ନୀଳକନ୍ଦରକୁ ବିଜେ କରୁଛନ୍ତି ଶ୍ରୀଜିଉ: ପହଣ୍ଡି ଦର୍ଶନ କଲେ ଭକ୍ତ, ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ଶ୍ରୀଜଗନ୍ନାଥ

ନୀଳକନ୍ଦରକୁ ବିଜେ କରୁଛନ୍ତି ଶ୍ରୀଜିଉ: ପହଣ୍ଡି ଦର୍ଶନ କଲେ ଭକ୍ତ, ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ଶ୍ରୀଜଗନ୍ନାଥ

ପୁରୀ: ୧୨ ଦିନର ଲୀଳାଖେଳ ପରେ ଶନିବାର ଚତୁର୍ଦ୍ଧାବିଗ୍ରହ ନୀଳାଦ୍ରି ବିଜେ କରୁଛନ୍ତି । ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହ ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରୁଛନ୍ତି । ଶ୍ରୀବିଗ୍ରହଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଯାଇଛି। ରାମ-କୃଷ୍ଣ, ମଦନମୋହନ ଶ୍ରୀମନ୍ଦିରକୁ ବିଜେ କଲା ପରେ ଶ୍ରୀବିଗ୍ରହମାନଙ୍କର ପହଣ୍ଡି ଆରମ୍ଭ ହୋଇଯାଇଛି। ପ୍ରଥମେ ପ୍ରଭୁ ଶ୍ରୀବଳଭଦ୍ର ପରେ ଦେବୀ ସୁଭଦ୍ରା ରଥରୁ ଓହ୍ଲାଇ ରତ୍ନମଣ୍ଡପକୁ ବିଜେ କରିବେ। ଶେଷର କାଳିଆ ଠାକୁର ନନ୍ଦିଘୋଷରୁ ଓହ୍ଲାଇ ପହଣ୍ଡିରେ ରତ୍ନବେଦିକୁ ଯିବେ। ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ସ୍ବୟଂ ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

publive-image

ନୀଳାଦ୍ରି ବିଜେରେ ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ଦର୍ଶନ ପାଇଁ ଶନିବାର ଦିନ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଛି। ଭକ୍ତଙ୍କର ଗହଳି ଯୋଗୁଁ ବଡ଼ଦାଣ୍ଡ ଉଛୁଳିପଡୁଛି। ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କର ଭିଡ଼ ଲାଗି ରହିଛି। ଭକ୍ତମାନେ ଆଜି ମହାପ୍ରଭୁଙ୍କୁ ରସଗୋଲା ଭୋଗ ଅର୍ପଣ କରିବେ।

ଶ୍ରଦ୍ଧାଳୁଙ୍କୁ ବଣ୍ଟାହେଲା ରସ‌ଗୋଲା

ନୀଳାଦ୍ରି ବିଜେରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଅଭିମାନୀ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିଥାନ୍ତି। ଏହି ଦୃଷ୍ଟିରୁ ଆଜି ସେବାୟତ, ଭକ୍ତମାନେ ମାଟି ହାଣ୍ଡିରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରସଗୋଲା ସମର୍ପଣ କରିଛନ୍ତି। ରଥ ଆଗରେ ରଥାରୁଢ଼ ଶ୍ରୀବିଗ୍ରହଙ୍କୁ ରସଗୋଲା ଭୋଗ କରିବା ସହ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କୁ ବାଣ୍ଟିଛନ୍ତି। ଉଭୟ ଭକ୍ତ, ସେବାୟତ ଗହଳି ଭିତରେ ରସଗୋଲା ବାଣ୍ଟୁଥିବା ଦେଖିବାକୁ ମିଳିଛି। ମାନସିକଧାରୀମାନେ ବି ମାଟି ହାଣ୍ଡିରେ ମହାପ୍ରଭୁଙ୍କୁ ରସଗୋଲା ଭୋଗ କରି ଶ୍ରଦ୍ଧାଳୁଙ୍କୁ ବାଣ୍ଟିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe