ମେଗା ପାନୀୟ ଜଳ ପ୍ରକଳ୍ପକୁ ଏନ୍‌ଜିଟି ଝଟ୍‌କା; ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିଲେ, ମଞ୍ଜୁରି ନ ମିଳିବା ଯାଏ କାମ ବନ୍ଦ

Advertisment
ଏସ୍‌ଇଆଇଏଏ ରିପୋର୍ଟ ବିନା ବୃହତ୍‌ ପ୍ରକଳ୍ପକୁ ମିଳିବନି ମଞ୍ଜୁରୀ: ଏନ୍‌ଜିଟି

Swarajya

କେନ୍ଦ୍ରାପଡା/ମହାକାଳପଡା : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ତହସିଲ ମଣିକୁଣ୍ତା ଗ୍ରାମରେ ‘ବସୁଧା’ ଯୋଜନାରେ ନିର୍ମାଣ ହେଉଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ଲାଗିଛି ଜାତୀୟ ସବୁଜ ପ୍ରାଧିକରଣ(ଏନଜିଟି) ଝଟ୍‌କା। ମଞ୍ଜୁରି ନ ଥାଇ ବେଆଇନ୍ ଭାବେ ଜଙ୍ଗଲ କିସମ ଜମିରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପ କାର୍ଯ୍ୟ ଉପରେ ରୋକ୍‌ ଲଗାଇଛନ୍ତି ଏନ୍‌ଜିଟି। ଜଙ୍ଗଲ ଓ ପରିବେଶ ବିଭାଗର ମଞ୍ଜୁରି ନ ମିଳିବା ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିବା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି।

ସୂଚନା ଅନୁଯାୟୀ, ୨୦୧୮ ମସିହା ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀ ଏହି ମେଗା ପାନୀୟ ଜଳ ପ୍ରକଳ୍ପର ଶୁଭ ଦେଇଥିଲେ। ତେବେ ଜଙ୍ଗଲ ସଂରକ୍ଷଣ ଆଇନ୍ ଉଲ୍ଲଂଘନ କରି ଠିକା ସଂସ୍ଥା ଏଲ୍ଆଣ୍ତଟି ମଣିକୁଣ୍ତା ଗ୍ରାମର ଜଙ୍ଗଲ କିସମ ଜମି ଉପରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରୁଥିଲା। ଗତ ବର୍ଷ ଫେବ୍ରୁଆରିରେ ଏ ନେଇ ସୂଚନା ଅଧିକାର କର୍ମୀ ଆଳୟ ସାମନ୍ତରାୟ ଓ ସମ୍ପଦ ସ୍ବାଇଁଙ୍କ ପକ୍ଷରୁ ଏନ୍‌ଜିଟିରେ ମାମଲା ଦାୟର କରାଯାଇଥିଲା। ଏହାର ଶୁଣାଣି କରି ଏନ୍‌ଜିଟି କେନ୍ଦ୍ରାପଡା ଜିଲ୍ଲାପାଳ ଓ କଟକ ଡିଏଫ୍ଓଙ୍କୁ ନେଇ ଗଠିତ କମିଟି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେବା ସହ ରିପୋର୍ଟ ତଲବ କରିଥିଲେ। ପରବର୍ତ୍ତୀ ସମୟରେ କଟକ ଡିଏଫ୍ଓ ଫରେଷ୍ଟ ରାଇଟ୍ସ ଆକ୍ଟରେ ୧ ହେକ୍ଟର ଜଙ୍ଗଲ କିସମ ଜମିରେ ନିର୍ମାଣ ହେଉଥିବା ଦର୍ଶାଇ ଠିକା ସଂସ୍ଥାକୁ କାର୍ଯ୍ୟ କରିବାକୁ ଅନୁମତିପତ୍ର ପ୍ରଦାନ କରିଥିଲେ। ତେବେ ଡିଏଫ୍ଓଙ୍କ ଅନୁମତି ଚଞ୍ଚକତାପୂର୍ଣ୍ଣ ଓ ଜାଲିଆତି ବୋଲି ଆବେଦନକାରୀଙ୍କ ଓକିଲ ଶଙ୍କର ପ୍ରସାଦ ପାଣି ଏନ୍‌ଜଟିଙ୍କୁ ଅବଗତ କରାଇଥିଲେ। ଏନ୍‌ଜିଟି ଏହାର ବିଚାର କରି ଅନୁମତିପତ୍ରକୁ ଭ୍ରମାତ୍ମକ ବୋଲି କହିବା ସହିତ ଅନ୍ୟାଦେଶ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏନ୍‌ଜିଟିଙ୍କ ପ୍ରିନସିପାଲ ବେଞ୍ଚ୍‌ ଜଷ୍ଟିସ୍‌ ଏସ୍‌ପ ୱାଙ୍ଗଡି ଓ ଡା. ନାଗିନ୍ ନନ୍ଧ ଏହି ମାମଲାର ଶୁଣାଣି କରି ଫଇସଲା ଶୁଣାଇଛନ୍ତି। ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗରୁ ଅନୁମତି ମିଳି ନ ଥିବାରୁ କାର୍ଯ୍ୟ ବନ୍ଦ ରଖିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଜଙ୍ଗଲ କିସମ ଜମି ଅଣଜଙ୍ଗଲ କିସମରେ ପରିଣତ ନ ହେବା ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ହୋଇ ପାରିବନାହିଁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe