ନୀଳଗିରି ଇଟାଭାଟିରୁ ୩୯ ଦାଦନ ଶ୍ରମିକ ଉଦ୍ଧାର

Advertisment
ନୀଳଗିରି ଇଟାଭାଟିରୁ ୩୯ ଦାଦନ ଶ୍ରମିକ ଉଦ୍ଧାର

ନୀଳଗିରି: ବାଲେଶ୍ୱର ଜିଲ୍ଲାପାଳଙ୍କ ନିର୍ଦେଶରେ ବାରାଣାସୀର ଏକ ସ୍ୱେଚ୍ଛାସେବୀ ସଂଗଠନ ‘ଗୁଡ଼ିଆ’ ସାହାଯ୍ୟରେ ନୀଳଗିରି ଅଞ୍ଚଳର ଏକ ଇଟାଭାଟିରୁ ୩୯ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଶ୍ରମିକମାନେ ଛତିଶଗଡ଼ ରାଜ୍ୟର ବିଳାସପୁର, ଜାଞ୍ଜଗିରି ଜିଲ୍ଲାରୁ ଆସିଥିବା ଜଣାପଡ଼ିଛି। ନୀଳଗିରି ଅଞ୍ଚଳର ଜଣେ ଇଟାଭାଟି ମାଲିକ ସେମାନଙ୍କୁ ମାନସିକ, ଶାରୀରିକ ନିର୍ଯାତନା ଦେଉଥିବା ଉଦ୍ଧାର ପରେ ସେମାନେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ନୀଳଗିରି ଅଞ୍ଚଳରେ ଜଣେ ଇଟାଭାଟି ମାଲିକ ଛତିଶଗଡ଼ ଅଞ୍ଚଳରୁ ଦାଦନ ଶ୍ରମିକ ଆଣି ଭାଟିରେ କାମ କରାଉଥିଲେ। ସେମାନଙ୍କୁ ଠିକ୍‌ରେ ମଜୁରି ଦେବା ତ ଦୂରର କଥା, ଅଧିକାଂଶ ବେଳେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏପରିକି ଯୁବତୀମାନଙ୍କୁ ଯୌନ ନିର୍ଯାତନ ଦେବା ମଧ୍ୟ ଅଭିଯୋଗ ହୋଇଛି। ଦାଦନ ଶ୍ରମିକମାନଙ୍କ ମଧ୍ୟରୁ ଜଣେ ଚତୁରତାର ସହିତ ନିଜ ଗ୍ରାମକୁ ପଳାଇ ଯାଇଥିଲେ। ଘଟଣା ସଂପର୍କରେ ଗ୍ରାମବାସୀଙ୍କୁ ଜଣାଇବା ପରେ ଛତିଶଗଡ଼ ସରକାରଙ୍କୁ ବାରଣାସୀର ‘ଗୁଡ଼ିଆ’ ସ୍ୱେଚ୍ଛାସେବୀ ସଂସ୍ଥା ଖବର ଦେଇଥିଲା। ପରେ ସଂସ୍ଥାର ସଂଯୋଜକ ସଂଜୟ କୁମାର ମିଶ୍ର, ବିଷ୍ଣୁ ସିହ୍ନା, ମନୋଜ କୁମାର ଓଡ଼ିଶାକୁ ଆସି ବାଲେଶ୍ୱର ଜିଲ୍ଲାପାଳଙ୍କୁ ଘଟଣା ବିଷୟରେ ଅବଗତ କରାଇଥିଲେ। ଜିଲ୍ଲାପାଳ ପ୍ରମୋଦ କୁମାର ଦାସଙ୍କ ନିର୍ଦ୍ଦେଶରେ ଆଜି ନୀଳଗିରି ଉପଜିଲ୍ଲାପାଳ ଅବୋଲୀ ସୁନୀଲ ନରଅଣେ, ତହସିଲଦାର ମନୋରମା ଭୂୟାଁ, ବାଲେଶ୍ୱର ସହକାରୀ ଶ୍ରମ ଅଧିକାରୀ ରବୀନ୍ଦ୍ର ବାରାଲା, ସହକାରୀ ଶ୍ରମ ଅଧିକାରୀ ଶୁଭଶ୍ରୀ ପଟ୍ଟନାୟକ ସ୍ଥାନୀୟ ପୁଲିସକୁ ଧରି ନୀଳଗିରି ବ୍ଲକ ଅଧୀନସ୍ଥ ଅଯୋଧ୍ୟାରେ ଥିବା ସମ୍ପୃକ୍ତ ଇଟାଭାଟିରେ ଚଢ଼ଉ କରିଥିଲେ। ସେଠାରେ କାର୍ଯ୍ୟରତ ୩୯ ଜଣ ଦାଦନ ଶ୍ରମିକକୁ ଉଦ୍ଧାର କରି ନୀଳଗିରି ତହସିଲ ଅଫିସକୁ ଆଣିଥିଲେ। ଉଦ୍ଧାର ହୋଇଥିବା ୩୯ ଜଣ ଦାଦନ ଶ୍ରମିକ ନିଜର ଦୁଃଖ ତଥା ଇଟାଭାଟି ମାଲିକର ଅତ୍ୟାଚାର ସଂପର୍କରେ ଅଫିସରଙ୍କ ଆଗରେ ବଖାଣିଥିଲେ। ଇଟାଭାଟି ମାଲିକ ସେମାନଙ୍କୁ ଠିକ୍‌ ଭାବରେ ପାରିଶ୍ରମିକ ନ ଦେଇ ଦିନରାତି ଖଟାଉଥିବା ଅଭିଯୋଗ କରିଥିଲେ। ଯୁବତୀ ଶ୍ରମିକମାନଙ୍କୁ ଇଟାଭାଟି ମାଲିକ ଯୌନ ନିର୍ଯାତନା ଦେଉଥିବା ମଧ୍ୟ ନୀଳଗିରି ଉପଜିଲ୍ଲାପାଳ, ତହସିଲଦାର, ଶ୍ରମଅଧିକାରୀ, ଅତିରିକ୍ତ ତହସିଲଦାରଙ୍କ ଆଗରେ ଅଭିଯୋଗ କରିଥିଲେ। ଅଧିକାରୀମାନେ ଏହାର ଯାଞ୍ଚ୍‌ କରିବା ସହିତ ତଦନ୍ତ କରୁଛନ୍ତି। ଘଟଣା ସଂପର୍କରେ ଉପଜିଲ୍ଲାପାଳ ଅବୋଲୀ ସୁନୀଲ ନରଅଣେଙ୍କୁ ପଚାରିବାରୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ନୀଳଗିରି ଉପଖଣ୍ଡରେ ଥିବା ୩୯ ବେଆଇନ ଚିମିନି ଭାଟି, ୨୨ ଚଦର ଭାଟି ଉପରେ ଚଢ଼ଉ କରାଗଲେ ଶହ ଶହ ଶିଶୁ ଶ୍ରମିକଙ୍କ ସହିତ ଦାଦନମାନଙ୍କର ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇପାରନ୍ତା ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି। ଉକ୍ତ ବେଆଇନ ଇଟାଭାଟିଗୁଡ଼ିକ ଉପରେ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe