ଼ା ଚେକିଂ କରାଯିବା ନେଇ ସୂଚନା ଦେଇଥିଲେ।
ରିପୋର୍ଟ: ସମୀର କୁମାର ପାଢ଼ୀ
-
Dec 19, 2025 15:53 IST
ଓଡ଼ିଶା ଜିଲ୍ଲା ଚେସ ପ୍ରିମିୟର ଲିଗ ଉଦ୍ଘାଟିତ
ଭୁବନେଶ୍ୱର: ରୋଟାରୀ ଓଡ଼ିଶା ଜିଲ୍ଲା ଚେସ ପ୍ରିମିୟର ଲିଗ ୟୁନିଟ-୯ ସ୍ଥିତ ରୋଟାରୀ ଭବନ ଠାରେ ଅନୁଷ୍ଠାନିକ ଭାବେ ଆଜି ଉଦ୍ଘାଟିତ ହୋଇଯାଇଛି। ଅଲ ଓଡ଼ିଶା ଚେସ ଆସୋସିଏସନ ଏବଂ ରୋଟାରୀ କ୍ଳବ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଦୁଇ ଦିନିଆ ଚେସ ପ୍ରିମିୟର ଲିଗର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଅଲମ୍ପିକ ଆସୋସିଏସନ ସଭାପତି ସମୀର ମହାନ୍ତି ଯୋଗଦାନ କରି ଆଜିର ମୋବାଇଲ ମନସ୍କ ଛାତ୍ର ସମାଜକୁ ମୋବାଇଲରୁ ଧ୍ୟାନ ହଟେଇ ଚେସ ଖେଳ ପ୍ରତି ମନୋନିବେଶ କରିବାକୁ ଆହ୍ୱାନ ଦେଇଥିଲେ।ସେହିପରି ଏହି ସମାରୋହରେ ଅନ୍ୟତମ ଅତିଥି ଭାବେ ରୋଟାରୀ ଗଭର୍ଣ୍ଣର ମାନସ ତ୍ରିପାଠୀ, ବିଜେପି ନେତା ଗୋଲକ ମହାପାତ୍ର, ଆଇକନିକ ସ୍ପୋର୍ଟ୍ସ ଫେଡେରେସନ ଅଧ୍ୟକ୍ଷା ଚିଦାମ୍ବିକ ଖଟୁଆ, ଓଡ଼ିଶା ଚେସ ଆସୋସିଏସନ ସଦସ୍ୟ ପ୍ରଦ୍ୟୁମ୍ନ ମିଶ୍ର, ବିଜେପି ରାଜ୍ୟ ସେକ୍ରେଟାରୀ କାଳନ୍ଦୀ ସାମଲ, ରୋଟାରିଆନ ସୁଜିତ କୁମାର ରାଉତ, ଅଭିଷେକ ମିତ୍ର ପ୍ରମୁଖ ଯୋଗଦାନ କରି ଚେସ ଖେଳ ପ୍ରତି ବିଦ୍ୟାଳୟ ସ୍ତରରୁ ପିଲାମାନଙ୍କ ମନରେ ଉତ୍ସାହ ସୃଷ୍ଟି କରିବା ପାଇଁ ମତାମତ ଦେଇଥିଲେ। ରୋଟାରୀ କ୍ଳବ ସଭାପତି ସଞ୍ଜୟ ଚୌଧୁରୀଙ୍କ ପୌରୋହିତ୍ୟ ଏବଂ ସମ୍ପାଦକ ବିଶ୍ୱଜିତ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉଦଘାଟନୀ ସମାରୋହରେ ପ୍ରିମିୟର ଲିଗ ନିର୍ଦ୍ଦେଶକ ରୋଟାରିଆନ ବାସୁଦେବ ଭଟ୍ଟ ଅତିଥି ପରିଚୟ ପ୍ରଦାନ କରିବା ସହିତ ଆଗାମୀ ଦିନରେ ବିଦ୍ୟାଳୟ ସ୍ତରରୁ ଏକ ଲକ୍ଷ ଚେସ ଖେଳାଳି ସୃଷ୍ଟି କରିବା ପାଇଁ ସଂକଳ୍ପ ନେଇଥିଲେ। ସୂଚନାଯୋଗ୍ୟ ଯେ, ଆଇପିଏଲ କ୍ରିକେଟ ଢାଞ୍ଚାରେ ଖେଳାଳିଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ଚେସ ଆସୋସିଏସନ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଗତ ୧୦ ତାରିଖରେ ଚେସ ଖେଳାଳି ନିଲାମ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଓଡ଼ିଶାର ୧୨ଟି ଜିଲ୍ଲା ଏହି ନିଲାମ ପ୍ରକ୍ରିୟାରେ ଭାଗ ନେଇ ଥିବାବେଳେ ୧୨ଟି ଟିମ ଗଠନ କରାଯାଇଛି।
ପ୍ରତ୍ୟେକ ଟିମରେ ୫ଜଣ ଖେଳାଳି ରହିଥିବା ବେଳେ ନୟାଗଡ଼, ମୟୁରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼, ପୁରୀ, ଗଞ୍ଜାମ, ସୋନପୁର, ବରଗଡ଼, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡା ଏବଂ ଢେଙ୍କାନାଳ ପକ୍ଷରୁ ମୋଟ ୬୦ ଜଣ ଖେଳାଳି ନିଲାମ ପ୍ରକ୍ରିୟାରେ ମନୋନୀତ ହୋଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି। ମୁଖ୍ୟ ଆର୍ବିଟର ଅଭିଷେକ ଆଚାର୍ଯ୍ୟଙ୍କ ସହିତ ଆର୍ବିଟର ସତ୍ୟଜିତ ବାରିକ ଏବଂ ଦିଲ୍ଲୀପ କୁମାର ରଣା ଏହି ପ୍ରିମିୟର ଲିଗ ପ୍ରତିଯୋଗିତାକୁ ପରିଚାଳନା କରୁଛନ୍ତି। -
Dec 19, 2025 15:34 IST
ଜାଡ଼ରେ ଥରୁଛି ଓଡ଼ିଶାର ଦାର୍ଜିଲିଂ
People in G Udayagiri sit near wooded fire. Photograph: (sambad.in) - ଘୁ.ଉଦୟଗିରିରେ ପାରଦ ୪.୩ଡ଼ିଗ୍ରି ରେକର୍ଡ
- ପୁଣି ଖସିଲା ପାରଦ, ବଢ଼ିଲା ଶୀତ
- ବିଭିନ୍ନ ସ୍ଥାନରେ ତୁଷାରପାତ ଜାରି
- ଲୋକେ ହେଉଛନ୍ତି କଲବଲ
- ନିଆଁ ପାଖରେ ଲୋକଙ୍କର ମେଳି
-
Dec 19, 2025 09:04 IST
ବିହାରର ଛପରାରେ ଡିସେମ୍ବର ୨୧ ଯାଏଁ ସ୍କୁଲ ଛୁଟି
ଛପରା: ବିହାରରର ଛପରା ଜିଲ୍ଲାରେ ପ୍ରବଳ ଥଣ୍ଡା ଏବଂ ଶୀତଳ ଲହରୀ ଯୋଗୁଁ ପିଲାମାନଙ୍କ ସ୍ୱାସ୍ଥ୍ୟ ଏବଂ ଜୀବନ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବାକୁ ଦେଖି ଜିଲ୍ଲା ପ୍ରଶାସନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଜିଲ୍ଲା ମାଜିଷ୍ଟ୍ରେଟ୍ ବୈଭବ ଶ୍ରୀବାସ୍ତବ ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ ଧାରା ୧୬୩ ଅନୁଯାୟୀ ଏକ ନିର୍ଦ୍ଦେଶ ଜାରି କରିଛନ୍ତି, ଯାହା ସରକାରୀ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଗତ କାର୍ଯ୍ୟକଳାପକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛି। ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ଅଙ୍ଗନୱାଡି କେନ୍ଦ୍ର ସମେତ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀ ଡିସେମ୍ବର ୨୧ ୨୦୨୫ ପର୍ଯ୍ୟନ୍ତ ସ୍ଥଗିତ ରହିବ। ମିଶନ ଦକ୍ଷତା ଏବଂ ବୋର୍ଡ ପରୀକ୍ଷା ସହିତ ଜଡିତ କାର୍ଯ୍ୟକଳାପକୁ ଏହି ନିର୍ଦ୍ଦେଶରୁ ବାଦ ଦିଆଯାଇଛି। ଦଶମ ଶ୍ରେଣୀ ଉପର ଶ୍ରେଣୀଗୁଡ଼ିକ ସକାଳ ୧୦ଟାରୁ ଅପରାହ୍ନ ୪:୩୦ ପର୍ଯ୍ୟନ୍ତ ଅତ୍ୟନ୍ତ ସତର୍କତାର ସହିତ ପରିଚାଳନା କରାଯିବ।
-
Dec 19, 2025 08:20 IST
ଆଜି ଶେଷ ହେବ ସଂସଦର ଶୀତକାଳୀନ ଅଧିବେଶନ
ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆଜି ଶେଷ ହେବ। ଶୀତକାଳୀନ ଅଧିବେଶନ ସମୟରେ ବିରୋଧୀ ଦଳ ‘ବିକଶିତ ଭାରତ - ଜୀ ରାମ ଜୀ ବିଲ୍’, ଦିଲ୍ଲୀର ବାୟୁ ପ୍ରଦୂଷଣ ଏବଂ ଏସ୍ଆଇଆର ଭଳି ପ୍ରସଙ୍ଗ ଉପରେ ସରକାରଙ୍କୁ କଡ଼ା ବିରୋଧ କରିଥିଲେ। ଗୃହର ଶେଷ ଦିନ ମଧ୍ୟ ହଙ୍ଗାମା ହେବାର ଆଶା କରାଯାଉଛି। ସରକାର ଅଧିବେଶନ ଶେଷ ହେବା ପୂର୍ବରୁ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରିବାକୁ ଚେଷ୍ଟା କରୁଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ ପ୍ରଦୂଷଣ ଉପରେ ଆଲୋଚନା ପାଇଁ ଚାରି ଘଣ୍ଟା ସମୟ ଦିଆଯାଇଛି।
/fit-in/580x348/filters:format(webp)/sambad/media/media_files/2025/08/26/om-birla-2025-08-26-22-21-16.jpg)
-
Dec 19, 2025 08:01 IST
ପୋଖରୀରେ ବୁଡ଼ି ୫ ବର୍ଷ ଶିଶୁର ମୃତ୍ୟୁ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ ଗୁମ୍ମା ବ୍ଲକ ଜୀବା ଗ୍ରାମରେ ଜଣେ ବାଳକ ପୋଖରୀରେ ବୁଡ଼ି ପ୍ରାଣ ହରାଇଥିବାର ଜଣାଯାଇଛି। ମୃତ ଶିଶୁଙ୍କ ନାମ ରାହୁଲ ପ୍ରଧାନ (୫)। ଥାନାରେ ଅଭିଯୋଗ ପ୍ରକାରେ ଗତକାଲି ସନ୍ଧ୍ୟା ସମୟରୁ ନିଜ ଘରୁ କେଉଁଆଡେ ଚାଲିଯାଇଥିଲେ। ଏହାପରେ ତାଙ୍କ ପରିବାର ଓ ଗ୍ରାମବାସୀ ବହୁ ଖୋଜାଖୋଜି କରିଥିଲେ। ତେବେ ବିଳମ୍ବିତ ରାତ୍ର ସମୟରେ ପୋଖରୀରେ ଭାସୁଥିବାର ଖବର ପାଇଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ରାତ୍ର ସମୟରେ ହିଁ ଶବକୁ ଉଦ୍ଧାର କରି ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ଅଣାଯାଇଥିଲା। ଆଜି ଶବବ୍ୟବଚ୍ଛେଦ ପରେ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବାର ଜଣାଯାଇଛି। ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ୨୭/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରୀ ରହିଥିବାର ଥାନା ସୂତ୍ରରୁ ଜଣାପଡିଛି।
-
Dec 19, 2025 07:59 IST
ଦିଲ୍ଲୀରେ କୁହୁଡ଼ି: ବିମାନ ଚଳାଚଳ ପ୍ରଭାବିତି
ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ଶୁକ୍ରବାର ସକାଳେ ଘନ କୁହୁଡ଼ି ଘୋଡ଼ାଇ ଦେଇଥିଲା, ଯାହା ଫଳରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୃଶ୍ୟମାନତା ହ୍ରାସ ପାଇଥିଲା। CAT III କାର୍ଯ୍ୟାନ୍ୱୟନକୁ ବାଧ୍ୟତାମୂଳକ କରାଯାଇଥିଲା ଏବଂ ଅନେକ ବିମାନରେ ବିଳମ୍ବ ଏବଂ ବାଧା ସୃଷ୍ଟି ହୋଇଥିଲା। ଏପର୍ଯ୍ୟନ୍ତ ପ୍ରାୟ ୧୨୫ଟି ବିମାନ ବିଳମ୍ବ ହୋଇଛି। ସବୁଠାରୁ ଖରାପ ସମୟ ମଧ୍ୟରାତ୍ରିରୁ ସକାଳ ପର୍ଯ୍ୟନ୍ତ ଥିଲା, ଯେଉଁ ସମୟରେ ପ୍ରାୟ ୧୦ଟି ବିମାନ ବାତିଲ କରାଯାଇଥିଲା। ଦିନ ଆଗକୁ ବଢ଼ିବା ସହିତ ଦୃଶ୍ୟମାନତାରେ ଉନ୍ନତି ହେବା ସହିତ ବିମାନ ଯାତାୟାତରେ ଉନ୍ନତି ହେବ।
Photograph: ( Business Standard) -
Dec 19, 2025 07:32 IST
ରାତିସାରା ଧାରଣା ଦେଲେ ବିରୋଧୀ
ନୂଆଦିଲ୍ଲୀ: ବିରୋଧୀ ଦଳ ନେତାମାନେ ସଂସଦ ପରିସରରେ ଗୁରୁବାର ରାତିରେ ୧୨ ଘଣ୍ଟା ଧରି ଧାରଣାରେ ବସିଥିଲେ, ଯାହା MGNREGA ଗ୍ରାମୀଣ ନିଯୁକ୍ତି କାର୍ଯ୍ୟକ୍ରମକୁ ବଦଳାଇବାକୁ ଚାହୁଁଛି। ବିରୋଧୀ ଦଳ ନେତାମାନେ କହିଛନ୍ତି ଯେ ସେମାନେ ସାରା ଦେଶରେ ରାସ୍ତାକୁ ଓହ୍ଲାଇବେ। VB-G RAMG ବିଲ୍ 2025 ବିରୋଧରେ ତୃଣମୂଳ କଂଗ୍ରେସ ସାଂସଦମାନେ ସେମାନଙ୍କର ୧୨ ଘଣ୍ଟା ଧରି ଧାରଣାରେ ବସି ରହିଛନ୍ତି।
-
Dec 19, 2025 07:29 IST
ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦: ଆଜି ଶେଷ ମୁକାବିଲା
ଅହମଦାବାଦ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ସିରିଜର ପଞ୍ଚମ ଏବଂ ଶେଷ ମ୍ୟାଚ୍ ଶୁକ୍ରବାର ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଟିମ୍ ଇଣ୍ଡିଆ ବର୍ତ୍ତମାନ ୨-୧ରେ ଆଗୁଆ ଅଛି। ଲକ୍ଷ୍ନୌରେ ଖରାପ ପରିସ୍ଥିତି ଯୋଗୁଁ ଚତୁର୍ଥ ଟି-୨୦ ମ୍ୟାଚ୍ ଗୋଟିଏ ବି ବଲ ନ ଖେଳି ପରିତ୍ୟକ୍ତ ହୋଇଥିଲା। ଏହା ଉଭୟ ଦଳ ପାଇଁ ଏହି ମ୍ୟାଚ୍କୁ ଗୁରୁତ୍ୱପୂର୍ଣ୍ଣ କରିଥାଏ।
/fit-in/580x348/filters:format(webp)/sambad/media/media_files/2025/12/10/india-2025-12-10-01-35-12.jpg)
ଯଦି ଭାରତ ଏହି ମ୍ୟାଚ୍ ଜିତିଯାଏ, ତେବେ ସେମାନେ ୩-୧ରେ ସିରିଜ୍ ଜିତିବେ। ଏହା ଭାରତର କ୍ରମାଗତ ୧୪ତମ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ବିଜୟ ମଧ୍ୟ ହେବ, ଯାହା ନିଜ ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍ ଜିତି ସିରିଜ୍କୁ ୨-୨ରେ ସମାନ କରିବାକୁ ଚେଷ୍ଟା କରିବ। ତେଣୁ ଉଭୟ ଦଳ ଶିଥିଳ ହେବା ମନୋଭାବରେ ନାହାଁନ୍ତି।
-
Dec 19, 2025 07:14 IST
ବାଂଲାଦେଶରେ ପୁଣି ହିଂସା, ଉତ୍ତେଜନା
ଢାକା: ବାଂଲାଦେଶରେ ଗତବର୍ଷ ଜୁଲାଇ ବିଦ୍ରୋହର ଜଣେ ପ୍ରମୁଖ ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କର ଗୁରୁବାର ରାତିରେ ସିଙ୍ଗାପୁରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଗତ ସପ୍ତାହରେ ଆକ୍ରମଣକାରୀମାନେ ହାଦିଙ୍କ ମୁଣ୍ଡରେ ଗୁଳି ଚଳାଇଥିଲେ, ଯାହା ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଜାତି ଉଦ୍ଦେଶ୍ୟରେ ସମ୍ବୋଧିତ କରି ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ କହିଛନ୍ତି, ଆଜି ମୁଁ ଆପଣଙ୍କ ପାଇଁ ଏକ ଦୁଃଖଦ ଖବର ଆଣିଛି। ଜୁଲାଇ ବିଦ୍ରୋହର ଜଣେ ନିର୍ଭୀକ ଆଗ ଧାଡ଼ିର ଯୋଦ୍ଧା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦି ଆଉ ଆମ ମଧ୍ୟରେ ନାହାନ୍ତି।
Violence in Bangladesh. Photograph: (Dainik Jagaran)
Follow Us