ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କୁ ୫ଟି ଛାଟ : ବିଦାହେଲେ ଆଉ ୯ ଅଧିକାରୀ

Advertisment

ଏଯାଏ ୧୧୩ଜଣଙ୍କ ବିରୋଧରେ ହେଲାଣି କାର୍ଯ୍ୟାନୁଷ୍ଠାନ

ଏଯାଏ ୧୧୩ଜଣଙ୍କ ବିରୋଧରେ ହେଲାଣି କାର୍ଯ୍ୟାନୁଷ୍ଠାନ

୮ ଓଏଏସ୍‌ ଅଧିକାରୀଙ୍କ ବଦଳି

Eduvoice

ଭୁବନେଶ୍ବର : ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୋଧରେ ପୁଣି ୫ଟି ଛାଟ ପଡ଼ିଛି। ରାଜ୍ୟ ସରକାର ଆଜି ପୁଣି କିଛି ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛନ୍ତି। ଏହି କ୍ରମରେ ଖଣି ବିଭାଗର ଜଣେ ଉପନିର୍ଦ୍ଦେଶକ ଓ ଶ୍ରମ ବିଭାଗର ଯୁଗ୍ମ କମିସନରଙ୍କ ସମେତ ଜଙ୍ଗଲ, ଜନସ୍ବାସ୍ଥ୍ୟ, ଶ୍ରମ ବିଭାଗର ୯ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ବିରୋଧରେ ଦୁର୍ନୀତି ମାମଲା ଥିବାବେଳେ ୨ ଜଣଙ୍କୁ ଅପାରଗତା ଯୋଗୁଁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ସରକାର କହିଛନ୍ତି।

ଖଣି ବିଭାଗର ୨ ଜଣ ଅଧିକାରୀ ତଥା ବଲାଙ୍ଗୀର ମୂରିବାହଲ ଫରେଷ୍ଟ ରେଞ୍ଜ ଅଫିସର ଏବଂ ସୁନ୍ଦରଗଡ ଜିଲ୍ଲା ସାଧାରଣ ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଛି। ଅନ୍ୟ ୫ ଜଣଙ୍କୁ କିଛି ଦିନ ତଳେ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା।

ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ ଖଣି ବିଭାଗର ଉପନିର୍ଦ୍ଦେଶକ ମଦନ ମୋହନ ବିଶ୍ବାଳ। ଶ୍ରୀ ବିଶ୍ବାଳଙ୍କ ବିରୋଧରେ ୯ଟି ଭିଜିଲାନ୍‌ସ ମାମଲା ରହିଛି। ତାଙ୍କର ସାଧୁତା ଅତ୍ୟନ୍ତ ସନ୍ଦେହଜନକ ଥିଲା। ସେହିପରି ସରକାରୀ କାର୍ଯ୍ୟରେ ତାଙ୍କର ଆନ୍ତରିକତା ଅଭାବ ରହିଥିଲା ଏବଂ ଜଣେ ସରକାରୀ ଅଧିକାରୀ ଭାବରେ ଆବଶ୍ୟକ ସୌଜନ୍ୟ ମଧ୍ୟ ସେ ରକ୍ଷା କରୁ ନଥିଲେ।

ଖଣି ଅଧିକାରୀ ଗ୍ରୁପ-କ ପାହ୍ୟାର ଅଧିକାରୀ ରମେଶ ଚନ୍ଦ୍ର ମହାଲିକଙ୍କ ବିରୋଧରେ ୪ଟି ଭିଜିଲାନ୍‌ସ କେସ୍ ଥିବାବେଳେ ତାଙ୍କର ସାଧୁତା ମଧ୍ୟ ସନ୍ଦେହଜନକ ଥିଲା। ଜଣେ ସରକାରୀ ଅଧିକାରୀ ଭାବରେ ଆବଶ୍ୟକ ଆନ୍ତରିକତା ଓ ସୌଜନ୍ୟର ଅଭାବ ତାଙ୍କ ଠାରେ ଥିଲା ବୋଲି ସରକାର କହିଛନ୍ତି।

ବଲାଙ୍ଗୀର ମୂରିବାହାଲ ଫରେଷ୍ଟ ରେଞ୍ଜ ଅଫିସର ପ୍ରଶାନ୍ତ କୁମାର ନାୟକ ୧ କୋଟି ୪୦ ଲକ୍ଷ ଟଙ୍କାର ଆୟବହିର୍ଭୁତ ସଂପତ୍ତି ସହିତ ବଲାଙ୍ଗୀର ଜିଲ୍ଲାରେ ତାଙ୍କର ୧୦ଟି ପ୍ଲଟ ଓ ୨ଟି କୋଠା ମଧ୍ୟ ଠାବ କରାଯାଇଥିଲା। ସେଥିପାଇଁ ତାଙ୍କ ନାମରେ ଭିଜିଲାନ୍‌ସ ମାମଲା ରହିଛି। ସୁନ୍ଦରଗଡ ଜିଲ୍ଲା ସାଧାରଣ ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ବିରୋଧରେ ଭିଜିଲାନ୍‌ସ ମାମଲା ରହିଛି। ତାଙ୍କର ଆୟ ବହିର୍ଭୂତ ୨ କୋଟି ୨୦ ଲକ୍ଷ ଟଙ୍କାର ସଂପତ୍ତି ସହିତ ଦେବଗଡ ଜିଲ୍ଲାରେ ୪ଟି କୋଠା, ସମ୍ବଲପୁର, ଦେବଗଡ, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାରେ ୩୧ଟି ଜମି ମଧ୍ୟ ରହିଛି।

ଜଙ୍ଗଲ ବିଭାଗର ସହକାରୀ ବନ ସଂରକ୍ଷକ ଲକ୍ଷ୍ଣଣ କୁମାର ପ୍ରଧାନଙ୍କ ବିରୋଧରେ ୨ଟି ଭିଜିଲାନ୍‌ସ କେସ ରହିଛି। ଜଙ୍ଗଲ ବିଭାଗର ରେଞ୍ଜ ଅଫିସର ଭରତ କୁମାର ଘଡେଇଙ୍କ ବିରୋଧରେ ୩ଟି ଭିଜିଲାନ୍‌ସ କେସ୍ ରହିଛି। ରାୟଗଡା ଜିଲ୍ଲା ଶ୍ରମ ଅଧିକାରୀ ପ୍ରଦୀପ କୁମାର ଭୋଇଙ୍କ ନାମରେ ଗୋଟିଏ ଭିଜିଲାନ୍‌ସ କେସ ରହିଛି। ଏମାନଙ୍କୁ ସମସ୍ତଙ୍କୁ ଦୁର୍ନୀତି ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦିଆଯାଇଛି ବୋଲି ସରକାର କହିଛନ୍ତି।

ଭୁବନେଶ୍ବରର ଯୁଗ୍ମ ଶ୍ରମ କମିଶନର ଶରତ କୁମାର ଚୌଧୁରୀ ଏବଂ ଗଜପତି ଜିଲ୍ଲାର ଡିଭିଜିନାଲ ଶ୍ରମ କମିଶନର ନମିତା ଦାସଙ୍କୁ ଅପାରଗତା ଯୋଗୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ଏହି ୯ ଜଣ ଅଧିକାରୀଙ୍କ ସମେତ ଏପର୍ଯ୍ୟନ୍ତ ୧୧୩ଜଣଙ୍କୁ ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଥିବା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଶୂନ୍ୟ ସହିଷ୍ଣୁତା ନୀତି ଗ୍ରହଣ କରାଯିବ ବୋଲି ପୂର୍ବରୁ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe