ଖଟିଆରେ ବୁହାହେଲେ ଗର୍ଭବତୀ: କଳାହାଣ୍ଡି ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କଲେ ଜାତୀୟ ମାନବିକ ଅଧିକାର କମିସନ

ଖଟିଆରେ ବୁହାହେଲେ ଗର୍ଭବତୀ: କଳାହାଣ୍ଡି ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କଲେ ଜାତୀୟ ମାନବିକ ଅଧିକାର କମିସନ

Image Courtesy of IPLeaders Blog

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରରେ ଜଣେ ଗର୍ଭବତୀ ମହିଳାଙ୍କୁ ଗ୍ରାମବାସୀ ଖଟିଆରେ ବୋହି ଆଣିବା ଘଟଣାରେ ଜାତୀୟ ମାନବିକ ଅଧିକାର କମିସନ ହସ୍ତକ୍ଷେପ କରିଛନ୍ତି। ଏହି ଘଟଣାରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ କମିସନ ନୋଟିସ୍ ଜାରି କରିଛନ୍ତି।
ରାଣୀପଡ଼ା ଗାଁକୁ ଆମ୍ବୁଲାନ୍ସ ଯାଇପାରୁନଥିବାରୁ ସେହି ଗାଁର ପବିତ୍ର ଗୌଡ଼ଙ୍କ ପତ୍ନୀ ଦୌପଦୀ ଗୌଡ଼ଙ୍କୁ ଲୋକେ ଖଟିଆରେ ୫ କିଲୋମିଟର ବୋହି ବୋହି ଆଣିଥିଲେ। ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ୨୦୨୨ ଡିସେମ୍ବର ୩୦ ତାରିଖର ଏହି ଅଭାବନୀୟ ଘଟଣାକୁ ନେଇ ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତୀୟ ମାନବିକ ଅଧିକାର କମିସନରେ ପିଟିସନ୍ ଦାଖଲ କରିଥିଲେ।

ସେ ଦର୍ଶାଇଥିଲେ ସେହି ଗାଁକୁ ରାସ୍ତା ନଥିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା। ଗାଁଲୋକେ ଗର୍ଭବତୀଙ୍କୁ ଖଟିଆରେ ଧରି ଦୁଇଟି ନଦୀ ପାର ହୋଇ ୫ କିଲୋମିଟର ଚାଲିଚାଲି ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ। ସରକାର ରାଜ୍ୟରେ ବିକାଶକୁ ନେଇ ବାହାବା ନେଉଥିବା ବେଳେ ଏଭଳି ଘଟଣା ସରକାରଙ୍କ ଅସଲ ଚେହେରାକୁ ଦର୍ଶାଉଛି ବୋଲି ଅଖଣ୍ଡ ଅଭିଯୋଗ କରିଛନ୍ତି।

ଘଟଣାକୁ ଅତି ଗୁରୁତ୍ୱର ସହ ନେଇ କମିସନ କଳାହାଣ୍ଡି ଜିଲ୍ଲାପାଳଙ୍କଠାରୁ ଘଟଣା ଉପରେ ରିପୋର୍ଟ ତଲବ କରିଛନ୍ତି। ୪ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ୍ ରିପୋର୍ଟ(ଏଟିଆର୍) ଦାଖଲ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କମିସନ ନିଜ ଟିମ୍ ପଠାଇ ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ସ୍ଥିତି ପରଖିବା ଲାଗି ପିଟିସନକାରୀ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe