BREAKING NEWS Photograph: (sambad.in)
ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
-
Nov 26, 2025 19:24 IST
୩ଶିଶୁକନ୍ୟା ଦୁଷ୍କର୍ମ ଘଟଣା: ଅଭିଯୁକ୍ତକୁ କୋର୍ଟ ଚାଲାଣ
କାଲିମେଳା (ଦୁଶାସନ ମହାପାତ୍ର): ଗତ ରବିବାର ଦିନ ୩ଜଣ ନାବାଳିକା ଶିଶୁଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ନରେନ ରାୟ(୪୭)କୁ ଏମଭି-୭୯ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଏ ସଂପର୍କରେ ଏମଭି-୭୯ ଥାନା କେସ ନଂ ୧୭୭/୨୫ରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବାର ସୂଚନା ମିଳିଛି। ଗତ ରବିବାର ଅପରାହ୍ନ ସମୟରେ ନରେନ ରାୟ ନାମକ ଏହି ବ୍ୟକ୍ତି ନିଜ ପାଖ ପଡ଼ୋଶୀ ଘରର ୩ଜଣ ନାବାଳିକା ଶିଶୁଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିଜ ଘରକୁ ଡ଼ାକି ଥିଲା।
Rape accuse sent to jail in Kalimela of Malkangiri district. Photograph: (sambad.in) ଏହି କୋମଳମତି ଶିଶୁମାନେ ଅଭିଯୁକ୍ତର ସଂପର୍କୀୟ ହୋଇଥିବାରୁ ସେମାନେ ବିନା ସଂକୋଚରେ ନରେନ ରାୟର ଘରକୁ ଚାଲିଯାଇଥିଲେ। ନରେନ ରାୟ ଘର ଭିତରେ ଏହି ୩ଜଣ ଶିଶୁଙ୍କୁ ଯେଉଁମାନଙ୍କର ବୟସ ୫ରୁ ୭ବର୍ଷ ମଧ୍ୟରେ ହେବ ସେମାନଙ୍କୁ ଶାରୀରିକ ନିର୍ଯ୍ୟାତନା ଦେବା ସହିତ ଦୁଷ୍କର୍ମ କରିଥିବାର ୩ ପରିବାର ପକ୍ଷରୁ ଗତକାଲି ଏମଭି-୭୯ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପାଇବାପରେ ତୁରନ୍ତ ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ସଦଳବଳେ ଅଭିଯୁକ୍ତର ଘରକୁ ଆସିଥିଲେ ମଧ୍ୟ ଅଭିଯୁକ୍ତ ଘରେ ନଥିବାରୁ ଦେଖିବାକୁ ମିିଳିଥିଲା। ତେବେ କୌଣସି ସୂତ୍ରରୁ ଖବର ପାଇ ଏମଭି-୧୨୬ ଜଂଗଲରେ ଲୁଚିଥିବା ଅଭିଯୁକ୍ତକୁ ପୁଲିସ ଧରିବାରେ ସଫଳ ହୋଇଥିଲା। ଏହି ଘଟଣାଟି ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।
-
Nov 26, 2025 19:12 IST
ଜୁଆଆଡ୍ଡା ଉପରେ ଚଢ଼ଉ, ପାଞ୍ଚ ଗିରଫ
Dharakote gambling accuse arrested. Photograph: (sambad.in) ଧରାକୋଟ: ଗଂଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ମୁଣ୍ଡମରାଇ ପଞ୍ଚାୟତର ପୋଡ଼ାପଲି ଗ୍ରାମ ନିକଟରେ ଥିବା ଆମ୍ବ ତୋଟା ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ କରିଛି ଧରାକୋଟ ପୁଲିସ। ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇବା ପରେ ଥାନା ଅଧିକାରୀ ଚନ୍ଦ୍ରିକା ସ୍ଵାଇଁଙ୍କ ନିର୍ଦ୍ଦେଶରେ ଏସ ଆଇ ସୁସ୍ମିତା ପଣ୍ଡା, ଏଏସ୍ଆଇ ଅନିଲ କୁମାର ଶବର, କନେଷ୍ଟେବଲ ମହେଶ୍ୱର ସ୍ୱାଇଁ, ସୀମାଞ୍ଚଳ ମହାରଣା, ମଙ୍ଗୁଳୁ ଖଣ୍ଡୁଆଳ, ଜାନକୀ କାନ୍ତ ବେହେରା, ଜେମସ ରାଇକା, ସ୍ବୟମ ଶବର ଓ ରାଜକିଶୋର ସାହୁ ପ୍ରମୁଖ ମିଳିତ ଭାବରେ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ସେଠାରୁ ପାଞ୍ଚ ଜଣ ବ୍ୟକ୍ତି, ଚାରି ଗୋଟିମୋବାଇଲ, ଚାରି ଗୋଟି ବାଇକ, ନଗଦ ୧୨,୩୦୦ ଟଙ୍କା ଜବତ କରିଥିଲେ। ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
-
Nov 26, 2025 19:09 IST
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର
ଝରିଗାଁ: ନବରଂଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତ ଧାନ ମିଲ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଇଚ୍ଛାପୁର ପଞ୍ଚାୟତ ସଦର ମହକୁମାର ଦଳସାୟୀ ଜାନୀ(୪୨) ବାଇକ ଯୋଗେ ବେଲଗାଁ ଆଶ୍ରମ ବିଦ୍ୟାଳୟରେ ପାଠ ପଢୁ ଥିବା ନିଜ ପୁଅକୁ ସାକ୍ଷାତ କରିବା ପାଇଁ ଯାଇ ଘରକୁ ଫେରିଥିଲେ। ଦିନ ପ୍ରାୟ ୧୨ ଘଣ୍ଟା ସମୟରେ କୁଟ୍ରିଛାପର ପଞ୍ଚାୟତ ନିକଟରେ ଚଚା ପଞ୍ଚାୟତ ଅନ୍ତର୍ଗତ ଭେଜିଗୁଡ଼ା ଗ୍ରାମର ନକୁଳ ଗୌଡ଼, ବିକ୍ରମ ପୂଜାରୀ, ନବ ଭତରା ତିନି ଜଣ ବିପରୀତ ଦିଗରୁ ବାଇକରେ ଆସୁଥିବା ବେଳେ ବାଇକରେ ଭାରସାମ୍ୟ ହରାଇ ଦଳସାୟୀ ଜାଣିଙ୍କ ବାଇକ୍ ସହ ଧକ୍କା ହୋଇଥିଲା। ଫଳରେ ଦଳସାୟୀଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗ ସହାୟତାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ପ୍ରାଥମିକ ଚିକିତ୍ସା ପରେ ଦଳସାୟୀ ସୁସ୍ଥ ଥିବା ସୂଚନା ମିଳିଛି। ସେହିପରି ଅନ୍ୟ ତିନି ଜଣଙ୍କୁ କୌଣସି ଆଘାତ ଲାଗିନଥିବା ଜଣାପଡ଼ିଛି।
-
Nov 26, 2025 19:08 IST
ପୋଡ଼ାଇଟା ଭାଟି ଭାଙ୍ଗିଲେ ତହସିଲଦାର
Illegals brick cline demolished at Dharakote. Photograph: (sambad.in) ଧରାକୋଟ (ପୂର୍ଣ୍ଣଚନ୍ଦ୍ର ନାୟକ): ଗଂଜାମ ଜିଲ୍ଲା ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି ଆକ୍ସନ ମୁଡକୁ ଆସିଛନ୍ତି। ବେଆଇନ ଭାବରେ ଆରମ୍ଭ ହେଉଥିବା ପୋଡ଼ା ଇଟାଭାଟି ଭାଙ୍ଗିଛନ୍ତି। ଆଜି ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ତହସିଲଦାର ଗଣେଶ ଦଳାଇ, ସୁପରଭାଇଯର ସୁଜ୍ଞାନି ବେହେରା,ରାଜସ୍ବ ନୀରିକ୍ଷକ ଏସ ଜଗେୟା ଓ ବଡଗଡ ପୁଲିସ ଧରାକୋଟ ତହସିଲ ଅନ୍ତର୍ଗତ ମାଣିକପୁର ରାଜସ୍ବ ସର୍କଲ ଅଧିନସ୍ଥ ଜଳି ଗ୍ରାମ ସର୍ଣିକଟରେ ନୁଆରେ ଆରମ୍ଭ ହୋଇଥିବା ପ୍ରସନ୍ନ ଚୌଧୁରୀଙ୍କ ଇଟା ଭାଟିକୁ ଜେସିବି ଲଗାଇ ଭାଙ୍ଗିଥିଲେ। ନୂତନ ଭାବରେ ଗଢା ଯାଇଥିବା ପ୍ରାୟ ତିରିଶି ହଜାର ମାଟି ଇଟା ଆଜି ଭଙ୍ଗା ଯାଇଥିବା ବେଳେ ଏ ସମ୍ପର୍କରେ ତହସିଲଦାରଙ୍କ ସହ ଯୋଗାଯୋଗ ବେଳେ ବେଆଇନ ଭାବରେ ଗଢି ଉଠୁଥିବା ଇଟାଭାଟି କୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ପ୍ରକାଶ କରିଛନ୍ତି। ଆଜିର ଘଟଣା ପରେ ବେଆଇନ ଭାବେ ଇଟା ଭାଟି ବଢୁଥିବା ମାଲିକଙ୍କ ମଧ୍ୟରେ ଛନକା ପଶିଯାଇଛି।
-
Nov 26, 2025 18:27 IST
ଛୁରାମାଡ଼ରେ ଯୁବକ ଗୁରୁତର
ଝରିଗାଁ: ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ହୋଇ ଥିବା ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚା ପଂଚାୟତ ଅନ୍ତର୍ଗତ ଭେଜିଗୁଡ଼ା ଗ୍ରାମରେ ମଙ୍ଗଳବାର ଦିନ ରାତିରେ ନାଟକ ଚାଲିଥିଲା। ଭେଜିଗୁଡା ଗ୍ରାମର ବୈରାଗୀ ମାଝୀଙ୍କ ସାନ ପୁଅ ତରୁଣ ମାଝୀ(୧୮) ଜୟସେନ ମାଝୀ, ରୁଦ୍ର ହରିଜନ, କେଶବ ହରିଜନ, ଲୋକନାଥ ହରିଜନ ପ୍ରମୁଖ ନାଟ ଦେଖିବାକୁ ଯାଇଥିଲେ। ନାଟ ଦେଖିବା ସମୟରେ ତରୁଣ ଓ ଜୟସେନ ମଧ୍ୟରେ କୌଣସି ଏକ କାରଣ ଯୋଗୁଁ ଗଣ୍ଡଗଲ ହୋଇଥିଲା। ଜୟସେନ ପ୍ରଥମେ ପାଖରେ ପଡ଼ିଥିବା ଏକ ପଥର ଉଠେଇ ତରୁଣର ମୁଣ୍ଡରେ ଆଘାତ କରିବା ପରେ ଘରକୁ ଚାଲି ଯାଇଥିଲା। ପରେ ଘରୁ ଏକ ଛୁରୀ ଆଣି ଘଟଣା ସ୍ଥଳରେ ପହଂଚି ତରୁଣର ବାମ ଛାତିରେ ଭୁସି ଦେଇଥିଲା ଓ ଛୁରୀକୁ ଫିଙ୍ଗିଦେଇ ଦୌଡି ପଳେଇଥିଲା।
ଏ ଖବର ତରୁଣର ବଡଭାଇ ହେମନ୍ତ ମାଝୀ ଶୁଣିବା ପରେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଂଚି ଆମ୍ବୁଲାନ୍ସକୁ ଯୋଗେ ତରୁଣକୁ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତରୁଣର ପ୍ରାଥମିକ ଚିକିତ୍ସା ପରେ ତାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ତରୁଣର ବାପା ବୈରାଗୀ ମାଝୀ ଘଟଣା ନେଇ ଝରିଗାଁ ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି।
-
Nov 26, 2025 17:47 IST
ତହସିଲଦାରଙ୍କୁ ଆକ୍ରମଣ ପରେ ଆକ୍ସନ ମୋଡ଼ରେ ପ୍ରଶାସନ
Administrative action against sand smugglers. Photograph: (sambad.in) ବେତନଟୀ (ଦୀପକ କୁମାର ସିଂହ): ଗତକାଲି ସନ୍ଧ୍ୟାରେ ୧୮ନଂ ଜାତୀୟ ରାଜପଥ ପାର୍ଶ୍ୱରେ ବାଲି ମାଫିଆମାନେ ସଂଘବଦ୍ଧ ହୋଇ ବେତନଟୀ ତହସିଲଦାରଙ୍କୁ ଆକ୍ରମଣ ଘଟଣା ଘଟଣା ପରେ ଆକ୍ସନ ମୋଡ଼ରେ ଜିଲ୍ଲା ପ୍ରଶାସନl ଆଜି ମଧ୍ୟାହ୍ନ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲା ଉପଜିଲ୍ଲାପାଳ ଦୟାସିନ୍ଧୁ ପରିଡ଼ାଙ୍କ ନେତୃତ୍ୱରେ ସବଡିଭିଜନାଲ ଏନଫୋର୍ସମେଣ୍ଟ ଟିମର ବେତନଟୀ ବିଡ଼ିଓ, ଏକାଧିକ ତହସିଲଦାର, ଅତିରିକ୍ତ ତହସିଲଦାର ଓ ମାଇନିଂ ଅଧିକାରୀମାନେ ବୁଢ଼ାବଳଙ୍ଗ ନଦୀର ବଡ଼ସାହି ଓ ବେତନଟୀ ବ୍ଲକର ବର୍ତ୍ତନା, ହରିପୁର, ମାଧପୁର ଓ କାଠପାଳ ପ୍ରଭୁତି ଘାଟରେ ଆତର୍କିତ ଚଢ଼ାଉ କରିଛନ୍ତିl ତେବେ ମାଧପୁର ଓ କାଠପାଳ ଘାଟରେ ଥିବା ବେଆଇନ ବାଲି ଗଦାକୁ ନିଲାମ କରି ପାଖାପାଖି ଦେଢ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ କରିଛନ୍ତିl ଅନ୍ୟପଟେ କାଠପାଳ ଘାଟରୁ ଏକ ବାଲି ଉତ୍ତୋଳନ ପାଇଁ ରଖାଯାଇଥିବା ଚେନ ପୁଲି ମେସିନ ଜବତ କରିଛନ୍ତି l
-
Nov 26, 2025 17:16 IST
ଦଂପତିଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା-ସୁନା ଲୁଟ୍!
ଝରିଗାଁ (ରମେଶ ପଟ୍ଟନାୟକ): ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ହାତିବାଡ଼ି ଗ୍ରାମରେ ମଙ୍ଗଳବାର-ବୁଧବାର ରାତିରେ ବଡ଼ଧରଣର ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ସ୍ୱାମୀ ଏବଂ ସ୍ତ୍ରୀଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଚୋରି କରି ଫେରାର ହୋଇ ଯାଇଛନ୍ତି। ହାତିବାଡ଼ି ଗ୍ରାମର ସାନ୍ତା ସାହିର ଭିବୁପଦ ସ୍ୱାଇଁ ଘର ଅଗଣାରେ ଶୋଇଥିଲେ। ରାତ୍ର ପ୍ରାୟ ୧ଟା ସମୟରେ ହଠାତ ମୁଖା ପିନ୍ଧା ୮ରୁ ୧୦ ଜଣ ଦୁର୍ବୃତ୍ତ ଆସି ମାରଣାସ୍ତ୍ର ଦେଖାଇ ପ୍ରଥମେ ଭିବୁପଦଙ୍କୁ ଭୟଭୀତ କରାଇଥିଲେ ଏବଂ ଭିବୁପଦଙ୍କ ଗୋଡ଼ହାତ ବାନ୍ଧି ଦେଇଥିଲେ। ପରେ ଛୁରୀରେ ଆକ୍ରମଣ କରି ଭିବୁପଦ ଡାହାଣ ହାତର ମଝି ଆଙ୍ଗୁଳିରେ ପିନ୍ଧି ଥିବା ସୁନା ମୁଦି ନେଇ ଯାଇଥିଲେ।
Loot in Jharigaon Photograph: (sambad.in) ଭିବୁପଦ ଚିତ୍କାର କରିବା ପରେ ଘର ଭିତରେ ଶୋଇ ଥିବା ସ୍ତ୍ରୀ ଲଷ୍ମୀପ୍ରିୟା କବାଟ ଖୋଲିଥିଲେ। ଲଷ୍ମୀପ୍ରିୟାଙ୍କୁ ଭୟଭୀତ କରାଇ ଦୁର୍ବୃତ୍ତମାନେ ଘର ଭିତରୁ ପ୍ରବେଶ କରିଥିଲେ। ପରେ ଆଲମାରୀ ଭିତରେ ଥିବା ପ୍ରାୟ ୩ ଲକ୍ଷ ଟଙ୍କା ସହ ପ୍ରାୟ ୧ ଶହ ଗ୍ରାମ ସୁନା ସଂଗ୍ରହ କରି ନେଇ ଯାଉଥିଲେ। ଲଷ୍ମୀପ୍ରିୟା ପ୍ରତିରୋଧ କରିବା ଯୋଗୁଁ ଦୁର୍ବୁତ୍ତମାନେ ଅଣ୍ଟାରେ ଛୁରୀ ଭୁସି ଦେଇଥିଲେ। ଲଷ୍ମୀପ୍ରିୟା ଗୁରୁତର ହେବା ପରେ ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ।
ଶେଷରେ ସାହି ପଡ଼ିଶାଙ୍କ ସହାୟତାରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲଷ୍ମୀପ୍ରିୟାଙ୍କ ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଯୋଗୁଁ ପ୍ରଥମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଝରିଗାଁ ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।
-
Nov 26, 2025 15:54 IST
ଡିସେମ୍ବର ୧ତାରିଖରୁ ଖୋଲିବ ଶ୍ରୀ ଗୁଣ୍ଡିଚା ମନ୍ଦିର
- ଡିସେମ୍ବର ୧ତାରିଖରୁ ଖୋଲିବ ଶ୍ରୀ ଗୁଣ୍ଡିଚା ମନ୍ଦିର
- ଘରୋଇ ସଂସ୍ଥା ଆଉ ପରିଚାଳନା କରିବନି
- ଶ୍ରୀମନ୍ଦିର ପ୍ରଶାସନ ନିଜେ ପରିଚାଳନା କରିବ
- ପ୍ରବେଶ ଶୁଳ୍କ ନେଇ ପରେ ହେବ ନିଷ୍ପତ୍ତି
- କରୋନା ବେଳୁ ବନ୍ଦ ଥିଲା ସାଧାରଣ ଲୋକଙ୍କ ପ୍ରବେଶ
- ଦୀର୍ଘ ଦିନରୁ ମୁକ୍ତ ପ୍ରବେଶ ପାଇଁ ଦାବି ହୋଇ ଆସୁଥିଲା
- ୬ବର୍ଷ ପରେ ଖୋଲିବାକୁ ଯାଉଛି ଶ୍ରୀ ଗୁଣ୍ଡିଚା ମନ୍ଦିର
-
Nov 26, 2025 10:48 IST
କୁଚିଣ୍ଡାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମବାର୍ଷିକୀରେ ଏକତା ପଦଯାତ୍ରା
କୁଚିଣ୍ଡା: ଆଜି କୁଚିଣ୍ଡାଠାରେ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ବିରାଟ ପଦଯାତ୍ରା ଓ ସାଧାରଣ ସଭା। ଓଡ଼ିଶା ସରକାରଙ୍କ ପଂଚାୟତି ରାଜ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ମୁଖ୍ୟ ଅତିଥି,ଡିଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ସିଦ୍ଧେଶ୍ବର ବୋନ୍ଦର, ଏସପି ମୁକେଶ ଭାମୁ, କୁଚିଣ୍ଡା ଉପଜିଲ୍ଲାପାଳ ସରୱାନନ ସ, ପି ଏ ଆଇ ଟି ଡି ଏ ହେମସାଗର ଭୋଇ, କେନ୍ଦୁପତ୍ର ଡ଼ିଏଫ.ଓ, କୁଚିଣ୍ଡା ବି ଡି ଓ ଜୟନ୍ତ ସାହୁ, ଏନଏସି ଅଫିସର ନଗର ସଭାପତି ପ୍ରାଣବନ୍ଧୁ ନାଥ, ଅନୁପମା ନାୟକ, ସୁଶୀଲ କର, କୁଚିଣ୍ଡା ଅଂଚଳର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଜାତୀୟ ପତାକା ଧରି ଏକ ପଦଯାତ୍ରାରେ ସହର ପରିକ୍ରମା କରି ଏକତାର ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।
ekata padayatra at kuchinda Photograph: (sambad.in) -
Nov 26, 2025 06:20 IST
ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ: ଭାରତ
ଅରୁଣାଚଳ ପ୍ରଦେଶ ସମ୍ପର୍କରେ ଚୀନର ଉତ୍ତେଜନାମୂଳକ ବୟାନ ଉପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦୃଢ଼ ପ୍ରତିବାଦ କରିଛି। ଚୀନକୁ ଜବାବ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଏବଂ ଅବିଚ୍ଛେଦ୍ୟ ଅଂଶ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଚୀନର କୌଣସି ବିବୃତ୍ତି ଏହି ସତ୍ୟକୁ ପରିବର୍ତ୍ତନ କରିପାରିବ ନାହିଁ।
ଶ୍ରୀ ଜୟସୱାଲ କହିଛନ୍ତି, ଆମେ ଅରୁଣାଚଳ ପ୍ରଦେଶର ଜଣେ ଭାରତୀୟ ନାଗରିକଙ୍କୁ ମନମୁଖୀ ଅଟକ ରଖିବା ସମ୍ପର୍କରେ ଚୀନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବିବୃତ୍ତି ଦେଖିଛୁ। ତାଙ୍କ ପାଖରେ ଏକ ବୈଧ ପାସପୋର୍ଟ ଥିଲା ଏବଂ ସେ ଜାପାନ ଅଭିମୁଖେ ଯାତ୍ରା ପାଇଁ ସାଂଘାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପ୍ରସ୍ଥାନ କରୁଥିଲେ। ଅଟକ ପ୍ରସଙ୍ଗ ଚୀନ୍ ପକ୍ଷରୁ ଦୃଢ଼ ଭାବରେ ଉଠାଯାଇଛି। ଚୀନ୍ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ସେମାନଙ୍କ କାର୍ଯ୍ୟ ପାଇଁ କୌଣସି ସ୍ପଷ୍ଟୀକରଣ ଦେଇନାହାଁନ୍ତି, ଯାହା ଅନ୍ତର୍ଜାତୀୟ ବିମାନ ଯାତ୍ରାକୁ ନିୟନ୍ତ୍ରଣ କରୁଥିବା ଅନେକ ନିୟମ ଉଲ୍ଲଂଘନ କରେ।
-
Nov 26, 2025 06:18 IST
ଆଜି ସମ୍ବିଧାନ ଦିବସ: ସଂସଦରେ ଭବ୍ୟ ଆୟୋଜନ
ନୂଆଦିଲ୍ଲୀ: ସଂସଦର କେନ୍ଦ୍ରୀୟ ହଲରେ ଆଜି ସମ୍ବିଧାନ ଦିବସ ପାଳନ ପାଇଁ ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ଅଧ୍ୟକ୍ଷତା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ସି.ପି. ରାଧାକୃଷ୍ଣନ୍, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ କେନ୍ଦ୍ର ମନ୍ତ୍ରୀ ଏବଂ ସଂସଦ ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିବେ।ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ଲୋକସଭା ବାଚସ୍ପତି ଗୃହକୁ ସମ୍ବୋଧିତ କରିବେ।
ଉଲ୍ଲେଖନୀୟ ଯେ ସରକାର ୨୬ ନଭେମ୍ବର ୧୯୪୯ରେ ସମ୍ବିଧାନ ସଭା ଦ୍ୱାରା ସମ୍ବିଧାନ ଗ୍ରହଣକୁ ସ୍ମରଣ କରିବା ପାଇଁ ୨୦୧୫ରୁ ସମ୍ବିଧାନ ଦିବସ ପାଳନ କରିଆସୁଛନ୍ତି। ସମ୍ବିଧାନର କିଛି ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରାଯାଇଥିଲା। କିନ୍ତୁ ଅନ୍ୟଗୁଡ଼ିକ ୨୬ ଜାନୁଆରୀ ୧୯୫୦ରେ କାର୍ଯ୍ୟକାରୀ ହୋଇଥିଲା। ଯେତେବେଳେ ଭାରତ ଏକ ଗଣରାଜ୍ୟ ହୋଇଥିଲା।
Follow Us