ଆତଙ୍କବାଦୀ ଲିଙ୍କ୍‌ ନା ଦେଶଦ୍ରୋହୀ କାରବାର! ଛାତ୍ରଙ୍କୁ ୫ ଘଣ୍ଟା ଜେରା

ରାଜଧାନୀ‌ରେ ଏନ୍‌ଆଇଏର ତନାଘନା

ଆତଙ୍କବାଦୀ ଲିଙ୍କ୍‌ ନା ଦେଶଦ୍ରୋହୀ କାରବାର! ଛାତ୍ରଙ୍କୁ ୫ ଘଣ୍ଟା ଜେରା

Oneindia

ଭୁବନେଶ୍ୱର : ଭୁବନେଶ୍ୱରରେ ଏନ୍ଆଇଏ(ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା) ଟିମ୍‌ ଖଣ୍ଡଗିରି ଅଞ୍ଚଳର ଜଣେ ଛାତ୍ରକୁ ଆଜି ଜେରା କରିଛି। ଏନ୍‌ଆଇଏ କୋଲକାତା ଶାଖାର ୪ ଜଣିଆ ଟିମ୍‌ ଛାତ୍ରଙ୍କୁ ଉଠାଇ ଆଣି ଖଣ୍ଡଗିରି ଥାନାରେ ଦୀର୍ଘ ପ୍ରାୟ ସାଢ଼େ ୫ ଘଣ୍ଟା ଧରି ଜେରା କରିଛି। ସାଢ଼େ ୯ଟାରୁ ୨ଟା ଯାଏଁ ଜେରା କରିବା ପରେ ତାଙ୍କୁ ଏନ୍‌ଆଇଏ ଟିମ୍‌ ଛାଡ଼ି ଦେଇଛି। କିନ୍ତୁ ସମ୍ପୃକ୍ତ ଯୁବକଙ୍କ ଉପରେ କଡ଼ା ନଜର ରଖିବା ପାଇଁ କମିସନରେଟ୍‌ ପୁଲିସକୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଜେରାବେଳେ କୌଣସି ପୁଲିସ ଅଧିକାରୀଙ୍କୁ ସେଠାରେ ରହିବାକୁ ଦିଆଯାଇନାହିଁ। ଫଳରେ ଜେରା ପଛର କାରଣ ଅସ୍ପଷ୍ଟ ରହିଛି। କିନ୍ତୁ ଏନ୍‌ଆଇଏ ଭଳି ଜାତୀୟସ୍ତରର ଅନୁସନ୍ଧାନକାରୀ ସଂସ୍ଥା ଭୁବନେଶ୍ବରରେ ଆସି ସାଢ଼େ ୫ ଘଣ୍ଟା ଧରି ଜେରା‌ କରିବା ପଛରେ ବଡ଼ଧରଣର କାରଣ ନିଶ୍ଚୟ ରହିଛି ବୋଲି ସ୍ପଷ୍ଟ ହୋଇଛି। ବିଶେଷକରି ଜାତୀୟ ସୁରକ୍ଷାକୁ ନେଇ କିଛି ବଳିଷ୍ଠ କାରଣ ଥିବା ନିଶ୍ଚିତ ବୋଲି କୁହାଯାଉଛି। ଛାତ୍ରଙ୍କର ଆତଙ୍କବାଦୀ ସମ୍ପୃ୍କ୍ତି ନେଇ ବି ଚର୍ଚ୍ଚା ହେଉଛି। ମାତ୍ର କମିସନରେଟ୍‌ ପୁଲିସ ଜେରା ବାବଦରେ କିଛି ଜାଣିନଥିଲେ ମଧ୍ୟ ତାଙ୍କର ଆତଙ୍କୀ ଲିଙ୍କ୍‌ ନାହିଁ ବୋଲି କହିଛି। ଯଦି ଛାତ୍ର ଜଣକର ସେଭଳି କିଛି ଗୁରୁତ୍ବପୂର୍ଣ୍ଣ ମାମଲାରେ ସମ୍ପୃକ୍ତି ନ ଥାନ୍ତା, ତେବେ ଏନ୍‌ଆଇଏ ଭଳି ସଂସ୍ଥା ଓଡ଼ିଶା ଆସି କାହିଁକି ଜେରା କରୁଥିଲା ବୋଲି ପ୍ରଶ୍ନ ଉଠିଛି। ତେବେ ଏ ନେଇ କୌଣସି ପୁଲିସ ଅଧିକାରୀ ମୁହଁ ଖୋଲି ନାହାନ୍ତି।

ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ, ଛାତ୍ର ଜଣକ ବରମୁଣ୍ଡା ଅଞ୍ଚଳର। ସ୍ଥାନୀୟ ଏକ କଲେଜରେ ସେ ଇଞ୍ଜିନିୟରିଂ ସହ ‘ଗେଟ୍‌’ ପାଇଁ ପ୍ରସ୍ତୁତ ହେଉଛନ୍ତି। ସମ୍ପୃକ୍ତ ଛାଜଣକ ‘ଡାର୍କ ୱେବ୍‌’ ନାମକ ଏକ ୱେବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରିଥିଲେ। ଏହି ୱେବ୍‌ସାଇଟ୍‌ରେ ଦାମୀ ବନ୍ଧୁକ ସହ ଲଞ୍ଚର ଓ ଅନ୍ୟାନ୍ୟ ମାରଣାସ୍ତ୍ର ମିଳିଥାଏ। ସମ୍ପୃକ୍ତ ଛାତ୍ର ବନ୍ଧୁକ ମଧ୍ୟ ଅର୍ଡର କରିଥିଲେ। କିନ୍ତୁ କିଛିଦିନ ପରେ ଅର୍ଡର ବାତିଲ କରିଥିଲେ। ଏହି ୱେବ୍‌ସାଇଟ୍‌ ଜରିଆରେ କେତେକ ବିଦେଶୀ ସଂସ୍ଥାଙ୍କ ସହ ଯୋଗାଯୋଗରେ ମଧ୍ୟ ରହିଥିଲେ। ଉକ୍ତ ସଂସ୍ଥାସମୂହ ଭାରତକୁ ବିରୋଧ କରନ୍ତି, ଭାରତ ବିରୋଧରେ ଷଡ୍‌ଯନ୍ତ୍ର କରନ୍ତି ଓ ମାରଣାସ୍ତ୍ର କାରବାର ମଧ୍ୟ କରନ୍ତି। ଛାତ୍ରଜଣକ ବିଭିନ୍ନ ସମୟରେ ଦେଶଦ୍ରୋହୀ ମନ୍ତବ୍ୟ ଦେବା ସହ ଭାରତ ବିରୋଧରେ ଉକ୍ତ ସଂସ୍ଥାମାନଙ୍କ ମନ୍ତବ୍ୟରେ ସହମତ ଥିବା କମେଣ୍ଟ କରିଥିବା ଜଣାପଡ଼ିଛି। ଏହି ୱେବ୍‌ସାଇଟ୍‌ ଉପରେ ଏନ୍‌ଆଇଏ ବର୍ଷ ବର୍ଷ ଧରି ନଜର ରଖିଥିଲା। ଦୀର୍ଘ ୨ ମାସ ଧରି ସମ୍ପୃକ୍ତ ଛାତ୍ର ଏହି ୱେବ୍‌ସାଇଟ୍‌ରେ ଏଭଳି କାରବାର କରୁଥିବା ଏନ୍‌ଆଇଏ ଜାଣିବାକୁ ପାଇଥିଲା। ଆଜି ଏନ୍‌ଆଇଏର ଏକ ଟିମ୍‌ ଆସି ତାକୁ ଘରୁ ଉଠାଇ ଆଣିଥିଲା। କିନ୍ତୁ ଜେରାବେଳେ ସେ ନିରୀହ ବୋଲି ଏନ୍‌ଆଇଏ ଜାଣିବାକୁ ପାଇଥିଲା। ଏଣୁ ଏନ୍‌ଆଇଏ ଛାତ୍ରଜଣକର କଥାକୁ ବିଶ୍ବାସକୁ ନେଇ ତାକୁ ଛାଡ଼ି ଦେଇଥିଲା।

୨୦୧୫ ମସିହାରେ ପୁରୀ ରେଳପୋଡ଼ି ମାମଲାରେ ଜିଆରପି ପୁଲିସ୍‌ ରାମଚନ୍ଦ୍ରନ ସୁବାସ ନାମକ ଜଣେ ଯୁବକକୁ ଗିରଫ କରିଥିଲା। ଟ୍ରେନ୍‌ ପୋଡ଼ି ପଛରେ ଆତଙ୍କବାଦୀ କାର୍ଯ୍ୟକଳାପ ଆଶଙ୍କା କରି ଏନ୍‌ଆଇଏ ସମ୍ପୃକ୍ତ ମାମଲାକୁ ହାତକୁ ନେଇଥିଲା। ଦୀର୍ଘଦିନ ତନାଘନା କରିବା ସହ ସମ୍ପୃକ୍ତ ଯୁବକକୁ ଜେରା କରିଥିଲା। ହେଲେ ଶେଷର ସେଭଳି କିଛି ସୂତ୍ର ନ ପାଇବାରୁ ଏନ୍‌ଆଇଏ ମାମଲାକୁ ଜିଆରପିକୁ ହସ୍ତାନ୍ତର କରିଥିଲା। ତେବେ ଏହି ମାମଲାର ଭବିଷ୍ୟତ କ’ଣ ହେବ, ଏ ନେଇ ଏବେଠାରୁ କିଛି ଆକଳନ କରିବା ଠିକ୍‌ ନୁହେଁ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe