Image Courtesy of iPlead Blog
ବାରିପଦା: ବର୍ଷ ୨୦୧୯ ଜୁନ ପହିଲାରେ ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ବାହାଦୁରପୁର ଗ୍ରାମର ବଂଶୀଧର ଦାସଙ୍କ ୪ ବର୍ଷୀୟା ଝିଅ କଣ୍ଢେଇଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିଲା। ଚାର୍ଜ ହୋଇଯାଇଥିବା ବିଦ୍ୟୁତ ଖୁଣ୍ଟର ଆର୍ଥିଂକୁ ଧରିବାରୁ ଉକ୍ତ ଶିଶୁକନ୍ୟାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଘଟଣାରେ କ୍ଷତିପୂରଣ ବାବଦରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ କୈଫିୟତ ମାଗିଛନ୍ତି ଜାତୀୟ ମାନବ ଅଧିକାର କମିଶନ(ଏନଏଚଆରସି)। ଚଳିତ ମାସ ୧୨ତାରିଖରେ ଜାତୀୟ ମାନବ ଅଧିକାର କମିଶନ ଏହି ମାମଲାର ଶୁଣାଇ କରି ନୋଟିସ୍ ଜାରି କରିଛନ୍ତି। ଏଥିସହିତ ଏହାର ଜବାବ ଆସନ୍ତା ମାସ ୨୨ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ ଫନି ବାତ୍ୟାବେଳ ମୃତକଙ୍କ ଅଞ୍ଚଳରେ ବିଦ୍ୟୁତ ଭିତ୍ତିଭୂମି ପ୍ରଭାବିତ ହୋଇଥିଲା। ବାତ୍ୟା ଯୋଗୁଁ ବିଦ୍ୟୁତ ତାର ଛିଡ଼ିଯାଇ ଆର୍ଥିଂ ତାର ଚାର୍ଜ ହୋଇଥିଲା। ବାତ୍ୟାର ୩ ସପ୍ତାହ ପରେ ମଧ୍ୟ କୌଣସି ଯାଞ୍ଚ ନକରି ବିଦ୍ୟୁତ ଚାର୍ଜ କରାଯାଇଥିଲା। ଫଳରେ ୪ବର୍ଷୀୟ ନିରୀହ ବାଳିକାଙ୍କର ପ୍ରାଣ ଯାଇଥିବା ତଦନ୍ତବେଳେ ଜଣାପଡ଼ିଥିଲା। ଏହି ଘଟଣା ପାଇଁ ନେସ୍କୋ କର୍ତ୍ତୃପକ୍ଷ ଦାୟୀ ବୋଲି ତଦନ୍ତ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ନେସ୍କୋର ଅବହେଳା କାରଣରୁ ଏପରି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ୪ ବର୍ଷୀୟା ଶିଶୁକନ୍ୟା କଣ୍ଢେଇଙ୍କର ମୃତ୍ୟୁ ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଦିଲ୍ଲୀପ କୁମାର ଦାସଙ୍କ ପକ୍ଷରୁ ଏନଏଚଆରସିରେ ଏକ ମାମଲା ଦାୟର କରାଯାଇଥିଲା। ଆଗତ କରାଯାଇଥିବା ଏହି ମାମଲାର ଶୁଣାଣି କରି ମୁଖ୍ୟ ଶାସନ ସଚିବଙ୍କୁ ଝିଅର ମୂଲ୍ୟବାନ ଜୀବନ ଯାଇଥିବାରୁ କାହିଁକି ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆ ନଯିବ ସେ ସମ୍ପର୍କରେ ଆସନ୍ତା ନଭେମ୍ବର ୨୨ ମଧ୍ୟରେ ଜବାବ ଦାଖଲ କରିବାକୁ କୁହାଯାଇଛି।
Follow Us