ବାଲେଶ୍ବରରେ ଏନ୍‌ଆଇଏ ଟିମ୍‌, ପ୍ରତିରକ୍ଷା କର୍ମଚାରୀ ଗିରଫ

ବିପଦରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି: ଓଡ଼ିଶାରେ ‘ସ୍ଲିପର୍ ସେଲ୍’

ବାଲେଶ୍ୱର/ଚାନ୍ଦିପୁର : ଚାନ୍ଦିପୁରସ୍ଥିତ ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ନୂଆ ମୋଡ଼। ପ୍ରତିରକ୍ଷା ବିଭାଗର ଜଣେ କର୍ମଚାରୀଙ୍କୁ ଗୁରୁବାର ଗିରଫ କରିଛି ବାଲେଶ୍ବର ପୁଲିସ। ଏହି ସମ୍ବେଦନଶୀଳ ମାମଲାର ଚେର ବହୁ ଭିତରକୁ ଯାଇଥିବା ବେଳେ କେନ୍ଦ୍ର ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଏହାର ତଦନ୍ତ ଦାୟିତ୍ବ ନେବ ବୋଲି ଜଣାପଡ଼ିଛି। ଏନ୍‌ଆଇଏର ଦୁଇଜଣ ବରିଷ୍ଠ ଅଧିକାରୀ ଗୁରୁବାର ବାଲେଶ୍ବରରେ ପହଞ୍ଚିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ଏହିମାମଲାରେ ଚାନ୍ଦିପୁର ଆଇଟିଆର୍‌ (କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର)ର ୪ ଜଣ ଠିକା କର୍ମଚାରୀଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଥିଲା। ଗୁରୁବାର ପ୍ରତିରକ୍ଷା କର୍ମଚାରୀ ସଚିନ କୁମାର ଛେତାଙ୍କୁ ଗିରଫ କରାଯାଇଛି। ସଚିନ୍ ଚାନ୍ଦିପୁର ଆଇଟିଆର୍‌ର ସ୍ଥାୟୀ ଗାଡ଼ି ଡ୍ରାଇଭର ଭାବେ ନିୟୋଜିତ ଅଛନ୍ତି। ବାଲେଶ୍ବର ଏସ୍‌ଡିଜେଏମ୍‌ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଛି।

ସଚିନଙ୍କୁ ମିଶାଇ ମୋଟ୍‌ ୫ ଜଣ ଏହି ମାମଲାରେ ଗିରଫ ହୋଇଛନ୍ତି।

ଏନ୍‌ଆଇଏର ଦୁଇ ଜଣ ଅଧିକାରୀ ଆଜି ଏଠାରେ ଆସି ପହଞ୍ଚିଛନ୍ତି। ଏସ୍‌ପିଙ୍କ ସହ ବହୁ ସମୟ ଧରି ସେମାନେ ରୁଦ୍ଧଦ୍ବାର ଆଲୋଚନା କରିଥିବା ଜଣାପଡ଼ିଛି।

ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‌ପି ପ୍ରଶାନ୍ତ କୁମାର ବିଷୋୟୀଙ୍କ ସହିତ ଏକ ୩ ଜଣିଆ ଟିମ୍ ବାଲେଶ୍ବରରେ ଆସି ପହଞ୍ଚିଛନ୍ତି। ଏ ସଂକ୍ରାନ୍ତରେ ଚାନ୍ଦିପୁର ଥାନାରେ ରୁଜୁ ହୋଇଥିବା ମାମଲା (କେସ୍‌ ନମ୍ବର ୭୬/୨୦୨୧)କୁ ବାଲେଶ୍ୱର ଏସ୍‌ପି ସୁଧାଂଶୁ ଶେଖର ମିଶ୍ର କ୍ରାଇମବ୍ରାଞ୍ଚ ଟିମ୍‌କୁ ହସ୍ତାନ୍ତର କରିବା ସହ ସେମାନଙ୍କ ସହ ଆଲୋଚନା କରିଛନ୍ତି। ଗିରଫ ଅଭିଯୁକ୍ତମାନେ ଜଣେ ପାକିସ୍ତାନୀ ମହିଳାଙ୍କ ହନିଟ୍ରାପ୍‌ରେ ପଡ଼ିଥିଲେ। ନିଜ ଜାଲରେ ପକାଇବା ପରେ ମହିଳାଜଣକ ଅଭିଯୁକ୍ତମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିବା ସହ ଟଙ୍କା ନେଣଦେଣ କରୁଥିଲେ। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଅବସ୍ଥିତି ଏବଂ ବିଭିନ୍ନ କ୍ଷେପଣାସ୍ତ୍ର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବା ପରେ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ବିଭିନ୍ନ ସମୟରେ ଟଙ୍କା ଆସୁଥିଲା। ଅଭିଯୁକ୍ତମାନେ ନିୟମିତ ଭାବେ ରାଜସ୍ଥାନ-ପାକ୍ ସୀମା ପଟୁ ଫୋନ୍‌ କରୁଥିବା ଏବଂ ସେମାନଙ୍କ ନିକଟକୁ ଆଇଏସ୍‌ଡି ଫୋନ୍‌ କଲ୍‌ ଆସୁଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଥିଲା। ଏହାପରେ କେନ୍ଦ୍ରୀୟ ସଂସ୍ଥାର ପରାମର୍ଶ କ୍ରମେ ରାଜ୍ୟ ଗୁଇନ୍ଦା ବିଭାଗ ସମସ୍ତ କର୍ମଚାରୀଙ୍କ ଉପରେ ନଜର ରଖି ସେମାନଙ୍କ ଫୋନ୍‌ କଲ୍‌ ଟ୍ରାକ୍‌ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe