ପାଣିପାଗ ପୂର୍ବାନୁମାନର ନିଆରା ପରମ୍ପରା; ପଞ୍ଚୁ ଖେଳ ମଧ୍ୟମ ବର୍ଷା ସୂଚନା

Advertisment
ପାଣିପାଗ ପୂର୍ବାନୁମାନର ନିଆରା ପରମ୍ପରା; ପଞ୍ଚୁ ଖେଳ ମଧ୍ୟମ ବର୍ଷା ସୂଚନା

ଲଇକେରା : ବିଜ୍ଞାନ ଯୁଗରେ ବି ଗ୍ରାମାଞ୍ଚଳରେ ବଞ୍ଚି ରହିଛି ପୁରାତନ ପରମ୍ପରା। ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଆଗାମୀ ଖରିଫ ଋତୁରେ ଚାଷର ସ୍ଥିତି ଓ ପାଣିପାଗ ବିଷୟରେ ଜାଣିବାର ଏକ ନିଆରା ପରମ୍ପରା ରହିଛି ଝାରସୁଗୁଡ଼ା ଜିଲ୍ଲା ଲଇକେରାରେ। ୧୮୯୦ରୁ ପାଣିପାଗ ପୂର୍ବାନୁମାନ କରିବା ପାଇଁ ଧନୁର ପଞ୍ଚୁ (ବାଉଁଶ ପାତିଆ, ଯାହା ସାହାଯ୍ୟରେ ଶର ନିକ୍ଷେପ କରାଯାଏ) ପୂଜା କରାଯାଉଛି। ବହୁ ବର୍ଷ ପୂର୍ବରୁ ପୁନମ ଚନ୍ଦ୍ର ଅଗ୍ରୱାଲ ସମ୍ବଲପୁରରୁ ସାମଗ୍ରୀ ଆଣି ଲଇକେରା ଅଞ୍ଚଳରେ ବିକ୍ରୟ କରୁଥିଲେ। ଏକଦା ଦୁଇ ସହଯୋଗୀଙ୍କ ସହ ଜଙ୍ଗଲ ମଧ୍ୟ ଦେଇ ଯିବାବେଳେ ଏକ ବର ଗଛ ମୂଳରେ ଆଶ୍ରୟ ନେଇଥିଲେ। ସେ ସମୟରେ ହଠାତ ଜଣେ ସନ୍ନ୍ୟାସୀ ଆବିର୍ଭାବ ହୋଇଥିଲେ। ବ୍ୟବସାୟୀ ହୁକା ପିଉଥିବାରୁ ସନ୍ନ୍ୟରସୀ ତାଙ୍କୁ ହୁକା ମାଗିଥିଲେ। ପରେ ଜଙ୍ଗଲ ଭିତରକୁ ଡାକି ପୁନମଙ୍କୁ କିଛି ମାଗିବାକୁ କହିଥିଲେ। ମାତ୍ର ପୁନମ ଭୟରେ କିଛି ଦରକାର ନାହିଁ ବୋଲି କହିଥିଲେ। ହେଲେ ସନ୍ନ୍ୟାସୀ ତାଙ୍କୁ ଏକ ଗଛର ଚେର ଦେଖାଇ କହିଲେ ଯେ ସାପ କି ବିଛା କମିଡ଼ିଲେ ଏହାକୁ ବାଟି ପିଇଲେ ଆରୋଗ୍ୟ ହେବ। ମହିଳା ପ୍ରସବ ବେଦନା ପାଇଁ ମଧ୍ୟ ଏହି ଚେର କାମ ଦେବ।

ସେହିପରି ଫସଲ ଓ ପାଣିପାଗର ପୂର୍ବାନୁମାନ ପାଇଁ ଏକ ଶିକ୍ଷା ଦେଇଥିଲେ। ୨ଟି ପଞ୍ଚୁକୁ ୨ ଜଣ ଲୋକ ସ୍ନାନ କରି ଓଦା ଲୁଗା ପିନ୍ଧି ୨ ପଟୁ ନାଭିରେ ଭିଡି ଧରିବା ପରେ ଉକ୍ତ ମନ୍ତ୍ର ଉଚ୍ଚାରଣ କରିବେ। ପୂର୍ବରୁ ଗୋଟିଏ ପଞ୍ଚୁ ଲାଲ ଓ ଅନ୍ୟଟିରେ କଳା ରଙ୍ଗ ବୋଳା ଯାଇଥାଏ। ଲାଲ ରଙ୍ଗର ପଞ୍ଚୁ ଧର୍ମ ଓ କଳା ରଙ୍ଗର ପଞ୍ଚୁ କାଳର ସୂଚକ। ଲାଲ ରଙ୍ଗର ପଞ୍ଚୁ ଉପରକୁ ଉଠିଲେ ଭଲ ବର୍ଷା ସହ ଭଲ ଫସଲ ଉତ୍ପାଦନର ସୂଚନା ଥାଏ। କଳା ରଙ୍ଗର ପଞ୍ଚୁ ଉପରକୁ ଉଠିଲେ ବର୍ଷଭାବ କିମ୍ଭା ଫସଲ ହାନି ହେବା ଜଣାଯାଏ। ସେହିପରି ଉଭୟ ପଞ୍ଚୁ ଉପରକୁ ଉଠିଲେ ବର୍ଷା ଓ ଫସଲ ଅମଳ ମିଶ୍ରିତ ଫଳ ହେବାର ଜଣାଯାଏ। ସେହିଦିନଠାରୁ ଅକ୍ଷୟ ତୃତୀୟା ତିଥିରେ ପ୍ରତିବର୍ଷ ଉକ୍ତ ପଞ୍ଚୁ ପୂଜା କରିଆସୁଛନ୍ତି ମହେନ୍ଦ୍ର ଅଗ୍ରୱାଲ। ଏବେ ତାଙ୍କ ପୁଅ ରାମେଶ୍ୱର ଅଗ୍ରୱାଲ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି। ମଙ୍ଗଳବାର ପୂଜାରେ ପ୍ରଥମେ ଲାଲ ପଞ୍ଚୁ ଉପରକୁ ଉଠି ବହୁ ସମୟ ରହିଥିଲା। କଳା ପଞ୍ଚୁ ନିମ୍ନଗାମୀ ଥିଲା। ପରେ ପୁନର୍ବାର କଳା ପଞ୍ଚୁ ଉପରକୁ ଉଠିଥିଲା। ଏଥିରୁ ଚଳିତବର୍ଷ ପ୍ରଥମରୁ ଭଲ ବର୍ଷା ହୋଇ ମଧ୍ୟ ଭାଗରେ ବର୍ଷାଭାବ ଓ ପରେ ପୁନର୍ବାର ଭଲ ବର୍ଷା ହେବାର ସୂଚନା ମିଳିଛି। ଏଥର ପଞ୍ଚୁକୁ ନାଭିରେ ଧରିଥିଲେ କୃଷ୍ଣଚନ୍ଦ୍ର ମିଶ୍ର ଓ ମନମୌଜି ସାହୁ। ପୂଜାରେ ଶତାଧିକ ଭକ୍ତ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe