ଭିନ୍ନକ୍ଷମ ନିରଞ୍ଜନଙ୍କ ଦୁଃଖଦ କାହାଣୀ; ଜୟପୁରରେ ଘରଦ୍ବାର-ଜମିବାଡି, ରାୟଗଡ଼ା ବସଷ୍ଟାଣ୍ଡ ପାଲଟିଛି ସାହାରା

Advertisment
ଭିନ୍ନକ୍ଷମ ନିରଞ୍ଜନଙ୍କ ଦୁଃଖଦ କାହାଣୀ; ଜୟପୁରରେ ଘରଦ୍ବାର-ଜମିବାଡି, ରାୟଗଡ଼ା ବସଷ୍ଟାଣ୍ଡ ପାଲଟିଛି ସାହାରା

ରାୟଗଡ଼ା: ନିରଞ୍ଜନ ପଣ୍ଡା। ବୟସ ପାଖାପାଖି ୬୩ ହେବ। ଜନ୍ମରୁ ନିଜର ଦୁଇଟି ଚକ୍ଷୁ ହରାଇଛନ୍ତି ନିରଞ୍ଜନ। ସେ ପିଲାଟି ଦିନରୁ ମାଆ ଓ ବାପାଙ୍କୁ ହରାଇଛନ୍ତି। ଦୁଇ ବର୍ଷ ହେଲା ବେଳକୁ ମା’ ଆରପାରିକୁ ଚାଲିଗଲେ। ସେହିପରି ୭ ବର୍ଷ ହେଲାବେଳକୁ ବାପା ମଧ୍ୟ ହାତ ଛାଡ଼ିଦେଲେ। ତିନି ଭାଇ ଓ ଗୋଟିଏ ଭଉଣୀ। ନିରଞ୍ଜନକୁ କେହି ଆହା ବୋଲି ପଚାରିଲେ ନାହିଁ। ଅଜା ଓ ଆଈ ନିରଞ୍ଜନର ଦେଖାଶୁଣା କଲେ। ପାଠ ପଢ଼ିବାର ଇଛା ଥିଲେ ମଧ୍ୟ ସେ ପାଠ ପଢିପାରିନଥିଲେ। ଘର ଜୟପୁର। ଅଜାଆଈ ଘର ନବରଂଗପୁର। ଯେତେବେଳେ ସେ ବୟସ୍କ ହେଲେ ସେତେବେଳେ ଅଜା ଆଈ ମଧ୍ୟ ତାଂକୁ ଛାଡି ଚାଲିଗଲେ। ସେ ଏକାକୀ ହେବାରୁ ତାଂକୁ କେହି ଦେଖାଶୁଣା କରୁନଥିବାରୁ ସେ ବିହାର ଚାଲିଯାଇଥିଲେ। ସେଠାରେ ଅନୁକୂଳ ଚନ୍ଦ୍ର ଦେବ ଭକ୍ତ ହୋଇ ଆଶ୍ରମରେ ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ବ ସମୟ ସେଠାରେ ବିତାଇଲେ।

ତେବେ ଗତ କରୋନା ବେଳେ ସେ ଜୟପୁର ଚାଲିଆସିଥିଲେ। ନିଜ ଭଉଣୀ ତାଂକ ଦେଖରେଖ ପ୍ରାୟ କରନ୍ତି। କିନ୍ତୁ ସବୁବେଳେ କେହି ନିଜ ପାଖରେ ରଖିଲେ ନାହିଁ। ତେଣୁ ସେ ଜୟପୁରରୁ ରାୟଗଡ଼ା ଚାଲିଆସିଲେ। ଏଠାରେ ବସଷ୍ଟାଣ୍ଡ ପିଣ୍ଡାକୁ ନିଜର ଘର ବୋଲି ଭାବିନେଲେ। ରାତି ହେଲେ ବସଷ୍ଟାଣ୍ଡ ପିଣ୍ଡାରେ ହିଁ ସେ ଶୋଇପଡନ୍ତି।ଖରା, ବର୍ଷା, ଶୀତରେ ସେ ସେହି ବସଷ୍ଟାଣ୍ଡ ପିଣ୍ଡାରେ ହିଁ ରୁହନ୍ତି। ବଞ୍ଚିବା ପାଇଁ ଖାଦ୍ୟ ଦରକାର। ତେଣୁ ସେ ଭିକ୍ଷା ବୃତ୍ତିକୁ ଆପଣେଇଲେ। ବସଷ୍ଟାଣ୍ଡ ନିକଟରେ ରହିଥିବ ଗାନ୍ଧୀ ପାର୍କ ନିକଟରେ ସେ ସବୁ ଦିନ ସକାଳ ୬ଟାରେ ଆସି ବସନ୍ତି। ସଂଧ୍ୟା ୬ଟା ହେଲେ ପୁଣି ବସଷ୍ଟାଣ୍ଡକୁ ଫେରିଯାନ୍ତି। ତାଂକୁ ନେବା ଆଣିବାରେ ତାଂକର ଜଣେ ଚିହ୍ନା ଲୋକ ପ୍ରତିଦିନ ସହଯୋଗ କରନ୍ତି। ସେହି ବାଟରେ ଯାଉଥିବା ଲୋକେ ତାଂକ ଭଜନ ଗୀତ ଶୁଣି ସେଠାରେ ଅଟକି କିଛି ଟଂକା ଦେଇ ଦିଅନ୍ତି। ଆଉ କିଛି ଲୋକ ଚକ୍ଷୁହୀନ ବୃଦ୍ଧ ଭାବି ଖାଇବାକୁ କିଛି ଦେଇଦିଅନ୍ତି।

publive-image

ନିରଞ୍ଜନ ପିଲାଟି ଦିନରୁ ହିଁ ସେ ଦୁଃଖ ଦେଖିଆସିଛନ୍ତି। ନିଜର ବୋଲି ସବୁ ଅଛି। ଜୟପୁରରେ ଜମିବାଡି, ଘରଦ୍ବାର ରହିଛି। ସେଠାରେ ଅନ୍ୟ ସଂପର୍କୀୟମାନେ ରହୁଛନ୍ତି।ନିରଞ୍ଜନଙ୍କ ଅଜା ମୃତ୍ୟୁ ପୂର୍ବରୁ ନିରଞ୍ଜନ ପାଇଁ ଘର ଖଣ୍ଡିକ ନିର୍ମାଣ କରିଦେଇଥିଲେ। ଅଜା ଜାଣିଥିଲେ ତାଂକ ମୃତ୍ୟୁ ପରେ ତାକୁ କେହି ପଚାରିବେ ନାହିଁ। ତେଣୁ ତା ପାଇଁ ଚାରି ଏକର ଜମି ମଧ୍ୟ ରଖିଦେଇଥିବା ନିରଞ୍ଜନ କହନ୍ତି। ସବୁ ଥାଇ ଏବେ ସେ ଦାଣ୍ଡର ଭିକାରୀ। ଆଖି ଯଦି ଭଲ ଥାନ୍ତା ତେବେ ସେ କାମଧାମ କରି ନିଜର ପରିବାର ଚଳାଇଥାନ୍ତେ। ଏବେ ତାଂକର ପରିବାର ବୋଲି କେହି ନାହାନ୍ତି। ତାଂକୁ କେହି ବିବାହ କରିନଥିବାରୁ ସେ ଏବେ ଏକାକୀ। ଯେବେ ମିଳେ ସେଦିନ ଖାଆନ୍ତି। ନଚେତ ଭୋକରେ ଶୋଉଥିବା କହନ୍ତି ନିରଞ୍ଜନ। ଗୋଟିଏ ଜାଗାରେ ବସି ସବୁବେଳେ ଜଗନ୍ନାଥଙ୍କୁ ହିଁ ଡାକନ୍ତି। ଭଗବାନ କେବେ ମଧ୍ୟ କାହାକୁ ଭିନ୍ନକ୍ଷମ କରି ଜନ୍ମ ଦିଅନ୍ତୁ ନାହିଁ।ନିରଞ୍ଜନଙ୍କୁ ଭତ୍ତା ମିଳୁନଥିବା କହନ୍ତି। ଯାହା ଭିକ୍ଷାରେ ମିଳେ ସେତିକିରେ ଚଳେ ବୋଲି ସେ କୁହନ୍ତି।କେବେ ମନେ ପଡିଲେ ତାଂକ ବ଼ଡ ଭଉଣୀଙ୍କ ଘରେ ବୁଲୁ ଆସନ୍ତି ବୋଲି କୁହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe