ଖୁଣ୍ଟୁଣୀ: କଟକ ଜିଲ୍ଲା ଖୁଣ୍ଟୁଣୀ-ନରସିଂହପୁର ୬୫ ନମ୍ବର ରାଜ୍ୟ ରାଜପଥର ଭୋଗରା ଗ୍ରାମ ପୋତାପୋଖରୀ ନିକଟରେ ଆଜି ଏକ ନାଇଟ୍ କୋଚ୍ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଡ୍ରାଇଭର୍ଙ୍କୁ ବାତ ମାରିବାରୁ ବସ୍ଟି କଲ୍ଭର୍ଟ ଭାଙ୍ଗି ରାସ୍ତା ତଳକୁ ଖସି ଯାଇଥିଲା। ଡ୍ରାଇଭର୍ ଆହତ ହୋଇଥିଲା ବେଳେ ବଡ଼ଧରଣର ଅଘଟଣରୁ ପ୍ରାୟ ୬୦ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଆଜି ରାତି ପ୍ରାୟ ସାଢ଼େ ୧୦ଟାରେ ମା’ ଭୁବନେଶ୍ବରୀ ନାମକ ନାଇଟ୍ କୋଚ୍ ଏକ୍ସପ୍ରେସ୍ ବସ୍ ୬୫ ନମ୍ବର ରାଜ୍ୟ ରାଜପଥ ଦେଇ ଭୁବନେଶ୍ବରରୁ ଭାୟା ଦେବଗଡ଼ ହୋଇ ସମ୍ବଲପୁର ଜିଲ୍ଲାର କୁଚିଣ୍ଡାକୁ ଯାଉଥିଲା। ଏହି ସମୟରେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଭୋଗରା ଗ୍ରାମ ନିକଟ ପୋତାପୋଖରୀରେ ହଠାତ୍ ବସ ଚାଳକଙ୍କୁ ବାତ ମାରିଥିଲା।
କଲ୍ଭର୍ଟ ଭାଙ୍ଗି ରାସ୍ତାରେ ଝୁଲି ରହିଲା
ଅଳ୍ପକେ ବର୍ତ୍ତିଲେ ୬୦ ଯାତ୍ରୀ
ଭୁବନେଶ୍ୱରରୁ ଯାଉଥିଲା କୁଚିଣ୍ଡା
ଫଳରେ ଚାଳକ ଗାଡ଼ିରୁ ନିୟନ୍ତ୍ରଣ ହରାଇଥିଲେ। ଏହାପରେ ବସଟି ରାସ୍ତାର ବାମପାର୍ଶ୍ବରେ ଥିବା କଲ୍ଭର୍ଟକୁ ଭାଙ୍ଗି ରାସ୍ତା ତଳକୁ ଖସି ଯାଇଥିଲା। ଶୁଖିଲା ପଡ଼ିଥିବା କଲ୍ଭର୍ଟ ଭିତରକୁ ବସ୍ର ସମ୍ମୁଖ ଭାଗ ପଶି ଯାଇଥିଲା ବେଳେ ପଛପାର୍ଶ୍ୱ ରାସ୍ତା ଉପରେ ଝୁଲି ରହିଥିଲା। ଦୁର୍ଘଟଣାର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ସହ ଖୁଣ୍ଟୁଣୀ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ କଲଭର୍ଟ ଉପରେ ଝୁଲି ରହିଥିବା ବସରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ସେମାନଙ୍କୁ ଅନ୍ୟ ଏକ ବସରେ ଗନ୍ତବ୍ୟସ୍ଥଳକୁ ପଠା ଯାଇଛି। ଅନ୍ୟପଟେ, ଦୁର୍ଘଟଣାରେ ଆହତ ହୋଇଥିବା ବସ ଚାଳକଙ୍କୁ ଚିକିତ୍ସା ପାଇଁ ଆଠଗଡ଼ ଡାକ୍ତରଖାନାକୁ ନିଆଯାଇଛି। ଗତ ସପ୍ତାହରେ ଠିକ୍ ଏହି ସ୍ଥାନରେ ଅନ୍ୟ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
Follow Us