ଚାଷୀ ଆନ୍ଦୋଳନରେ ସାମିଲ ହେଲେ ନିରଞ୍ଜନ: ‘ନୂଆ କୃଷି ଆଇନ ପ୍ରତ୍ୟାହାର କରାଯାଉ’

Advertisment
ଚାଷୀ ଆନ୍ଦୋଳନରେ ସାମିଲ ହେଲେ ନିରଞ୍ଜନ: ‘ନୂଆ କୃଷି ଆଇନ ପ୍ରତ୍ୟାହାର କରାଯାଉ’

କେନ୍ଦୁଝର: ଚାଷୀମାନେ ହେଉଛନ୍ତି ପ୍ରକୃତ ଅନ୍ନଦାତା। ସେମାନଙ୍କ ଯୁକ୍ତିଯୁକ୍ତ ଦାବିକୁ ମାନିନେଇ ସରକାର ତୁରନ୍ତ ତିନୋଟି କଳା କୃଷି ଆଇନକୁ ପ୍ରତ୍ୟାହାର କରିନିଅନ୍ତୁ। ଯଦି ଏହି ବିଲ୍‌ ପ୍ରତ୍ୟାହାର ନ ହୁଏ, ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି। କଂଗ୍ରେସ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଆନ୍ଦୋଳନରେ ସାମିଲ ହୋଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି।

ନୂତନ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଚାଷୀମାନେ ଚଳାଇଥିବା ଆନ୍ଦୋଳନ ୧୮ ଦିନରେ ପହଞ୍ଚିଥିଲେ ହେଁ କେନ୍ଦ୍ର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଫଳରେ ଆଜି କେନ୍ଦୁଝରରେ ମଧ୍ୟ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଶୋଭାଯାତ୍ରା, ଧାରଣା ଏବଂ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଧାରଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଉତ୍ସାହିତ କରିବା ସହିତ କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ତୀବ୍ର ବିରୋଧ କରିଥିଲେ। ସେ କହିଥିଲେ ଯେ ରାଜ୍ୟ ସରକାର ସବୁ କ୍ଷେତ୍ରରେ ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି। କେନ୍ଦୁଝରର ଖଣି ପ୍ରଭାବିତ, ଆଦିବାସୀ ବହୁଳ ଅଞ୍ଚଳର ଦୀର୍ଘମିଆଦି ବିକାଶ କରିବା ପରିବର୍ତ୍ତେ ରାଜ୍ୟ ସରକାର ଓମବାଡସିର ଗଚ୍ଛିତ ପାଣ୍ଠିକୁ ଚଞ୍ଚକତା କରି ଋଣ ଆକାରରେ ନେଇଗଲେ। ଏହା ଜିଲ୍ଲାବାସୀଙ୍କ ପାଇଁ ପ୍ରତାରଣା ଛଡ଼ା ଆଉ କିଛି ନୁହେଁ ବୋଲି ସେ ପ୍ରକାଶ କରିଥିଲେ। ଜିଲ୍ଲାର ସ୍ୱାର୍ଥ ପାଇଁ କଂଗ୍ରେସ ଦଳ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। କଂଗ୍ରେସ ଜିଲ୍ଲା ସଭାପତି ବିପ୍ଲବ ମିଶ୍ର ତାଙ୍କ ଭାଷଣରେ ମୋଦୀଙ୍କ ନେତୃତ୍ୱରେ ଚାଲିଥିବା ବିଜେପି ସରକାରଙ୍କର ଏକଛତ୍ରବାଦୀ ଶାସନ ଏବଂ କୃଷକ ମାରଣ ନୀତିର ତୀବ୍ର ସମାଲୋଚନା କରିବା ସଙ୍ଗେସଙ୍ଗେ ଦେଶ ତମାମ ଚାଲିଥିବା କୃଷକ ଆନ୍ଦୋଳନକୁ କଂଗ୍ରେସ ଦଳ ପୂର୍ଣ୍ଣ ସମର୍ଥନ ଦେବ ବୋଲି କହିଥିଲେ। ସଭାପତି ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ପୂର୍ବତନ ଜିଲ୍ଲା ସଭାପତି ମୋହନ ପରିଡା, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ପିସିସି ସଂପାଦକ ସଂଗ୍ରାମ ଦାସ, ଟାଉନ ସଭାପତି ବସନ୍ତ ଦାସ, ପୂର୍ବତନ ବିଧାୟକ ପ୍ରାର୍ଥୀ ବିନୋଦ ବିହାରୀ ନାୟକ ଓ ପ୍ରଶାନ୍ତ ଦଳେଇ, କୃଷକନେତା ପୟୋଧର ବେହେରା, ସୋସିଆଲ ମେଡିଆ ଜିଲ୍ଲା ସଂଯୋଜକ ସୁଢଳ ସେଠୀ, ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନର ଜିଲ୍ଲା ସଭାପତି ସୁଦର୍ଶନ ପାଇକରାୟ, କଂଗ୍ରେସ ନେତା ରତ୍ନାକର ଜେନାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ସ୍ଥାନୀୟ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ ଅଫିସ ସମୁଖରେ ପହଞ୍ଚି ଧାରଣ ଏବଂ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe