ପୁଣି ସାମ୍‌ନାକୁ ଆସିଲା ବିଧାୟକ-ଯନ୍ତ୍ରୀ ବିବାଦ : ନୀଳଗିରି ବିଧାୟକଙ୍କ ଧମକପୂର୍ଣ୍ଣ ଅଡିଓ ଭାଇରାଲ୍

Advertisment
ପୁଣି ସାମ୍‌ନାକୁ ଆସିଲା ବିଧାୟକ-ଯନ୍ତ୍ରୀ ବିବାଦ : ନୀଳଗିରି ବିଧାୟକଙ୍କ ଧମକପୂର୍ଣ୍ଣ ଅଡିଓ ଭାଇରାଲ୍

Odisha Bytes

ନୀଳଗିରି : କିଛିଦିନ ତଳେ ବାରିପଦା ବିଧାୟକ ଓ ଯନ୍ତ୍ରୀଙ୍କ ମଧ୍ୟରେ ବିବାଦକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଏବେ ବ୍ଲକ୍‌ର ଜଣେ ସହକାରୀ ଯନ୍ତ୍ରୀଙ୍କୁ ଧମକ ଦେଇ ବିବାଦକୁ ଟାଣି ହୋଇଛନ୍ତି ବାଲେଶ୍ବର ଜିଲ୍ଲା ନୀଳଗିରି ନିର୍ବାଚନମଣ୍ଡଳୀ ବିଧାୟକ ସୁକାନ୍ତ ନାୟକ। ସୋସିଆଲ୍‌ ମିଡିଆରେ ଏହାର ଅଡିଓ ଭାଇରାଲ ହେବାପରେ ଆଜି ଦିନତମାମ ଏହାକୁ ନେଇ ଚର୍ଚ୍ଚା ଲାଗିରହିଛି। ଯଦିଓ ଅଡିଓର ସତ୍ୟତା ପ୍ରମାଣିତ ହୋଇନାହିଁ, ତେବେ ଯନ୍ତ୍ରୀଙ୍କୁ ଧମକ ଦେବା କଥାକୁ ଅସ୍ବୀକାର କରିଛନ୍ତି ବିଧାୟକ।

ଭାଇରାଲ୍‌ ଅଡିଓରେ ଦୁଇଟି ପଞ୍ଚାୟତର ଠିକାକାମ ବିଲ୍ କରିନଥିବାରୁ ବିଧାୟକ ଶ୍ରୀ ନାୟକ ଉତ୍‌କ୍ଷିପ୍ତ ହୋଇ ସହକାରୀ ଯନ୍ତ୍ରୀ ଅନୀଲ ପଣ୍ଡାଙ୍କୁ ଭିଜିଲାନ୍ସରେ ଫସାଇବାର ଧମକ ଦେଉଛନ୍ତି। ବିଲ୍ ପାଇଁ ବାରମ୍ବାର କହିବା ସତ୍ତ୍ବେ ସେ (ଯନ୍ତ୍ରୀ) ଶୁଣୁନାହାନ୍ତି। ଏଥର ତାଙ୍କୁ କିଏ ସମ୍ଭାଳିବ ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି। ତେବେ, ଏହାକୁ ଅସ୍ବୀକାର କରିଛନ୍ତି ବିଧାୟକ ଶ୍ରୀ ନାୟକ। ସେ କହିଛନ୍ତି, କିଛି ଉନ୍ନୟନ ପ୍ରକଳ୍ପର ବକେୟା ବିଲ୍ ସମ୍ପର୍କରେ କଥା ହେବା ପାଇଁ ସେ ଯନ୍ତ୍ରୀଙ୍କୁ ଡାକିଥିଲେ। ତା’ ଛଡ଼ା ସଂପୃକ୍ତ ଯନ୍ତ୍ରୀଙ୍କ ବିରୋଧରେ ଅନେକ ଅନିୟମିତତା ଅଭିଯୋଗ ରହିଛି ବୋଲି ବିଧାୟକ ଶ୍ରୀ ନାୟକ କହିଛନ୍ତି।

ଯଦି ଭିଡିଓ ସତ ହୋଇଥାଏ, ଜଣେ ସରକାରୀ ଅଧିକାରୀଙ୍କ ପ୍ରତି ଜନପ୍ରତିନିଧିଙ୍କ ଆଚରଣକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ଯଦି ଏମିତି କିଛି ଅଭିଯୋଗ ଭିଜିଲାନ୍ସକୁ ଯିବା ଭଳି ଯୋଗ୍ୟତା ଅଛି, ତେବେ ବିଧାୟକ ପୂର୍ବରୁ କାହିଁକି ଚୁପ୍ ଥିଲେ ବୋଲି ସ୍ଥାନୀୟ ଅଞ୍ଚଳର କିଛିଲୋକ ପ୍ରତିକ୍ରିୟାରେ କହିଛନ୍ତି। ଅନ୍ୟପଟେ ଏହା ମଧ୍ୟ ପ୍ରଶ୍ନ ଉଠୁଛି, କାମ ବିଲ୍ ନ କରି ସମ୍ପୃକ୍ତ ଯନ୍ତ୍ରୀ କାହିଁକି ପକାଇ ରଖିଥିଲେ? ସେ କାମରେ କିଛି ଅନିୟମିତତା ହୋଇଥିଲା କି, ଯାହା ପାଇଁ ଯନ୍ତ୍ରୀ ବିଲ୍ କରିବାରେ ପଛଘୁଞ୍ଚା ଦେଉଥିଲେ? ଅନ୍ୟପକ୍ଷରେ, ବିଧାୟକଙ୍କ ଧମକ ପ୍ରସଙ୍ଗରେ ସହକାରୀ ଯନ୍ତ୍ରୀ ଅନୀଲ ପଣ୍ଡା କହିଛନ୍ତି, ଏ ସଂପର୍କରେ ସେ ଉପରିସ୍ଥ ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇ ଯାହା କିଛି ପଦକ୍ଷେପ ନେବେ। ପ୍ରକାଶଥାଉକି, ପୂର୍ବରୁ ତହସିଲ ଅଫିସ ପରିସରରୁ ଉଚ୍ଛେଦକୁ ନେଇ ନୀଳଗିରିର ପୂର୍ବତନ ତହସିଲଦାରଙ୍କ ସହ ବିଧା‌ୟଙ୍କ ବିବାଦ ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe