ନିମାପଡ଼ା ନିର୍ବାଚନମଣ୍ଡଳୀ: ଲମ୍ବିଲାଣି ଆଶାୟୀଙ୍କ ତାଲିକା

ଚିତ୍ତରଞ୍ଜନ ମହାନ୍ତି

ଏଥର ଅଧିକ ଧନୀ ପ୍ରାର୍ଥୀ: ୧୨୮୩ ଜଣ ପ୍ରାର୍ଥୀଙ୍କ ସତ୍ୟପାଠ ସମୀକ୍ଷା

ନିମାପଡ଼ା: ଆଉ ଅଳ୍ପଦିନ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏପରିପ୍ରେକ୍ଷୀରେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ରାଜନୈତିକ ବାତାବରଣ ମଧ୍ୟ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ବିଶେଷ କରି କ୍ଷମତାସୀନ ବିଜେଡି ଦଳୀୟ ରାଜନୀତିକୁ ନେଇ ଅଞ୍ଚଳରେ ବେଶ୍‌ ଚର୍ଚ୍ଚା ହେଉଛି। ସଂରକ୍ଷଣ ଉଠିଯିବା ପରେ ଏହି ଆସନରୁ ସମୀର ଦାଶ ଲଗାତାର ୩ ଥର ବିଧାୟକ ହୋଇଛନ୍ତି। ନବୀନ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ତେବେ ନିର୍ବାଚନର ଦେଢ଼ ବର୍ଷ ପୂର୍ବରୁ ଶ୍ରୀ ଦାସ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିବା ପରେ ବିଜେଡି ଟିକେଟ୍‌ ଆଶାୟୀଙ୍କ ତାଲିକା ବଢ଼ିବାରେ ଲାଗିଛି। କିନ୍ତୁ ଶ୍ରୀ ଦାଶ ୪ର୍ଥ ଥର ନିର୍ବାଚିତ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଅପରପକ୍ଷେ ବିଜେଡି ଆଇଟି ସେଲ୍‌ ଆବାହକ ସୁବ୍ରତ ଛାଟୋଇ, ବିଜେଡି ସଂପାଦକ ତଥା ରାୟଗଡ଼ା ଜିଲା ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ରଣଜିତ ରାୟ(ପୁପୁ), ବିଜେଡି ନେତା ସତ୍ୟବ୍ରତ ପାତ୍ର( ରମୁ ପାତ୍ର) ଏବଂ ଦିଲ୍ଲୀରେ ଏକ କର୍ପୋରେଟ୍‌ ସଂସ୍ଥାରେ ଚାକିରି କରିଥିବା ଜିତେନ୍ଦ୍ର ମହାନ୍ତି (ଜିତୁ) ମଧ୍ୟ ବିଜେଡି ଟିକେଟ ପାଇଁ ଆଶାୟୀ ଅଛନ୍ତି।

ବିଧାୟକ ସମୀର ଦାଶ ବିଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଉଠିବା ପରେ ବିଜେଡି ଆଶାୟୀ ନିର୍ବାଚନମଣ୍ଡଳୀରେ ସକ୍ରିୟ ହୋଇଛନ୍ତି। କିଛି ଦିନ ତଳେ ବିଜେଡିରେ ଯୋଗଦେଇଥିବା ସୁବ୍ରତ ଛାଟୋଇ ଏଠାରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ନିମାପଡ଼ାର ଗଡ଼ତୋରିହଁ ଗ୍ରାମର ଯୁବନେତା ରଣଜିତ ରାୟଙ୍କୁ ରାୟଗଡ଼ା ଜିଲାପାଇଁ ବିଜେଡି ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ସେ ବି ଟିକେଟ୍ ଆଶାୟୀ ଅଛନ୍ତି। ଅନ୍ୟପକ୍ଷରେ ଜିତେନ୍ଦ୍ର ମହାନ୍ତିଙ୍କ ଘର ଗୋପ ବ୍ଲକ୍‌ ଅଞ୍ଚଳରେ। ସେ ଯଦିଓ ପ୍ରତ୍ୟେକ୍ଷ ରାଜନୀତିକୁ କେବେ ଆସିନାହାନ୍ତି, ମାତ୍ର ଗତ ପଞ୍ଚାୟତ ନିର୍ବାଚନରେ ସେ ପ୍ରଛଦପଟରେ ରହି ନିମାପଡ଼ା ଓ ଗୋପ ବ୍ଲକ୍‌ର ରାଜନୀତିକୁ କେତେକାଂଶରେ ନିୟନ୍ତ୍ରଣ କରୁଥିଲେ। ତେଣୁ ବିଜେଡି ଟିକେଟ ମିଳିବାର ପ୍ରତିଶ୍ରୁତି ପାଇଲେ ସେ ଚାକିରି ଛାଡ଼ି ପ୍ରାର୍ଥୀ ହେବାକୁ ଆଶା ରଖିଛନ୍ତି। ସ୍ଥାନୀୟ ଅଞ୍ଚଳରେ ସତ୍ୟବ୍ରତ ପାତ୍ର ଓରଫ ରମୁପାତ୍ର ଏକ ଜଣାଶୁଣା ନାମ। ତେଣୁ ସେ ମଧ୍ୟ ଟିକେଟ୍‌ ପାଇପାରନ୍ତି ବୋଲି ବିଜେଡି କର୍ମୀମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ୨୦୧୯ ନିର୍ବାଚନର ସମୀର ରଞ୍ଜନ ଦାଶ ବିଜେଡି ଦଳରୁ ୯୨ ହଜାର ଭୋଟ ପାଇ ନିର୍ବାଚିତ ହୋଇଥିଲେ। ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ଭାଜପା ପ୍ରାର୍ଥୀ ପ୍ରଭାତୀ ପରିଡ଼ା ୬୦ହଜାର ଭୋଟପାଇ ଦ୍ବିତୀୟ ସ୍ଥାନରେ ଥିଲେ। ଦିଲୀପ ନାୟକ କଂଗ୍ରେସ ଦଳରୁ ପ୍ରାର୍ଥୀହୋଇ ୩୦ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ। ସମୀର ଦାଶ ଭୋଟ ୯୨ ହଜାର ଥିବାବେଳେ ତାଙ୍କ ବିରୋଧରେ ଦୁଇ ଦଳର ପ୍ରାର୍ଥୀ ପାଇଥିବା ଭୋଟ ୯୦ ହଜାର ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe