ସର୍ଭେ ରିପୋର୍ଟକୁ ଭୁଲ୍‌ ଦର୍ଶାଇଲେ ଏନ୍‌ଜିଟି: ମୟୂରଭଞ୍ଜରେ ବାଲି ଉତ୍ତୋଳନରେ ରୋକ୍‌

Advertisment
ସର୍ଭେ ରିପୋର୍ଟକୁ ଭୁଲ୍‌ ଦର୍ଶାଇଲେ ଏନ୍‌ଜିଟି: ମୟୂରଭଞ୍ଜରେ ବାଲି ଉତ୍ତୋଳନରେ ରୋକ୍‌

ବେତନଟୀ ସଦର/ ବେତନଟୀ: ବୁଢ଼ାବଳଙ୍ଗ ନଦୀରୁ ବାଲି ଉତ୍ତୋଳନ ନେଇ ପୁଣିଥରେ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ଙ୍କ ଛାଟ ବାଜିଛି। ଜିଲ୍ଲା ସର୍ଭେ ରିପୋର୍ଟ(ଡିଏସ୍‌ଆର୍‌)କୁ ଭୁଲ୍‌ ଦର୍ଶାଇ ନଦୀଶଯ୍ୟାରୁ ବାଲି ଉତ୍ତୋଳନ ଉପରେ ରୋକ୍‌ ଲଗାଇଛନ୍ତି ଏନ୍‌ଜିଟି। ମୟୂରଭଞ୍ଜ ଜିଲ୍ଲାର ବେତନଟୀ ତହସିଲ ଅନ୍ତର୍ଗତ ବୁଢ଼ାବଳଙ୍ଗ ବାଲିଶଯ୍ୟା-୧ର ଉତ୍ସକୁ ୫ ବର୍ଷ ଲିଜ୍ ଦେବାପାଇଁ ଗତ ଜୁନ୍‌ ୨୦ ତାରିଖରେ ପ୍ରକାଶିତ ବିଜ୍ଞପ୍ତିକୁ ବିରୋଧ କରି ପରିବେଶବିତ୍‌ ବିବେକାନନ୍ଦ ପଟ୍ଟନାୟକଙ୍କ ଦାୟର ମାମଲାର ଶୁଣାଣି କରି ଏନ୍‌ଜିଟି ଏପରି ରାୟ ପ୍ରଦାନ କରିଛନ୍ତି।

ବିବରଣୀ ଅନୁସାରେ, ବେତନଟୀ ବ୍ଲକ୍‌ର ୪.୯୮ ହେକ୍ଟର ଅଞ୍ଚଳ ବିଶିଷ୍ଟ ବୁଢ଼ାବଳଙ୍ଗ ବାଲିଶଯ୍ୟା-୧ ଅନ୍ତର୍ଗତ ବେଲାଣପୁରା, ମଧୁନଣ୍ଡା ଓ ଡେଁଫୌଦା ବାଲି ସୈରାତ୍‌କୁ ୫ ବର୍ଷ ପାଇଁ ନିଲାମ ଲାଗି ଚଳିତ ବର୍ଷ ୨୦୨୪ ଜୁନ୍‌ ୨୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତିରେ ଏହି ଉତ୍ସ ୫ ହେକ୍ଟରରୁ କମ୍‌ ବୋଲି ଉଲ୍ଲେଖ କରାଯାଇଥିଲା। କିନ୍ତୁ ଅନ୍ତରୀଣ ଜିଲ୍ଲା ସର୍ଭେ ରିପୋର୍ଟରେ ଏହା ୫.୦୧ ହେକ୍ଟର ବୋଲି ଉଲ୍ଲେଖ ରହିଛି। ଏହାକୁ ବିରୋଧ କରି ପରିବେଶବିତ୍‌ ବିବେକାନନ୍ଦ ପଟ୍ଟନାୟକ କୋଲକାତାସ୍ଥିତ ଜାତୀୟ ଗ୍ରିନ ଟ୍ରିବ୍ୟୁନାଲରେ ଦ୍ବାରସ୍ଥ ହୋଇଥିଲେ। ଏଥିରେ ସେ ଦର୍ଶାଇଥିଲେ, ସଂଶୋଧିତ ଜିଲ୍ଲା ସର୍ଭେ ରିପୋର୍ଟ ମୟୂରଭଞ୍ଜ ଜିଲ୍ଲାପାଳ ଉପସ୍ଥାପନ କରିଥିବା ବେଳେ ରାଜ୍ୟ ପରିବେଶ ପ୍ରଭାବ ଆକଳନ ପ୍ରାଧିକରଣ(ଏସ୍‌ଇଆଇଏଏ) ଏନେଇ ଅନୁମୋଦନ ଦେଇନାହାନ୍ତି। ଖଣିଜ ଲିଜ୍ ପୂର୍ବରୁ ଡିଏସ୍‌ଆର ବାଧ୍ୟତାମୂଳକ ଓ ଡିଏସ୍‌ଆରର ଅନୁପସ୍ଥିତିରେ ଜୁନ୍‌ ୨୦ରେ ପ୍ରକାଶିତ ନିଲାମ ନୋଟିସ୍‌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ ଦର୍ଶାଇଥିଲେ।

ଗତ ୮ ତାରିଖ ଏହି ମାମଲାର ଶୁଣାଣି ଜୁଡିସିଆଲ ସେକ୍ସନ ଜଷ୍ଟିସ ବି. ଷ୍ଟାଲକର ଓ ଏକ୍ସପୋର୍ଟ ମେମ୍ବର ଅରୁଣ କୁମାର ବର୍ମାଙ୍କ ଖଣ୍ଡପୀଠରେ ହୋଇଥିଲା। ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଲଘୁଖଣିଜ ପଦାର୍ଥ ଉତ୍ତୋଳନ ବନ୍ଦ ରଖିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ମାମଲାର ପରିଚାଳନା କରିଥିଲେ।
ଉଲ୍ଲେଖଯୋଗ୍ୟ, ପରିବେଶବିତ୍‌ ବିବେକାନନ୍ଦ ପଟ୍ଟନାୟକ ୨୦୨୨ ଅପ୍ରେଲ ୪ରେ ମଧ୍ୟ ଏନ୍‌ଜିଟିରେ ଦ୍ବାରସ୍ଥ ହୋଇଥିଲେ। ୨୦୨୨ ଅଗଷ୍ଟ ୨୬ରେ ଏନ୍‌ଜିଟି ସେହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରି ‘ରାଜ୍ୟ ପରିବେଶ ପ୍ରଭାବ ଆକଳନ ପ୍ରାଧିକରଣର ଚୂଡ଼ାନ୍ତ ଆଦେଶ ଯାଏ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।  ବର୍ତ୍ତମାନ ଏନ୍‌ଜିଟି ରାୟ ପରେ ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ, ଘରୋଇ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe