ବିଦ୍ୟୁତ ଆଘାତରେ ୨ ହକି ଖେଳାଳି ମୃତ ମାମଲା: ଏସପି ଓ ଶକ୍ତି ବିଭାଗକୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଲେ ଏନଏଚଆରସି

Advertisment
୨ ରୁଷିଆ ନାଗରିକଙ୍କ ମୃତ୍ୟୁ ମାମଲା: ତଦନ୍ତରେ ପୂର୍ଣ୍ଣଚ୍ଛେଦ

Image Courtesy of iPleaders Blog

ସୁନ୍ଦରଗଡ଼: ମେ’ ୩ ତାରିଖରେ ରାଜଗାଙ୍ଗପୁର ବ୍ଲକ୍ ଅଲଣ୍ଡା ପଞ୍ଚାୟତ ଗରିଆମାଲ ଖେଳପଡ଼ିଆରେ ଅଭ୍ୟାସ ସାରି ଫେରୁଥିବା ଦୁଇ ଉଦୀୟମାନ ହକି ଖେଳାଳି କୁକୁଡ଼ା ଗାଁ ପଣ୍ତରାଟୋଲିର ସୁଜଲ ଏକ୍କା (୧୯) ଓ ଝଗରପୁରର ବୀରେନ୍ଦ୍ର କୁଜୁର (୧୭) ଜୀବନ୍ତ ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ। ଅଭାବନୀୟ ଘଟଣା ପାଇଁ ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କରି ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବିକ ଅଧିକାର ଆୟୋଗଙ୍କ ପାଖରେ ଅର୍ଜି ଦେବା ପରେ ଆୟୋଗ ଏକ ମାମଲା ରୁଜୁ କରି ଜୁନ୍ ୭ ତାରିଖରେ ସୁନ୍ଦରଗଡ଼ ଏସପି ଓ ଓଡ଼ିଶା ଶକ୍ତି ବିଭାଗ ସଚିବଙ୍କୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଆୟୋଗ କହିଛନ୍ତି। ଅନ୍ୟଥା ମାନବିକ ସୁରକ୍ଷା ଆଇନ-୧୯୯୩ର ଧାରା ୧୩ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି।

ପ୍ରକାଶଯୋଗ୍ୟ, ରାଜଗାଙ୍ଗପୁର ଅଲଣ୍ଡା ପଞ୍ଚାୟତ ଗରିଆମାଲ ଖେଳପଡ଼ିଆରେ ସୁନୀଳ ତିଗା ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ଆଖାପାଖ ଅଞ୍ଚଳର ଛୋଟ ପିଲାଙ୍କୁ କିଛି ବର୍ଷ ହେବ ହକି ତାଲିମ ଦେଇ ଆସୁଥିଲେ। ସବୁଦିନ ପରେ ୩ ତାରିଖ ସକାଳେ ଦୁଇ ଖେଳାଳି ସୁଜଲ ଓ ବୀରେନ୍ଦ୍ର ପଡ଼ିଆକୁ ଅନ୍ୟ କିଛି ପିଲାଙ୍କ ସହ ଯାଇ ୮ଟା ଯାଏ ହକି ଅଭ୍ୟାସ କରିଥିଲେ। ପ୍ରଶିକ୍ଷଣ ଶେଷ ହେବା ପରେ ପ୍ରଶିକ୍ଷକ ସୁନୀଳ ତାଙ୍କ ଘରକୁ ସଂଯୋଗ କରୁଥିବା ବିଦ୍ୟୁତ ସର୍ଭିସ ତାର ରାସ୍ତାରେ ଓହଳି ପଡ଼ିଥିବାରୁ ତାକୁ ଏକ ଲୁହା ପାଇପ ଓ ବାଉଁଶ ଯୋଗେ ଉପରକୁ ଟେକିବାକୁ ପିଲାଙ୍କୁ କହିଥିଲେ। ସୁନୀଲ ଓ ବୀରେନ୍ଦ୍ର ଅନ୍ୟ ଦୁଇ ଖେଳାଳିଙ୍କ ସହ ଏକ ଲୁହା ପାଇପ ସାହାଯ୍ୟରେ ସର୍ଭିସ ତାରକୁ ଉପରକୁ ଟେକିବା ବେଳେ ପାଇପଟି ଉପରେ ଥିବା ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ସୁଜଲ ଓ ବୀରେନ୍ଦ୍ର ବିଦ୍ୟୁତ ଆଘାତ ପାଇ ସେଠାରେ ଟଳି ପଡ଼ିଥିଲେ। ଅନ୍ୟ ଦୁଇ ପିଲା ଆହତ ହୋଇଥିଲେ। ସମସ୍ତଙ୍କୁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ସୁଜଲ ଓ ବୀରେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ସେତବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଲୋକେ ପ୍ରଶିକ୍ଷକ ସୁନୀଲ ତିଗାଙ୍କୁ ଦାୟୀ କରିଥିଲେ। ହକି ପ୍ରଶିକ୍ଷଣ ପାଇଁ ଯାଇଥିବା ଛୋଟ ପିଲାଙ୍କୁ ଏପରି ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରିଥିବାରୁ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ଉଠିଥିଲା। ମୃତକଙ୍କ ପରିବାର ଲୋକେ ଥାନାରେ ଏତଲା ଦେବା ସହ କ୍ଷତିପୂରଣ ଦାବି କରିଥିଲେ। ଏହା ପରେ ପୁଲିସ ସୁନୀଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe