ଠାକୁର ନିଗମାନନ୍ଦଙ୍କ ୬୮ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ

Advertisment
ଠାକୁର ନିଗମାନନ୍ଦଙ୍କ ୬୮ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ

ଗୋପ/ନୟାହାଟ : ଠାକୁର ନିଗମାନନ୍ଦ ସରସ୍ବତୀ ଦେବଙ୍କ ୬୮ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ ଆଜି ପୁରୀ ଜିଲ୍ଲା ଗୋପ ବ୍ଳକ ବଉଲାଙ୍ଗ ପଞ୍ଚାୟତର ବଣହରାଠାରେ ଆରମ୍ଭ ହୋଇଛି। ଏହି ଉପଲକ୍ଷେ ପ୍ରତ୍ୟୁଷରୁ ଠାକୁରଙ୍କ ଷୋଡ଼ଶ ଉପଚାର ପୂଜା, ଆରତି, ବନ୍ଦନା, ପ୍ରାର୍ଥନା ଏବଂ ଆଧ୍ୟାତ୍ମିକ ଆଲୋଚନା କରାଯାଇଛି।

ସମାରୋହରେ ଅନ୍ତଃରାଷ୍ଟ୍ରୀୟ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞାନନ୍ଦଜୀ ମହାରାଜ ମୁଖ୍ୟଅତିଥି ଭାବେ ଯୋଗଦେଇ ଠାକୁରଙ୍କ ଦିବ୍ୟବାଣୀ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ଠାକୁରଙ୍କ ଉପଦେଶକୁ ଅନୁସରଣ କଲେ ଦିବ୍ୟତ୍ବ ଲାଭ ହେବ। ସମ୍ମାନିତ ଅତିଥି ଅସୀମାନନ୍ଦ ମିସନ୍‌ର ଅଧ୍ୟକ୍ଷ ସ୍ବାମୀ ଅସୀମାନନ୍ଦ ସରସ୍ବତୀ ମହାରାଜ କଳିଯୁଗରେ ଠାକୁରଙ୍କ ଆଦେଶ ଓ ଉପଦେଶର ମହାନତା ପ୍ରକାଶ କରିଥିବା ବେଳେ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ ମହାରାଜ ଠାକୁର ନିଗମାନନ୍ଦ ସରସ୍ବତୀଙ୍କ ଭାବଧାରା କିଭଳି ନିତ୍ୟଲୋକର ଭାବଧାରା ସହ ପୂର୍ଣ୍ଣ ସମ୍ପର୍କ ରହିଛି ତାର ବାଖ୍ୟା କରିଥିଲେ।

କାକଟପୁର ବିଧାୟକ ତଥା ଭକ୍ତ ସମ୍ମିଳନୀ ଅଭ୍ୟର୍ଥନା କମିଟିର ସଭାପତି ସୁରେନ୍ଦ୍ର ସେଠୀ ସମବେତ ଭକ୍ତ ସମୂହଙ୍କୁ ସ୍ବାଗତ ଜଣାଇଥିଲେ।

ଏହି ଅବସରରେ ଜମ୍ମୁକାଶ୍ମୀରସ୍ଥିତ ପୁଲୱାମାଠାରେ ସହିଦ୍ ହୋଇଥିବା ବୀର ଯବାନଙ୍କ ସହ ଗତ ୨୦୧୮–୧୯ ମସିହାରେ ଦିବ୍ୟଗତି ଲାଭ କରିଥିବା ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳେଇ, ଗୋପ ବ୍ଲକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପରିଡା, ବଉଲାଙ୍ଗ ସରପଞ୍ଚ କମଳାକାନ୍ତ କୁଅଁର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe