ମୋଦି, ନବୀନଙ୍କ ଉପରେ ବର୍ଷିଲେ ନିରଞ୍ଜନ

ମୋଦି, ନବୀନଙ୍କ ଉପରେ ବର୍ଷିଲେ ନିରଞ୍ଜନ

ଭୁବନେଶ୍ୱର : ନବୀନ ସରକାରଙ୍କ ଚତୁର୍ଥ ପାଳିର ଚାରିବର୍ଷ ପୂର୍ତ୍ତି ଅବସରରେ ୧୮ ବର୍ଷର ଶାସନକୁ ନେଇ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କେତୋଟି ପ୍ରଶ୍ନ ପଚାରିଛନ୍ତି। ସେ ପଟେ ଓଡ଼ିଶା ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଷଣବାଜି ନ ଦେଇ ଓଡ଼ିଶା ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରନ୍ତୁ ବୋଲି ସେ କହିଛନ୍ତି। ଏଭଳି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶାସନ ନେଇ ଉଭୟ ତୁଙ୍ଗ ନେତାଙ୍କ ଉପରେ ବର୍ଷିଛନ୍ତି ଶ୍ରୀ ପଟ୍ଟନାୟକ।

ନବୀନ ସରକାରଙ୍କ ଶାସନକୁ କଟୁ ସମାଲୋଚନା କରି ଆଜି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଗତ ୧୮ ବର୍ଷରେ ରାଜ୍ୟରେ ବିକାଶ ପରିବର୍ତେ ବିନାଶ ହୋଇଛି। ଏହି ସମୟରେ ବେକାରି ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ୧୫ରୁ ୨୦ ବର୍ଷ ତଳେ ସର୍ବଭାରତୀୟ ପରୀକ୍ଷାରେ ପ୍ରାୟ ୧୦ ପ୍ରତିଶତ ଓଡ଼ିଆ ପିଲା କୃତିତ୍ୱ ଅର୍ଜନ କରୁଥିଲେ। ଆଜି ଏକ ପ୍ରତିଶତ ପିଲା ବି ଚାକିରି ପାଉନାହାନ୍ତି। ରାଜ୍ୟରେ ୩୦ଟି ହାଇସ୍କୁଲର ଜଣେ ହେଲେ ବି କେହି ପାସ୍‌ କରିନାହାନ୍ତିି। ଏଣୁ, ଶିକ୍ଷାକ୍ଷେତ୍ରରେ କି ଉନ୍ନତି ହୋଇଛି?

ରାଜ୍ୟରେ ଚାଷୀମାନଙ୍କ ଦୁର୍ଦଶା ବଳିପଡ଼ିଛି। ପ୍ରତିବର୍ଷ ନିଜ ଫସଲର ମୂଲ୍ୟ ନ ପାଇ ଋଣଗ୍ରସ୍ତ ଅନେକ ଚାଷୀ ଆତ୍ମହତ୍ୟା କରୁଛନ୍ତି। ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାର କି କି ସ୍ୱତନ୍ତ୍ର ଯୋଜନା କରିଛନ୍ତିି? ସ୍ୱାସ୍ଥ୍ୟ କ୍ଷେତ୍ର ବିପର୍ଯ୍ୟସ୍ତ ଅବସ୍ଥାରେ। ଗାଁଗଣ୍ଡାର ଲୋକଙ୍କୁ ଚିକିତ୍ସା ଯୋଗାଇଦେବା ପାଇଁ ଡାକ୍ତର ନାହାନ୍ତି। ଗ୍ରାମାଞ୍ଚଳରେ ପିଇବାପାଣିର ଅଭାବ ଦୂର କରିବାକୁ ସରକାର କି ପଦକ୍ଷେପ ନେଇଛନ୍ତିି? ଓଡ଼ିଆ ଲୋକେ ଅଳ୍ପକେ ସନ୍ତୁଷ୍ଟ ବୋଲି ମୁଖ୍ୟମନ୍ତ୍ରୀ ଚିନ୍ତା କରୁଛନ୍ତି। ସେଥିପାଇଁ ଟଙ୍କିକିଆ ଚାଉଳ ହେଉ ବା ଅନ୍ୟାନ୍ୟ ଯୋଜନା କରୁଛନ୍ତି। ସେସବୁ ଯୋଜନାରେ କ’ଣ ଦାରିଦ୍ର୍ୟ ହଟିବ?

ଆଦିବାସୀ, ଦଳିତଙ୍କ ଅବସ୍ଥାରେ ଆଖିଦୃଶିଆ ପରିବର୍ତନ ହୋଇପାରିନାହିଁ। ରାଜ୍ୟର ମହିଳା, ନାବାଳିକାମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତିି। ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଶାସକ ସମ୍ମାନ ପାଉଛନ୍ତି। କିନ୍ତୁ ଅର୍ଥନୈତିକ ସର୍ଭେରେ ଓଡ଼ିଶା ଗରିବ କାହିଁକି? ସେହିପରି ମହାନଦୀରେ ପାଣି ଶୁଖୁଛି। କିନ୍ତୁ ରାଜନୀତିରେ ବ୍ୟସ୍ତ ଥିବା ଦର୍ଶାଇ ସରକାରଙ୍କ ଭୂମିକାକୁ ସମାଲୋଚନା କରିଛନ୍ତିି ପିସିସି ମୁଖିଆ।

ସେ କହିଲେ, ଆସନ୍ତା ୨୬ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ସରକାରଙ୍କ ଚାରିବର୍ଷର ସଫଳତା ସଂପର୍କରେ ବଖାଣିବେ। ମୋଦି ଭଲ ଭାଷଣ ଦିଅନ୍ତି ସତ, କିନ୍ତୁ ଭାଷଣରେ କ’ଣ ପେଟ ପୂରିବ? ମହାନଦୀ ସମସ୍ୟାର ସମାଧାନ ପାଇଁ ଛତିଶଗଡ଼ ସରକାରଙ୍କୁ ସେ ନିର୍ଦେଶ ଦିଅନ୍ତୁ। କଲ୍‌ମା ଗେଟ୍‌ ବନ୍ଦ କରି ସେ(ମୋଦି) ଓଡ଼ିଶା ଆସିବେ। ରାଜ୍ୟର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ମୋଦିଙ୍କୁ ଆହ୍ଵାନ ଦେଇଛନ୍ତିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe