୨୬ରେ ବିଧାନସଭା ଘେରିବ ନିଖିଳ ଉତ୍କଳ ଶିକ୍ଷକ ମହାସଂଘ

Advertisment
୨୬ରେ ବିଧାନସଭା ଘେରିବ ନିଖିଳ ଉତ୍କଳ ଶିକ୍ଷକ ମହାସଂଘ

ଭୁବନେଶ୍ୱର : ଅନୁଦାନପ୍ରାପ୍ତ ସ୍କୁଲ କଲେଜ କାର୍ଯ୍ୟରତ ଓ ଅବସରପ୍ରାପ୍ତ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ଏପ୍ରିଲ ୨୬ରେ ବିଧାନସଭା ସମ୍ମୁଖରେ ଧାରଣାରେ ବସିବେ ବୋଲି ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ପକ୍ଷରୁ ଘୋଷଣା କରାଯାଇଛି। ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାସଂଘର ସାଧାରଣ ସମ୍ପାଦକ ରବି ରାୟ କହିଛନ୍ତି ଯେ ସରକାରୀ ସ୍କୁଲ କ୍ଷେତ୍ରରେ ୨୦୧୬ ଜାନୁଆରି ପହିଲାରୁ ୭ମ ବେତନ କମିସନରେ ଦରମା ଲାଗୁ ହୋଇଥିଲା ବେଳେ ୨୦୧୭ ଜାନୁଆରି ପହିଲାରୁ ଅନୁଦାନପ୍ରାପ୍ତ ସ୍କୁଲର ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ଏହା ଲାଗୁ ହୋଇଛି। ଏହାଦ୍ୱାରା ପ୍ରାୟ ୫ ହଜାର ଶିକ୍ଷକ ଓ କର୍ମଚାରୀ ହତାଶ ହୋଇଛନ୍ତି। ୭ମ ବେତନ କମିସନ ଲାଗୁ କ୍ଷେତ୍ରରେ ଅଧ୍ୟାପକଙ୍କୁ ବି ପକ୍ଷପାତିତା କରାଯାଇଛି। ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକ ଓ କର୍ମଚାରୀଙ୍କ ପ୍ରତି ଅବିଚାର କରାଯାଇଥିବାରୁ ୮ ହଜାରରୁ ଅଧିକ ଅଧ୍ୟାପକ ଓ କର୍ମଚାରୀ ମର୍ମାହତ ହୋଇଛନ୍ତି ବୋଲି ଶ୍ରୀ ରାୟ କହିଛନ୍ତି।

ସେହିପରି ପେନ୍‌ସନଭୋଗୀଙ୍କ ପ୍ରତି ମଧ୍ୟ ଅବିଚାର କରାଯାଇଛି। ୭ମ ବେତନ କମିସନ ଦରମା ଓ ପେନସନ୍‌ ପ୍ରଦାନରେ ରାଜ୍ୟ ସରକାରଙ୍କ ପକ୍ଷପାତିତା ନିଷ୍ପତ୍ତିକୁ ପୁର୍ନବିଚାର ପାଇଁ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ଦୀର୍ଘଦିନ ହେଲା ଚାଲିଥିବା ବ୍ଲକଗ୍ରାଣ୍ଟ ଅଧ୍ୟାପକ ଓ କର୍ମଚାରୀଙ୍କ ଆନ୍ଦୋଳନକୁୁ ମହାସଂଘ ଦୃଢ଼ ସମର୍ଥନ ଜଣାଇବା ସହ ଆଲୋଚନା ମାଧ୍ୟମରେ ତୁରନ୍ତ ସମାଧାନ କରିବାକୁ ଦୃଢ଼ ଦାବି କରିଛି। ଏହି ସମ୍ବାଦିକ ସମ୍ମିଳନୀରେ ମହାସଂଘ ସଭାପତି ଦାଶରଥି ନାୟକ, କାର୍ଯ୍ୟକାରୀ ସଭାପତି ବିବେକାନନ୍ଦ ଦାସ, ଯୁଗ୍ମ ସାଧାରଣ ସମ୍ପାଦକ ସୁନୀଲ ରଥ, ଯୁଗ୍ମ ସମ୍ପାଦକ ଉମାକାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe