ହେଲମେଟ୍‌ବିହୀନ ଚାଳକଙ୍କୁ ଜଗିବ ‘ନେକ୍ସଟ୍ ଜେନ୍ ଏମ୍’ ଆପ୍

Advertisment

ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିବା ବାଇକ୍ ଚାଳକମାନଙ୍କୁ ଏଣିକି ପୁଲିସ ଓ ଆରଟିଓ ଅଧିକାରୀଙ୍କ ସହିତ ସାଧାରଣ ଲୋକେ ବି ଜଗିବେ। ସାଧାରଣ ଲୋକେ ପରିବହନ ବିଭାଗ ପକ୍ଷରୁ ପ୍ରସ୍ତୁତ ଏକ ସ୍ବତନ୍ତ୍ର ଆପ୍ଲିକେସନରେ...

ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିବା ବାଇକ୍ ଚାଳକମାନଙ୍କୁ ଏଣିକି ପୁଲିସ ଓ ଆରଟିଓ ଅଧିକାରୀଙ୍କ ସହିତ ସାଧାରଣ ଲୋକେ ବି ଜଗିବେ। ସାଧାରଣ ଲୋକେ ପରିବହନ ବିଭାଗ ପକ୍ଷରୁ ପ୍ରସ୍ତୁତ ଏକ ସ୍ବତନ୍ତ୍ର ଆପ୍ଲିକେସନରେ...

helmet

କଟକ: ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିବା ବାଇକ୍ ଚାଳକମାନଙ୍କୁ ଏଣିକି ପୁଲିସ ଓ ଆରଟିଓ ଅଧିକାରୀଙ୍କ ସହିତ ସାଧାରଣ ଲୋକେ ବି ଜଗିବେ। ସାଧାରଣ ଲୋକେ ପରିବହନ ବିଭାଗ ପକ୍ଷରୁ ପ୍ରସ୍ତୁତ ଏକ ସ୍ବତନ୍ତ୍ର ଆପ୍ଲିକେସନରେ ନିୟମ ଖିଲାପକାରୀ ବାଇକ୍‌ ଚାଳକଙ୍କ ଭିଡିଓ ରେକର୍ଡ କରି ଆପ୍ଲିକେସନରେ ଅପ୍‌ଲୋଡ୍‌ କରିବେ। ସେହି ଆଧାରରେ ପରିବହନ ବିଭାଗ ଜରିମାନା ଆଦାୟ କରିବ। ପ୍ରାଥମିକ ପର୍ଯ୍ୟାୟରେ ଏହି ଆପ୍ଲିକେସନ୍ ମାଧ୍ୟମରେ ପରିବହନ ବିଭାଗ ୮୦ ଜଣ ବାଇକ୍ ଚାଳକଙ୍କ ବିରୋଧରେ ଜରିମାନା ଲଗାଇ ସାରିଲାଣି। ସୂଚନା ଅନୁଯାୟୀ, ପରିବହନ ବିଭାଗରେ କର୍ମଚାରୀ ଅଭାବ ସମସ୍ୟା ବଢ଼ିବାରେ ଲାଗିଛି। ଟ୍ରାଫିକ୍‌ ନିୟମ ଭାଙ୍ଗୁଥିବା ଗାଡ଼ି ଚାଳକଙ୍କ ପାଇଁ ଏନ୍‌ଫୋର୍ସମେଣ୍ଟରେ ଆର୍‌ଟିଓ ପକ୍ଷରୁ ପର୍ଯ୍ୟାପ୍ତ ଅଧିକାରୀଙ୍କୁ ନିୟୋଜିତ କରାଯାଇ ପାରୁନାହିଁ। ସେହିଭଳି ପୁଲିସ ଗ୍ରାମାଞ୍ଚଳରେ ମଧ୍ୟ ଟ୍ରାଫିକ ନିୟମକୁ କଡ଼ାକଡ଼ି କରିପାରୁନାହିଁ। କମିସନରେଟ୍ ପୁଲିସକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାଗୁଡ଼ିକରେ ଟ୍ରାଫିକ ନିୟମ ସେଭଳି କାର୍ଯ୍ୟକାରୀ ହୋଇପାରୁନାହିଁ। ଏଭଳି ସ୍ଥିତିରେ ବାଇକ୍ ଚାଳକଙ୍କ ମନମାନି ଯୋଗୁ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହାର ବୃଦ୍ଧି ପାଇବାରେ ଲାଗିଛି।

ପରିବହନ ବିଭାଗର ତଥ୍ୟ ମୁତାବକ, ୨୦୨୩ ବର୍ଷରେ ରାଜ୍ୟରେ ୪ ହଜାର ୮୫୨ଟି ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧ ହଜାର ୭୬୯ ଜଣ ବାଇକ୍ ଚାଳକ ହେଲମେଟ୍ ପିନ୍ଧି ନଥିବା ଯୋଗୁଁ ପ୍ରାଣ ହରାଇଛନ୍ତି। ଏହି ବର୍ଷ ମଧ୍ୟରେ ଗାଡ଼ି ଚଳାଇବା ବେଳେ ମୋବାଇଲ୍ ବ୍ୟବହାର ଯୋଗୁଁ ୪୩୩ଟି ଦୁର୍ଘଟଣା ଘଟିଛି। ଏଥିରେ ୨୪୭ ଜଣ ଗୁରୁତର ହୋଇଥିବା ବେଳେ ୧୬୩ ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି ସ୍ଥିତିର ମୁକାବିଲା ପାଇଁ ସାଧାରଣ ଲୋକଙ୍କୁ ଟ୍ରାଫିକ ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟକ୍ରମରେ ଯୋଡ଼ାଯାଇଛି। 

 ଭିଡିଓ ରେକର୍ଡ କରି ଅପ୍‌ଲୋଡ୍ କରିବେ ସାଧାରଣ ଲୋକ
୨୦୨୩ରେ ବିନା ହେଲମେଟ୍‌ରେ ୧୭୬୯ଜଣଙ୍କ ମୃତ୍ୟୁ

କେନ୍ଦ୍ର ସରକାରଙ୍କ ଏନ୍‌ଆଇସି(ନ୍ୟାସନାଲ୍ ଇନ୍‌ଫରମେଟିକ୍ ସେଣ୍ଟର) ଦ୍ବାରା ପ୍ରସ୍ତୁତ ‘ନେକ୍ସଟ୍ ଜେନ୍ ଏମ୍ ପରିବହନ’ ଆପ୍ଲିକେସନ୍ ଗୁଗୁଲ୍ ପ୍ଲେ ଷ୍ଟୋର୍‌ ମାଧ୍ୟମରେ ମୋବାଇଲରେ ସାଧାରଣ ଜନତା ଡାଉନଲୋଡ୍ କରିପାରିବେ। ଏହାକୁ ଡାଉନଲୋଡ୍ କରିବା ପରେ ଏଥିରେ ଥିବା କ୍ୟାମେରା ମାଧ୍ୟମରେ ସିଧାସଳଖ ଖିଲାପୀ ବାଇକ ଚାଳକଙ୍କ ଭିଡିଓ ରେକର୍ଡ କରି ଅପଲୋଡ୍ କରିବେ। ଏଥିରେ କେହି ଏଡିଟ୍ କରି ଭିଡିଓ ଅପଲୋଡ୍ କରିପାରିବେ ନାହିଁ। ବର୍ତ୍ତମାନ କେବଳ ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିବା ଚାଳକଙ୍କ ଭିଡିଓ ଅପଲୋଡ୍ କରିବାର ବ୍ୟବସ୍ଥା କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଗାଡ଼ି ଚଳାଇବା ସମୟରେ ମୋବାଇଲରେ କଥା ହେଉଥିବା ଚାଳକଙ୍କ ଭିଡିଓ ଅପ୍‌ଲୋଡ୍‌ ବ୍ୟବସ୍ଥା କରାଯିବ। ବର୍ତ୍ତମାନ ବିନା ହେଲମେଟରେ ଗାଡ଼ି ଚଳାଉଥିବା ଅଭିଯୋଗରେ ୮୦ଟି ଭିଡିଓ ଏହି ଆପ୍ଲିକେସନ୍‌ରେ ଅପ୍‌ଲୋଡ୍‌ ହୋଇଥିବା ବେଳେ ସମ୍ପୃକ୍ତ ଚାଳକଙ୍କ ବିରୋଧରେ ୧ ହଜାର ଟଙ୍କା ଲେଖାଏଁ କରି ଚାଲାଣ କଟାଯାଇଛି। ଭିଡିଓ ଅପ୍‌ଲୋଡ ପରେ ଇ-ଚାଲାଣ ଡିଭାଇସ୍‌କୁ ଏହି ଭିଡିଓ ଆସିବ ଏବଂ ନମ୍ବର ଆଧାରରେ ଚାଲାଣ କଟାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe