ନବୀନଙ୍କ ପ୍ରତିକ୍ରିୟା‌ ନେଇ ନିରଞ୍ଜନଙ୍କ ଜବାବ : କଂଗ୍ରେସ ପ୍ରତି ଜନ ସମର୍ଥନ ବୃଦ୍ଧି ନେଇ ବିଜେଡି-ବିଜେପି ଆତଙ୍କିତ

ନବୀନଙ୍କ ପ୍ରତିକ୍ରିୟା‌ ନେଇ ନିରଞ୍ଜନଙ୍କ ଜବାବ : କଂଗ୍ରେସ ପ୍ରତି ଜନ ସମର୍ଥନ ବୃଦ୍ଧି ନେଇ ବିଜେଡି-ବିଜେପି ଆତଙ୍କିତ

ଭୁବନେଶ୍ବର : ତମାଣ୍ଡୋର କଂଗ୍ରେସ ସଂକଳ୍ପ ପରିବର୍ତନ ସମାବେଶରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ତାଙ୍କ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିମୋଟ୍‌ କଣ୍ଟ୍ରୋଲ୍‌ର ବଟନ୍‌ ବୋଲି କହିଥିଲେ। ଏ ନେଇ ଦିଲ୍ଲୀରେ ନବୀନ ତାଙ୍କ ପ୍ରତିକ୍ରିୟା ଦେଇ ଏହାକୁ ବକ୍‌ବାସ୍‌ କହିଛନ୍ତିି। ଏହାର ଜବାବ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଏକ ବିବୃତିରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି, ନବୀନ ସତ୍ୟକୁ ଲୁଚେଇବାକୁ ପ୍ରୟାସ କରିଛନ୍ତିି। ସମଗ୍ର ଦେଶରେ କଂଗ୍ରେସ ପ୍ରତି ଜନସାଧାରଣ ଆସ୍ଥା ପ୍ରକଟ କରିବା ଏବଂ ଏହାର ନୀତି ଆଦର୍ଶକୁ ସମର୍ଥନ ଜଣାଇବା ଘଟଣାରେ ବିଜେଡି ଓ ତା’ର ବଡ଼ଭାଇ ବିଜେପି ଆତଙ୍କିତ ହୋଇପଡ଼ିଛନ୍ତିି। ସେ ‌ଉଭୟ ଦଳର ନେତାଙ୍କୁ ଚେତାବନୀ ଦେଇ କର୍ଣ୍ଣାଟକ ପ୍ରସଙ୍ଗ ସ୍ମରଣ କରାଇ ଦେଇଛନ୍ତି। କର୍ଣ୍ଣାଟକରେ ସଂଖ୍ୟା ଗରିଷ୍ଠତା ନ ଥାଇ ବିଜେପି ସରକାର ଗଠନ କରିବାକୁ ଯେଉଁ କୌଶଳର ଆଶ୍ରୟ ନେଇଥିଲା, ତା’ର ପରିଣତି ପରବର୍ତୀ ସମୟରେ ଭୋଗିବାକୁ ହେଲା। ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ଜନସାଧାରଣ କଂଗ୍ରେସକୁ ଜଣାଇଲେ। ଏହି ୩ଟି ରାଜ୍ୟରେ କଂଗ୍ରେସ ସରକାର ଗଠନ କଲା।

ସରକାର ଗଠନ କରିବା ମାତ୍ରେ ଚାଷୀ, ଖଟିଖିଆଙ୍କୁ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତିକୁ ଅବିଳମ୍ବେ କାର୍ଯ୍ୟକାରୀ ମଧ୍ୟ କଲା। ଚାଷୀଙ୍କ ଉପରୁ ଋଣଛାଡ଼ ସହିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଗଲା। ଏହା ଦେଖି ବିଜେଡିର ଭାଳେଣି ପଡ଼ିଲା। ତରବରିଆ ଭାବେ ସରକାର କାଳିଆ ଯୋଜନା ଘୋଷଣା କଲେ। ଚାଷଜମିକୁ କିପରି ପାଣି ମାଡ଼ିବ, ଚାଷୀଙ୍କୁ କିପରି ଉତ୍ପାଦିତ ଶସ୍ୟର ଉଚିତ ମୂଲ୍ୟ ମିଳିବ ସେ ବ୍ୟବସ୍ଥା ନ କରି ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ଚାଷୀଙ୍କ ବିକାଶ ପାଇଁ ବିଜେଡି ଏକ ବିଫଳ ପ୍ରୟାସ କରୁଛି। ଆକସ୍ମିକ ପାଣ୍ଠିରୁ ଏହି ଯୋଜନା ପାଇଁ ଟଙ୍କା ଉଠାଇଥିବାରୁ ଏହା ଏବେ କାଠଗଡ଼ାରେ ବିଚାରାଧୀନ ରହିଛି।

ପିସିସି ସଭାପତି କହିଛନ୍ତି, ଭୁବନେଶ୍ବରରେ କଂଗ୍ରେସ ପକ୍ଷରୁ ଆୟୋଜିତ ସଂକଳ୍ପ ସମାବେଶକୁ ଭଣ୍ଡୁର କରିବାକୁ ଉଭୟ ବିଜେଡି ଓ ବିଜେପି ପକ୍ଷରୁ କରାଯାଇଥିବା ପ୍ରଚେଷ୍ଟା ମଧ୍ୟ ବିଫଳ ହୋଇଛି। ଏହି ସମାବେଶର ସଫଳତା ବିଜେଡି-ବିଜେପିକୁ ବିବ୍ରତ କରିଛି। ବିଜେପିର ଦୁର୍ବଳ ସ୍ଥିତି ସଜାଡ଼ିବା ପାଇଁ ଶାହା ଆସୁଛନ୍ତିି। ଏହି ସମାବେଶରେ ରାହୁଲ ଓଡ଼ିଶାରେ ଧାନ କ୍ବିଣ୍ଟାଲ୍‌ ପିଛା ୨୬୦୦ ଟଙ୍କା ଓ ସରକାର ଗଠନର ୧୦ ଦିନ ମଧ୍ୟରେ ଋଣଛାଡ଼ ଘୋଷଣା ଉଭୟଙ୍କୁ ଚିନ୍ତାରେ ପକାଇଛି। ସେଥିପାଇଁ କେନ୍ଦ୍ର ସରକାର କୃଷକଙ୍କ ପାଇଁ କିଛି ଯୋଜନା ଘୋଷଣା କରିବାକୁ ଯାଉଛନ୍ତି। କେବଳ ଘୋଷଣା ପ୍ରଚାରସର୍ବସ୍ବ ହେଉଥିବାରୁ ଏଭଳି କୌଣସି ଘୋଷଣା ଚାଷୀଙ୍କ ପାଇଁ କଟା ଘା’ରେ ଚୂନ ଦେବା ଭଳି ହେବ। ଶୋଇଥିବା ବିଜେଡି ଓ ବିଜେପି ସରକାର ନିର୍ବାଚନ ବେଳେ ରାତିଅଧିଆ ଯୋଜନା ଘୋଷଣା କରି ଆଉଥରେ ଚାଷୀଙ୍କୁ ଭୂଆଁ ବୁଲାଇବା ପାଇଁ ପ୍ରୟାସ କରୁଛନ୍ତି ବୋଲି ନିରଞ୍ଜନ କହିଛନ୍ତିି।

ରାଜ୍ୟରେ ଚାଷୀ ଆତ୍ମହତ୍ୟା, ଗରିବୀ କାରଣରୁ ବାହାରକୁ ଦାଦନ ଯିବା, ରାସନ କାର୍ଡ ବନ୍ଧକ ରଖିବା ଭଳି ଘଟଣା ଘଟୁଥିବା ବେଳେ ଭାଗଚାଷୀଙ୍କୁ ହକ୍‌ ମିଳୁନାହିଁ। ଏଭଳି କ୍ଷେତ୍ରରେ ଆଉ କେତେଦିନ ଭଣ୍ଡାଇବେ ବୋଲି ପିସିସି ମୁଖ୍ୟ ପଚାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe