ବ୍ରହ୍ମପୁରର ୪ ଶିକ୍ଷାନୁଷ୍ଠାନରେ ରାଗିଂ ଘଟଣା: ଉଚ୍ଚଶିକ୍ଷା ସଚିବଙ୍କୁ ଏଟିଆର୍‌ ମାଗିଲେ ଏନ୍‌ଏଚ୍‌ଆର୍‌ସି

Advertisment
୨ ରୁଷିଆ ନାଗରିକଙ୍କ ମୃତ୍ୟୁ ମାମଲା: ତଦନ୍ତରେ ପୂର୍ଣ୍ଣଚ୍ଛେଦ

Image Courtesy of iPleaders Blog

ବ୍ରହ୍ମପୁର : ବ୍ରହ୍ମପୁର ସହରର ଶିକ୍ଷାନୁଷ୍ଠାନ ଗୁଡ଼ିକରେ ବାରମ୍ବାର ରାଗିଂ ଘଟଣା ନଜରକୁ ଆସିଥିଲା। କଲେଜ ସହିତ ଘରୋଇ ସ୍କୁଲରେ ମଧ୍ୟ ରାଗିଂ ଅଭିଯୋଗ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ଯାହାକି ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ଘଟଣାକୁ ନେଇ ବ୍ରହ୍ମପୁର ସହରର ଯୁବ ସାମାଜିକକର୍ମୀ ରବୀନ୍ଦ୍ର କୁମାର ମିଶ୍ର ଜାତୀୟ ମାନବ ଅଧିକାର କମିସନ୍‌(ଏନ୍‌ଏଚ୍‌ଆର୍‌ସି) ନିକଟରେ ପିଟିସନ୍‌ ରୁଜୁ କରିଥିଲେ। ଏନ୍‌ଏଚ୍‌ଆର୍‌ସି ଏହି ପିଟିସନ୍‌ ଗ୍ରହଣ କରି ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବଙ୍କୁ ଆକ୍ସନ୍‌ ଟେକନ୍‌ ରିପୋର୍ଟ(ଏଟିଆର୍‌) ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବ୍ରହ୍ମପୁର ସହର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗତମାସରେ ରାଗିଂ ଘଟଣା ନଜରକୁ ଆସିଥିଲା। ପ୍ରଥମେ ବିନାୟକ ଆଚାର୍ଯ୍ୟ କଲେଜରେ କିଛି ଛାତ୍ର ଜଣେ ଛାତ୍ରୀଙ୍କୁ ନାନା ହଇରାଣ କରୁଥିବା ଏକ ଭିଡ଼ିଓ ଭାଇରାଲ୍‌ ହୋଇଥିଲା। ଏହି ଘଟଣାକୁ ବ୍ରହ୍ମପୁର ଏସ୍‌.ପି.ଡା. ଶରବଣା ବିବେକ ଏମ୍‌. ଗୁରୁତ୍ବର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ବଡ଼ବଜାର ଥାନା ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଛାତ୍ରମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାପରେ ଖଲ୍ଲିକୋଟ ଜୁନିୟର୍‌ କଲେଜର ଜଣେ ଛାତ୍ରୀ ରାଗିଂ ଅଭିଯୋଗ ଆଣିଥିଲେ। ସେହିପରି ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୋଲି ବାଇପାସ୍‌ରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ଜଣେ ଯୁକ୍ତଦୁଇ ଛାତ୍ରୀ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ମୃତ ଛାତ୍ରୀଙ୍କ ପରିବାରବର୍ଗ ଭାଙ୍ଗି ପଡ଼ିଥିଲେ। ଝିଅକୁ ରାଗିଂ କରାଯିବା ସହିତ କଲେଜ କର୍ତ୍ତୃପକ୍ଷ ବାରମ୍ବାର ହଇରାଣ କରାଯାଇଥିବା ଅଭିଯୋଗ ଆଣିଥିଲେ।

ସେହିପରି ଗୋସାଇଁନୂଆଗାଁ ଥାନା ଗୁଡ୍‌ସସେଡ୍‌ ରୋଡ଼ରେ ଥିବା ଏକ ଘରୋଇ ଆବାସିକ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ଏହି ସବୁ ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଶିକ୍ଷାନୁଷ୍ଠାନର କ୍ୟାମ୍ପସ୍‌କୁ ରାଗିଂମୁକ୍ତ କରିବା ପାଇଁ ଦାବି ହୋଇଥିଲା। ସେହିପରି ସାମାଜିକକର୍ମୀ ଶ୍ରୀ ମିଶ୍ର ଏହି ଘଟଣାରେ ହସ୍ତକ୍ଷେପ କରି ମାନବ ଅଧିକାର ସୁରକ୍ଷା ପାଇଁ ଏନ୍‌ଏଚ୍ଆର୍‌ସିରେ ପିଟିସନ୍‌ ଦାଖଲ କରିଥିଲେ। ଏହି ମାମଲାକୁ ଗ୍ରହଣ କରି ଏନ୍‌ଏଚ୍ଆର୍‌ସି ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଓ ଏସ୍‌.ପି.ଙ୍କୁ ୪ ସପ୍ତାହ ମଧ୍ୟରେ ଏଟିଆର୍‌ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe