ସାଇବର ପୁଲିସ ହାତରେ ନାଇଜେରିଆ ଲୁଟେରା

Advertisment
ସାଇବର ପୁଲିସ ହାତରେ ନାଇଜେରିଆ ଲୁଟେରା

ବାଲେଶ୍ବର : ସୁନ୍ଦରୀ ଯୁବତୀଙ୍କ ଫଟୋ ଥାଇ ନକଲି ସୋସିଆଲ୍‌ ମିଡିଆ ଆକାଉଣ୍ଟ ଜରିଆରେ ପୁରୁଷମାନଙ୍କ ସହ ବନ୍ଧୁତା ସୃଷ୍ଟି କରୁଥିଲେ। ପରେ ବିଭିନ୍ନ ପ୍ରଲୋଭନ ଦେଖାଇ ଲକ୍ଷଲକ୍ଷ ଟଙ୍କା ଲୁଟୁଥିବା ଜଣେ ବିଦେଶୀ ନାଗରିକଙ୍କୁ ଗିରଫ କରିଛି ବାଲେଶ୍ବର ସାଇବର ଥାନା ପୁଲିସ। ହନିଟ୍ରାପ୍‌ର ଶିକାର ହୋଇ ୩୦ ଲକ୍ଷ ଟଙ୍କା ହରାଇଥିବା ବାଲେଶ୍ବର ସହରର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ହେଲେ, ନାଇଜେରିଆର ସାମସନ୍‌ ଏମିକେ ଆଲିକା।

ହନିଟ୍ରାପ୍‌ରେ ଫସାଇ ଲୁଟି ନେଇଥିଲା ୩୦ ଲକ୍ଷ
ଠକେଇର ଶିକାର ହୋଇଥିଲେ ଅବସରପ୍ରାପ୍ତ କର୍ମଚାରୀ
୬ ଲକ୍ଷ ଟଙ୍କା, ୨ ମୋବାଇଲ ଓ ଲାପଟପ୍‌ ଜବତ

୨୦୨୨ ଏପ୍ରିଲ ମାସ ୧୩ ତାରିଖରେ ରୁଜୁ ହୋଇଥିବା ମାମଲା ଅନୁଯାୟୀ; ବାଲେଶ୍ବର ସହର ସହଦେବଖୁଣ୍ଟା ଥାନା ବାଲିଆ ଅଞ୍ଚଳର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ସହ ଅଭିଯୁକ୍ତ ଏକ ନକଲି ଫେସବୁକ୍‌ ଆକାଉଣ୍ଟ ଜରିଆରେ ବନ୍ଧୁତା ସ୍ଥାପନ କରିଥିଲା। ପରେ ତାଙ୍କ ହ୍ବାଟ୍‌ସଆପ୍‌ ନମ୍ବର ସଂଗ୍ରହ କରି କିଛି ଦିନ ଚାଟିଂ କରିବା ସହ ଲଣ୍ଡନରୁ ରୋଲେକ୍ସ ଘଡ଼ି ଓ ଆଇଫୋନ୍‌ ଭଳି ଦାମୀ ଉପହାର ପଠାଇବ ବୋଲି ଲୋଭ ଦେଖାଇଥିଲା। କିଛିଦିନ ପରେ ଅଭିଯୁକ୍ତ ନିଜକୁ ଦିଲ୍ଲୀ ଅନ୍ତର୍ଜାତୀୟ ବିମା‌ନବନ୍ଦରର କଷ୍ଟମ୍‌ ଅଧିକାରୀ ଭାବେ ପରିଚୟ ଦେଇ ତାଙ୍କର କିଛି ସାମଗ୍ରୀ ବିଦେଶରୁ ଆସିଛି, କଷ୍ଟମ୍‌ ଚାର୍ଜ ପୈଠ କଲେ ସାମଗ୍ରୀ ପଠାଇବେ ବୋଲି କହିଥିଲେ। ଅଭିଯୋଗକାରୀ ମଧ୍ୟ ତାଙ୍କ କଥାରେ ଭଳିଯାଇ ଟଙ୍କା ପଠାଇଥିଲେ। ଭିନ୍ନଭିନ୍ନ ଆକାଉଣ୍ଟକୁ ପ୍ରାୟ ୩୦ ଲକ୍ଷ ଟଙ୍କା ପଠାଇ ସାରିବା ପରେ ସେପଟୁ କୌଣସି ସାମଗ୍ରୀ ନଆସିବାରୁ ଓ ଯୋଗାଯୋଗ ନହେବାରୁ ସେ ଠକାମୀର ଶିକାର ହୋଇଥିବା ଜାଣିପାରିଥିଲେ।

publive-image

ଏ ସଂକ୍ରାନ୍ତରେ ସେ ସାଇବର ଥାନାରେ ଅଭିଯୋଗ କରିବା ପରେ ଆଇଆଇସି ମୀନା ବିନ୍ଧାଣୀ ଅଭିଯୁକ୍ତର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଥିଲେ। ଅଭିଯୋଗକାରୀଙ୍କ ନିକଟକୁ ଆସିଥିବା କଲ୍‌, ହ୍ବାଟ୍‌ସଆପ୍‌ ମେସେଜ୍‌, ବ୍ୟାଙ୍କ ଆକାଉଣ୍ଟ ଆଦିକୁ ଖୋଳତାଡ଼ କରିବା ସହ ଶେଷରେ ଏହି ନାଇଜେରୀୟ ଠକ ପାଖରେ ପହଞ୍ଚିଥିଲା ପୁଲିସ। ଦିଲ୍ଲୀରୁ ଠକ ସାମ୍‌ସନ୍‌କୁ ଗିରଫ କରିବା ସହ ତାଙ୍କୁ ୩ ଦିନିଆ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ବାଲେଶ୍ବର ଅଣାଯାଇଛି। ସେ ଗତ ୮ ବର୍ଷ ହେଲା ଦିଲ୍ଲୀର କିଶନଗଡ଼ରେ ରହି ସାଇବର୍ ଅପରାଧରେ ଲିପ୍ତ ଥିଲା। ଏହି ଉପାୟରେ ସେ ପ୍ରାୟ ୧୦୦ରୁ ଅଧିକ ଲୋକଙ୍କୁ ଫସାଇ ଲକ୍ଷାଧିକ ଟଙ୍କା ଲୁଟିଥିବା ଜଣାପଡ଼ିଛି। ପୁଲିସ ତା ପାଖରୁ ଏକ ମୋବାଇଲ, ଲାପଟପ୍‌ ଓ କିଛି ନକଲି ସିମ୍‌ ଜବତ କରିଛି। ୨୦୧୮ ମସିହାରୁ ତାର ପାସପୋର୍ଟ ବୈଧତା ସରିଯାଇଥିଲେ ମଧ୍ୟ ସେ ଏକ ନକଲି ପାସପୋର୍ଟ ରଖି ଭାରତରେ ରହୁଥିଲା। ସାମ୍‌ସନ୍‌କୁ ଆଜି ବାଲେଶ୍ବର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିବା ସାଇବର ଥାନା ଆଇଆଇସି ଶ୍ରୀମତୀ ବିନ୍ଧାଣୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe