ପୁରୀ : ସରିଛି ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା। ରତ୍ନବେଦିରେ ଅଧିଷ୍ଠିତ ହୋଇ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ବିଗ୍ରହ। ୧୨ ଦିନର ଯାତ୍ରା ପରେ ମିଳିଛି ନୀଳାଚଳ ଅବଢ଼ା। ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ ପରେ ନୀଳାଚଳ ଅବଢ଼ା ଖାଇବା ସହ ଘରକୁ ବୋହି ନେଇଥିଲେ। ରବିବାର ଦିନ ଅବଢ଼ା ବାହାରିବା ବେଳକୁ ୫ଟା ୧୭ ମିନିଟ୍ ହୋଇଯାଇଥିଲା। ତଥାପି ବହୁ ଭକ୍ତ ଅବଢ଼ା ଖାଇବାକୁ ଅପେକ୍ଷା କରି ରହିଥିଲେ। ଭୋଗ ମଣ୍ଡପରୁ ଅବଢ଼ା ବାହାରି ଆନନ୍ଦ ବଜାରକୁ ଆସିବା କ୍ଷଣି ଆନନ୍ଦ ବଜାରରେ ଭିଡ଼ ଜମିଯାଇଥିଲା।
ସୁଆର ମହାସୁଆର ନିଯୋଗ ସଭାପତି ପଦ୍ମନାଭ ମହାସୁଆରଙ୍କ କହିବା ମୁତାବକ, ଗତକାଲି ମହାପ୍ରଭୁ ପହଣ୍ଡି ହୋଇ ଆସିବା ପରଠୁ ନୀତି ବିଳମ୍ବରେ ଚାଲିଥିବାରୁ ଅବଢ଼ା ବିଳମ୍ବରେ ବାହାରିଛି। ତେବେ ଗତ କିଛି ବର୍ଷ ଅପେକ୍ଷା ଏଥର ନୀଳାଦ୍ରି ବିଜେ ପରଦିନ ଅବଢ଼ା ଶୀଘ୍ର ବାହାରିଛି।
ରବିବାର ଛୁଟିଦିନ ଥିବାରୁ ଶ୍ରୀକ୍ଷେତ୍ରକୁ ବହୁ ଭକ୍ତଙ୍କ ଆଗମନ ହୋଇଥିଲା। ତେବେ ବଡ଼ସିଂହାର ହେବା ବେଳକୁ ରବିବାର ଦିନ ୯ଟା ବାଜି ଯାଇଥିବାରୁ ଦ୍ବାର ଫିଟା ସକାଳ ୯ଟା ୧୪ରେ ଅନୁଷ୍ଠିତ ହୋଇଥିଲ। ସକାଳ ଧୂପ ବେଳକୁ ୩ଟା ବାଜି ଯାଇଥିଲା। ତେଣୁ ଅବଢ଼ା ବାହାରିବା ବିଳମ୍ବ ହୋଇଥିଲା। ବିଳମ୍ବ ହେବା ସତ୍ତ୍ବେ ବହୁ ଭକ୍ତ ଉପାସରେ ଅବଢ଼ା ଖାଇବାକୁ ଅପେକ୍ଷା କରି ରହିଥିଲେ। ରବିବାର ଦିନ ଅବଢ଼ା ଦର ଉଚ୍ଚା ରହିଥିଲେ ବି ଭକ୍ତମାନେ ଭ୍ରୂକ୍ଷେପ ନକରି ଅବଢ଼ା ଖାଇବା ଓ ନେବାକୁ ଭିଡ଼ ଜମାଇଥିଲେ।
Follow Us