ଜିଲ୍ଲାପାଳ, ଡିଏଫ୍‌ଓଙ୍କୁ ଏନ୍‌ଜିଟି ଛାଟ

ରିପୋର୍ଟ ଦାଖଲ ନକରି ତଣ୍ଡ ଗଣିବେ

ଜିଲ୍ଲାପାଳ, ଡିଏଫ୍‌ଓଙ୍କୁ ଏନ୍‌ଜିଟି ଛାଟ

କେନ୍ଦୁଝର : ଜାତୀୟ ସବୁଜ ପ୍ରାଧିକରଣ ବା ଏନ୍‌ଜିଟି କେନ୍ଦୁଝର ଜିଲ୍ଲାପାଳ ଏବଂ ଡିଏଫଓଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି। କେନ୍ଦୁଝର ସଦର ଥାନା ବାୟାପଣ୍ଡାଧାରରେ ମଣ୍ଟେକାର୍ଲୋ କମ୍ପାନି ବେଆଇନ ଭାବେ ନିଜର କ୍ୟାମ୍ପ ବସାଇବା ସହିତ କଂକ୍ରିଟ ମିକ୍ସ ପ୍ଲାଣ୍ଟ, କ୍ରସର ଆଦି ନିର୍ମାଣ କରିଛି। ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ଜାତୀୟ ସବୁଜ ପ୍ରାଧିକରଣ ଜିଲ୍ଲାପାଳ ଆଶିଷ ଠାକରେ ଓ ଡିଏଫଓ ସନ୍ତୋ‌ଷ ଯୋଶୀଙ୍କୁ ନିର୍ଦେଶ ଦେଇଥିଲେ। ଉଭୟ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ କି ଏନଜିଟିରେ ରିପୋର୍ଟ ଦାଖଲ କଲେ ନାହିଁ। ଏହାର ଶୁଣାଣି କରି ଆଜି ଏନଜିଟି ଜିଲ୍ଲାପାଳ ଏବଂ ଡିଏଫଓଙ୍କୁ ୨୫ ହଜାରେ ଟଙ୍କାଲେଖାଏଁ ଜୋରିମାନା ଆଦେଶ ଦେଇଛନ୍ତି।

ମଣ୍ଟେକାର୍ଲୋ କମ୍ପାନି ବାୟାପଣ୍ଡାଧାର ଗ୍ରାମରେ ପାଖପାଖି ୪୬ ଏକର ଜଂଗଲ ଜମି (ପ୍ଲଟ ନଂ ୧୯୮, ଖାତା ନଂ ୧୨୩) ବେଆଇନ ଭାବେ ଦଖଲ କରି ଜଂଗଲ କାଟି ଜଂଗଲ ଆଇନ ସଂରକ୍ଷଣ ଧାରା ୨ର ଉଲ୍ଲଂଘନ କରିଛି। ଏଥିସହିତ ଅସାଧୁ ଉପାୟରେ ଜୁଆଙ୍ଗଙ୍କ ଜମି ହଡ଼ପ କରିଛି। ନିୟମ ଅନୁଯାୟୀ ଜଂଗଲ ଆଇନ ବଳରେ ମିଳିଥିବା ବ୍ୟକ୍ତିଗତ ଜଂଗଲ ଜମିଗୁଡିକୁ କୌଣସି ବ୍ୟକ୍ତି କିମ୍ବା କମ୍ପାନିକୁ ହସ୍ତାନ୍ତର କରାଯାଇପାରିବ ନାହିଁ। ହେଲେ ମଣ୍ଟେକାର୍ଲୋ ଏହା କରିଛି। ଏଥିନେଇ ବାୟାପଣ୍ଡାଧାର ଓ ବାୟାକୁମୁଟିଆ ଗ୍ରାମବାସୀ ବହୁବାର ଜିଲ୍ଲାପାଳ, ଡିଏଫଓଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣି ନଥିଲେ। ଫଳରେ ସଂପୃକ୍ତ ଗ୍ରାମର ନିରଂଜନ ପ୍ରଧାନ, ଖଗେଶ୍ବର ଜୁଆଙ୍ଗ, ମିତ୍ରଭାନୁ ପ୍ରଧାନ, ପାଲ ଫଦୁକାର, ସନାତନ ଜୁଆଙ୍ଗ, ବିମଳା ସେନାପତି ପ୍ରମୁଖ ୨୦୧୮ ଅକ୍ଟୋବର ୯ ତାରିଖରେ ଏନ୍‌ଜିଟିଙ୍କ ନିକଟରେ ଅଭିଯୋଗ କରିଥିଲେ।

ବିଚାରପତି ଏସପି ୱାଙ୍ଗଡେ ଓ ଡ. ନାଗିନ୍ ନନ୍ଦାଙ୍କ ଦ୍ବାରା ଗଠିତ ବେଞ୍ଚ ଶୁଣାଣି କରି କେନ୍ଦୁଝର ଜିଲ୍ଲାପାଳ, ଡିଏଫ୍‌ଓ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ। ୨୦୧୮ ନଭେମ୍ବର ୧୯ ତାରିଖ ମଧ୍ୟରେ ଏହାର ରିପୋର୍ଟ ଏନ୍‌ଜିଟିରେ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ। ହେଲେ ଜିଲ୍ଲାପାଳ କିମ୍ବା ଡିଏଫଓ ରିପୋର୍ଟ ଦାଖଲ କରିନଥିଲେ। ଆଜି ଏହି କେସ୍‌ର ଶୁଣାଣି କରି ବେଞ୍ଚ ଉଭୟଙ୍କୁ ୨୫ ହଜାର ଟଙ୍କାଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe