ଜାତୀୟ ଜନଜାତି ଆୟୋଗରେ ନୀଳାଚଳ ଶୁଣାଣି: ଅଭିଯୋଗକାରୀଙ୍କ ବାଦ୍ କେହି ହାଜର ହେଲେନି

Advertisment
ଜାତୀୟ ଜନଜାତି ଆୟୋଗରେ ନୀଳାଚଳ ଶୁଣାଣି: ଅଭିଯୋଗକାରୀଙ୍କ ବାଦ୍ କେହି ହାଜର ହେଲେନି

ନୀଳାଚଳର ପକ୍ଷ ରଖିବାକୁ ଯାଇଥିବା ଆଇନଜୀବୀଙ୍କୁ ଫେରାଇଲେ
୭ ଦିନ ମଧ୍ୟରେ ଉପସ୍ଥିତ ହେବାକୁ ସମସ୍ତ ପକ୍ଷଙ୍କୁ ପୁଣି ନୋଟିସ

ଯାଜପୁରସଦର : ନୀଳାଚଳ ଇସ୍ପାତ ସଂକ୍ରାନ୍ତ ଶୁଣାଣି ପାଇଁ ଶୁକ୍ରବାର ଦିନ ଜାତୀୟ ଜନଜାତି ଆୟୋଗ ଦିନ ଧାର୍ଯ୍ୟ କରିଥିଲେ ମଧ୍ୟ ଅଭିଯୋଗକାରୀଙ୍କ ବାଦ୍‌ ଅନ୍ୟ କୌଣସି ପକ୍ଷ ଯୋଗ ଦେଇନାହାନ୍ତି। ପ୍ରଶାସନର‌ କୌଣସି ପ୍ରତିନିଧି ଉପସ୍ଥିତ ନଥିଲାବେଳେ ନୀଳାଚଳ ପକ୍ଷରୁ ଯାଇଥିବା ଆଇନଜୀବୀଙ୍କୁ ଆୟୋଗ ଗ୍ରହଣ ନକରି ଫେରାଇ ଦେଇଥିଲେ। ଆୟୋଗର ଅଧ୍ୟକ୍ଷ ହରିଶ ଚୌହାନ ଅସନ୍ତୋଷ ପ୍ରକାଶ କରିବା ସହ ଆଗାମୀ ୭ ଦିନ ମଧ୍ୟରେ ହାଜର ହେବାକୁ ପୁଣି ନୋଟିସ ଜାରି କରିଛନ୍ତି। ନୋଟିସକୁ ଅମାନ୍ୟ କଲେ ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦିଆଯାଇଛି।

ଏହି ନୋଟିସ‌ରେ କାରଖାନା କର୍ତ୍ତୃପକ୍ଷଙ୍କୁ ଗତକାଲି ଦିଲ୍ଲୀଠାରେ ହୋଇଥିବା ଏସ୍‌ପିଏ (ସେୟାର ପରଚେଜ ଏଗ୍ରିମେଣ୍ଟ)ରେ କର୍ମଚାରୀଙ୍କ ଚାକିରି ସ୍ଥାୟିତ୍ବ, ସୁରକ୍ଷା, ସୁବିଧା ସୁଯୋଗ ନେଇ କଣ ନିଷ୍ପତ୍ତି ହୋଇଛି, ତାହା ଜଣାଇବା ସହ ପୂର୍ବ ଅଭିଯୋଗର ସମସ୍ତ କାଗଜପତ୍ର ସହ ହାଜର ହେବାକୁ କୁହାଯାଇଛି।

ଏଠାରେ ସୂଚାଇ ଉଲ୍ଲେଖଯୋଗ୍ୟ ଯେ କଳିଙ୍ଗନଗର ଶିଳ୍ପାଞ୍ଚଳର ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମକୁ ନିକଟରେ ଟାଟା କଂପାନି ହାତେଇ ନେଇଛି। ମାତ୍ର କାର୍ଯ୍ୟରତ କର୍ମଚାରୀଙ୍କ ସମସ୍ୟା ତଥା ଭବିଷ୍ୟତକୁ ନେଇ ଅନିଶ୍ଚିତତା ପ୍ରକାଶ ପାଇଛି। ଶ୍ରମିକ ଓ କର୍ମଚାରୀଙ୍କ ସମସ୍ୟାକୁ ନେଇ ନୀଳାଚ‌‌ଳ ବଞ୍ଚାଓ ମିଳିତ ମଞ୍ଚ ବିଭିନ୍ନ ଜାଗାରୁ ନିରାଶ ହେବାପରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଭେଟିଥିଲେ। ତାଙ୍କ ପରାମର୍ଶକ୍ରମେ ଅଭିଯୋଗକୁ ଜାତୀୟ ଜନଜାତି ଆୟୋଗକୁ ହସ୍ତାନ୍ତର କରାଯାଇଥିଲା। ଆଜି ଏହି ପ୍ରସଙ୍ଗରେ ଶୁଣାଣି ସଂକ୍ରାନ୍ତ ସମନକୁ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେଇ ନଥିବା ସ୍ପଷ୍ଟ ହୋଇଛି। ଏଥିରେ ଜିଲ୍ଲା ପ୍ରଶାସନ ସହ ନୀଳାଚଳ କର୍ତ୍ତୃପକ୍ଷ, ଏମ୍‌ଏମ୍‌ଟିସିକୁ ଉପସ୍ଥିତ ରହି ପକ୍ଷ ରଖିବାକୁ ନିର୍ଦେଶ ହୋଇଥିଲା। କାରଖାନା ପକ୍ଷରୁ ଜଣେ ଆଇନଜୀବୀ ହାଜର ହୋଇଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କେହି ଯାଇନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe