BREAKING NEWS Photograph: (sambad.in)
ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
-
Nov 21, 2025 07:00 IST
ଅଜଣା ଗାଡ଼ି ଧକ୍କାରେ ପୁଲିସ ପାଟ୍ରୋଲିଂ ଗାଡ଼ି ଚାଳକଙ୍କ ମୃତ
କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନାରେ ଚାରିଚକିଆ ଭଡ଼ା ଗାଡ଼ି ପାଟ୍ରୋଲିଂ ପାଇଁ ନିୟୋଜିତ ହୋଇଛି। ସେଥିମଧ୍ୟରୁ ଜଣେ ଗାଡ଼ି ଚାଳକ ରାହୁଲ ସରାଫ(୪୧) ଗତକାଲି ରାତି ପ୍ରାୟ ୧୧ ସମୟରେ ଓଏମ୍ଏମ୍ ଛକରେ ଥିବା ହୋଟେଲକୁ ଖାଇବା ଆଣିବାକୁ ଯାଉଥିବାବେଳେ କୌଣସି ଏକ ଅଜଣା ଗାଡ଼ି ତାଙ୍କୁ ଧକା ଦେଇ ଫେରାର୍ ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ କୋଇଡ଼ା ଥାନା ଏସଆଇ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି କୋଇଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ପାଟ୍ରୋଲିଂ ଗାଡ଼ି ଚାଳକଜଣଙ୍କ ବରଗଡ଼ ଅଞ୍ଚଳରେ ହୋଇଥିବାବେଳେ ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁରେ ଥାନା ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀଙ୍କ ମଧ୍ୟରେ ଶୋକ ପ୍ରକାଶ ପାଇଛି।
-
Nov 21, 2025 06:59 IST
ଲୁଣ ଭାବି ଥିମେଟ ଖାଇ ୩ ଶିଶୁ ଗୁରୁତର
ନୀଳଗିରି (ଦିଲ୍ଲୀପ ସ୍ବାଇଁ): ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ମହିଷାପଟ୍ଟା ପଞ୍ଚାୟତ ଶାଳବଣୀ ଗ୍ରାମରେ ଅଜାଣତରେ ଥିମେଟ ଖାଇ ୩ ଜଣ ଶିଶୁ ଗୁରୁତର ହୋଇଛନ୍ତି।ସୂଚନା ମୁତାବକ ଉକ୍ତ ଗ୍ରାମର ବାବୁଲା ସିଂ ପୁଅ ଯୁବରାଜ ସିଂ(୮), ଅକ୍ଷୟ ସିଂଙ୍କ ଝିଅ ଇନ୍ଦୁରେଖା ସିଂ(୫)ରମେଶ ସିଂଙ୍କ ପୁଅ ଘନଶ୍ୟାମ ସିଂ(୪) ଅପରାହ୍ନ ସମୟରେ ସାଙ୍ଗ ହୋଇ ବୋହୁବୋହୂକା ଖେଳୁଥିଲେ।ଏବଂ ଛୋଟ ଛୋଟ ସଢେଇରେ ମାଟି ରଖି ଭାତ ଡାଲି ଓ ବିଭିନ୍ନ ତରକାରୀ ମାନ ପ୍ରସ୍ତୁତ କରିଥିଲେ।ଘରେ ଥିବା ଥିମେଟକୁ ଲୁଣ ଭାବି ଆଣିବା ସହ ଘରୁ ପିଆଜ ଆଣି ଉକ୍ତ ଥିମେଟରେ ଗୋଳେଇ ଖାଇଥିଲେ। ଘରର ସମସ୍ତ ପରିବାର ଲୋକେ ଉକ୍ତ ସମୟରେ ବିଲକୁ ଧାନ କାଟିବା ପାଇଁ ଯାଇଥିଲେ। ଘରକୁ ଫେରିବା ପରେ ଶିଶୁମାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାର ଦେଖି ସେମାନଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ସ୍ଥିତି ଶଙ୍କଟାପନ୍ନ ହେବାରୁ ଯୁବରାଜଙ୍କୁ ପ୍ରଥମେ ରେମୁଣା ମେଡିକାଲ କଲେଜ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ଘନଶ୍ୟାମ ଓ ଇନ୍ଦୁରେଖା ରେମୁଣା ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି।
Follow Us