ନିରଞ୍ଜନ ବିଶି ଏବେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ: ଦିନେ କଠୋର ବିରୋଧୀ ଥିଲେ

ଶପଥ ନେଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

ବଲାଙ୍ଗୀର : ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ଘୋଷଣା କରିଥିବା ଚାରିଜଣ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଆଦିବାସୀ ନେତା ନିରଞ୍ଜନ ବିଶି। ଶ୍ରୀ ବିଶି ବର୍ଷବର୍ଷ ଧରି ସରକାରଙ୍କ ବିରୋଧରେ ଆଦିବାସୀଙ୍କ ଅଧିକାର ପାଇଁ ଲଢ଼ୁଥିଲେ। ଆଦିବାସୀଙ୍କ ସଶସ୍ତ୍ର ଆନ୍ଦୋଳନର ନେତୃତ୍ୱ ନେଉଥିଲେ। ଏପରିକି ବିଜେଡିକୁ ପ୍ରତ୍ୟାଖ୍ୟାନ କରିବାପାଇଁ ଆହ୍ବାନ ଦେଉଥିଲେ। ହେଲେ, ସରକାରଙ୍କ କଠୋର ବିରୋଧୀ ସାଜିଥିବା ଶ୍ରୀ ବିଶିଙ୍କୁ ବିଜେଡି କୋଳେଇ ନେଇଛି।

୨୦୦୭-୦୮ ମସିହାରେ ବଲାଙ୍ଗୀର ଜିଲ୍ଲାରେ ଗଠିତ ହୋଇଥିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ। ସଂଘର ପ୍ରତିଷ୍ଠାତା ସଦସ୍ୟ ଥିଲେ ନିରଞ୍ଜନ ବିଶି। ପ୍ରଥମେ ନକଲି ଅଦିବାସୀ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି ରଖି ବହୁବାର ଆନ୍ଦୋଳନ କରିଥିଲେ। ବଲାଙ୍ଗୀର ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ପାଖାପାଖି ୨୦ଟି ଜିଲ୍ଲାରେ ବ୍ୟାପିଥିଲା। ପରେପରେ ଗଠନ ହୋଇଥିଲା ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ। ନିଜେ ସଂଘର ମହାସଚିବ ହୋଇଥିଲେ ନିରଞ୍ଜନ। ତା’ପରେ ଜଳ, ଜଙ୍ଗଲ ଓ ଜମି ଉପରେ ଆଦିବାସୀଙ୍କ ଅଧିକାର ନେଇ ବିଭିନ୍ନ ସମୟରେ ସଶସ୍ତ୍ର ଆଦିବାସୀ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଗତ ପଞ୍ଚାୟତ ନିର୍ବାଚନରେ ରାଜ୍ୟ ସରକାର ଆଦିବାସୀଙ୍କ ସଂରକ୍ଷଣ କାଟି ଦେଇଥିବା ଅଭିଯୋଗ କରି ପୂରା ପଶ୍ଚିମ ଓଡ଼ିଶାରେ ଆଦିବାସୀଙ୍କ ଆନ୍ଦୋଳନ ହୋଇଥିଲା। ଦେଢ଼ ଦଶନ୍ଧି ଧରି ରାଜ୍ୟ ସରକାରଙ୍କ ବିରୋଧରେ ଆଦିବାସୀ ଆନ୍ଦୋଳନର ନେତୃତ୍ୱ ନେଉଥିଲେ ନିରଞ୍ଜନ। ଏପରିକି ବିଜେଡିକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଅନେକଥର ଆଦିବାସୀଙ୍କୁ ଆହ୍ୱାନ ମଧ୍ୟ ଦେଇଥିଲେ। ବିଶେଷକରି, ଗତ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ପ୍ରସଙ୍ଗରେ ବଲାଙ୍ଗୀର ଜିଲ୍ଲା ସମେତ ପୂରା ପଶ୍ଚିମ ଓଡ଼ିଶାରେ ରାଜ୍ୟ ସରକାର ବିରୋଧରେ ଆଦିବାସୀ ଗର୍ଜିଥିଲେ।

publive-image YouTube

ବଲାଙ୍ଗୀର ସମେତ ଆଖପାଖ ଜିଲ୍ଲାରେ ହୋଇଥିବା ଆନ୍ଦୋଳନର ସେ ନେତୃତ୍ୱ ନେଇଥିଲେ। ଗାଁ ଗାଁରେ ସାଇବସ୍ତିରେ ବିଜେଡିକୁ ରାଜନୈତିକ ବାସନ୍ଦ କରିବା ପାଇଁ ଆହ୍ୱାନ ଦେଇଥିଲେ। ବିଜେଡି ସରକାର ବିରୋଧରେ ମହାଆନ୍ଦୋଳନ ବା ଉଲ୍‌ଗୁଲାନ୍‌ର ଡାକରା ଦେଇଥିଲେ। ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଦିବାସୀଙ୍କ ସଶସ୍ତ୍ର ଆନ୍ଦୋଳନରେ ପ୍ରଶାସନ ଦୋହଲି ଯାଇଥିଲା। ପାଞ୍ଚ ଘଣ୍ଟା ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରି ରଖିଥିଲେ ହଜାର ସଂଖ୍ୟାରେ ଆଦିବାସୀ। ଖାଲି ସେତିକି ନୁହେଁ, ସହର ସାରା ଲାଗିଥିବା ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ପୋଷ୍ଟର ବ୍ୟାନରକୁ ଭାଙ୍ଗିରୁଜି ଦେଇଥିଲେ। ସେହି ଆନ୍ଦୋଳନର ନେତୃତ୍ୱ ନେଉଥିଲେ ବର୍ତ୍ତମାନର ରାଜ୍ୟସଭା ପ୍ରାର୍ଥୀ ନିରଞ୍ଜନ ବିଶି। ଏବେ ବିଜେଡି ପ୍ରତି ଆନୁଗତ୍ୟ ଦେଖାଇ ଗତ ଦୁଇଦିନ ତଳେ ନିରଞ୍ଜନ ବିଦ୍ୟୁତ୍‌ ବିଭାଗର ବରିଷ୍ଠ କିରାଣି ଚାକିରି ଛାଡ଼ି ବିଜେଡିରେ ସଦସ୍ୟତା ଗ୍ରହଣ କରିଥିଲେ। ଯାହାକୁ ନେଇ ଆଦିବାସୀ ସଂଘରେ ଏବେ ଭିନ୍ନ ଭିନ୍ନ ମତ ଦେଖାଦେଇଛି।

ପଲ୍ଲୀରୁ ଦିଲ୍ଲୀ
ନିରଞ୍ଜନ ବିଶି। ବେଶ୍‌ ସାଧାସିଧା କଥାବାର୍ତ୍ତା। ବିଦ୍ୟୁତ୍‌ ବିଭାଗରେ ବରିଷ୍ଠ କିରାଣି ଭାବରେ ଚାକିରି କରୁଥିଲେ। ହେଲେ ଆଦିବାସୀଙ୍କ ହକ୍‌ ପାଇଁ ସେ ଲଢ଼େଇ ଜାରି ରଖିଥିଲେ। ତେବେ ଦୁଇ ତିନିଦିନ ତଳେ ଭୁବନେଶ୍ୱର ଯାଇ ବିଜେଡିରେ ଯୋଗ ଦେଇଥିଲେ। ତା’ପରେ ହିଁ ସେ ରାଜ୍ୟସଭା ଦୌଡ଼ରେ ଥିବା ଚର୍ଚ୍ଚା ହୋଇଥିଲା। ଆଉ ଶେଷରେ ତାଙ୍କ ନାଁ ଘୋଷଣା ହୋଇଛି। ନିରଞ୍ଜନ ଏବେ ପଲ୍ଲୀରୁ ଦିଲ୍ଲୀ ଯାଏ ଯାଇ ସଂସଦରେ ଆଦିବାସୀଙ୍କ ସମସ୍ୟା ଉପସ୍ଥାପନ କରିବେ ବୋଲି କହିଛନ୍ତି। ଏହାସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କେମିତି ଆଦିବାସୀଙ୍କ ପାଖରେ ପହଞ୍ଚିବ ସେ ଦିଗରେ କାମ କରିବେ ବୋଲି କହିଛନ୍ତି।

ଖେଳିଲେ ଆଦିବାସୀ କାର୍ଡ
ରାଜ୍ୟ ସରକାର ଏଥର ରାଜ୍ୟସଭା ପ୍ରାର୍ଥୀ ଚୟନରେ ଅଚାନକ ନିରଞ୍ଜନ ବିଶିଙ୍କ ନାଁ ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ଗତ ସାଧାରଣ ନିର୍ବାଚନ ସମୟରେ ନିରଞ୍ଜନ ବିଜେଡିରୁ ଟିକଟ ଆଶାୟୀ ରହିଥିଲେ ବୋଲି ଚର୍ଚ୍ଚା ହୋଇଥିଲା। କାରଣ ସେ ସାଂସଦ ଅଚ୍ୟୁତ ସାମନ୍ତଙ୍କ ବେଶ୍‌ ପାଖଲୋକ। ଏହାରି ଭିତରେ ସେ ଆଦିବାସୀଙ୍କ ହକ୍‌ ପାଇଁ ଜୋରଦାର ଲଢ଼େଇ କରି ସରକାରଙ୍କ ନଜରକୁ ଆସିଥିଲେ। ବିଶେଷ କରି ବଲାଙ୍ଗୀର ସମେତ ନୂଆପଡ଼ା, କଳାହାଣ୍ଡି ସହ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଆଦିବାସୀ ସଂଗଠନ ସହ ସୁସଂପର୍କ ରଖି ସେ ଲୋକଙ୍କ ପାଇଁ କାମ କରୁଥିଲେ। ଏଣୁ ପଶ୍ଚିମ ଓଡ଼ିଶାରେ ସରକାର ବିରୋଧରେ ଉଠିଥିବା ସ୍ୱରକୁ ଟିକିଏ କମ୍‌ କରିବାକୁ ନିରଞ୍ଜନ ବିଶିଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଥିବା ଚର୍ଚ୍ଚା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe