ରାଜନୀତିରେ ହିଂସାକୁ ନେଇ ନିରଞ୍ଜନଙ୍କ କ୍ଷୋଭ

ପଞ୍ଚାୟତ ନିର୍ବାଚନରେ ୪୪.୭୮% ଓବିସି ପ୍ରାର୍ଥୀ ଦେଇଛି କଂଗ୍ରେସ, ଶରୀରରେ ଶକ୍ତି ଥିବା ପର୍ଯ୍ୟନ୍ତ ରାଜନୀତିରେ ରହିବି

ରାଜନୀତିରେ ହିଂସାକୁ ନେଇ ନିରଞ୍ଜନଙ୍କ କ୍ଷୋଭ

ଭୁବନେଶ୍ବର : ରାଜନୀତିରେ ହିଂସାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପଞ୍ଚାୟତକୁ ଆସିଥିବା ଅର୍ଥ ବାବଦରେ ସୋରର ପୂର୍ବତନ ବିଧାୟକ ବର୍ତମାନର ବିଜେଡି ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ପ୍ରଶ୍ନ ପଚାରିବାରରୁ ତାଙ୍କୁ ମାଡ଼ ମରାଯିବା ସହିତ ଅପମାନିତ କରାଗଲା। ପ୍ରଶ୍ନ ପଚାରିବା କ’ଣ ଏକ ଅପରାଧ କି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହି‌ଥିଲେ, ରାଜନୀତିରେ ଦୁର୍ନୀତି ଓ ଭ୍ରଷ୍ଟଚାର ବଢ଼ିବାରେ ଲାଗିଛି। ପ୍ରଥମଥର ଲାଗି ଦେଶ ଏମିତି ଜଣେ ପ୍ରଧାନମନ୍ତ୍ରୀଙ୍କୁ ପାଇଛି ଯାହାଙ୍କର ପ୍ରତିଦିନର ମୁଖ୍ୟ କାମ ହେଲା ମିଛ କହିବା। ମିଛକୁ ସତରେ ପରିଣତ କରିବା ଲାଗି ଗଣମାଧ୍ୟମକୁ ଅସ୍ତ୍ରଭାବେ ବ୍ୟବହାର କରାଯାଉଛି। ୨୨ବର୍ଷର ବିଜେଡି ସରକାର କେବଳ ଲୋକମାନଙ୍କୁ ପ୍ରତିଶ୍ରୁତି ଓ ପ୍ରତାରଣା ଛଡ଼ା ସାଧାରଣ ଜନତାଙ୍କ ସମସ୍ୟାକୁ ଦୂର କରିବାରେ ବିଫଳ ହୋଇଛି। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଦଳ ୪୪.୭୮ ପ୍ରତିଶତ ଓବିସି ପ୍ରାର୍ଥୀ ଦେଇଛି। ଚଳିତ ପଞ୍ଚାୟତ ନିର୍ବାଚନରେ ଲୋକମାନେ ଯୋଗ୍ୟ ପ୍ରାର୍ଥୀଙ୍କୁ ବିଚାର କରି ନିର୍ବାଚିତ କରନ୍ତୁ। ରାଜ୍ୟରେ ପରିବର୍ତନ ଏକାନ୍ତ ଆବଶ୍ୟକ ବୋଲି ଲୋକମାନେ ଅନୁଭବ କଲେଣି। ଯଦି ଲୋକମାନେ ଏହାକୁ ବୁଝି ଭୋଟ ଦେବାକୁ ଆଗେଇ ଆସବେ ତାହାଲେ ଚଳିତ ନିର୍ବାଚନରେ କଂଗ୍ରେସ ନିଶ୍ଚିତଭାବେ ଭଲ ପ୍ରଦର୍ଶନ କରିବ। ମୁଖ୍ୟମନ୍ତ୍ରୀ ସ୍ବଚ୍ଛତାର ଡିଣ୍ଡିମ ପିଟୁଛନ୍ତି। ଯଦି ରାଜ୍ୟର ଶାସନ ବ୍ୟବସ୍ଥା ଏତେ ସ୍ବଚ୍ଛ ତାହାଲେ ଅଙ୍ଗନବାଡ଼ି କର୍ମଚାରୀ, କନଷ୍ଟେବଳ, କିରାଣିଙ୍କ ପାଖରୁ କୋଟି କୋଟି ଟଙ୍କାର ଆୟ ବର୍ହିଭୂତ ସଂପତ୍ତି କେଉଁଠୁ ଆସୁଛି ?

ସେ ଆହୁରମଧ୍ୟ କହିଛନ୍ତି ଯେ ରାଜନୀତିକୁ କେବେ ସନ୍ୟାସ ଗ୍ରହଣ କରିବାର ପ୍ରଶ୍ନ ଉଠୁନାହିଁ। କୌଣସି ପଦପଦବିରେ ରହିପାରେ ବା ନ ରହିପାରେ, ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିପାରେ କିମ୍ବା ନ କରିପାରେ, କିନ୍ତୁ ଶରୀରରେ ଶକ୍ତି ଥିବା ଯାଏ କାର୍ଯ୍ୟ କରିଚାଲିବି। ଏହି ଅବସରରେ ସେ ବାଗ୍‌ଚୀ ଦମ୍ପତ୍ତି ‌ବେଙ୍ଗାଲୁରୁରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସହାୟତାର ହାତ ବଢ଼ାଇବାକୁ ପ୍ରଶଂସା କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସ ଉପ-ସଭାପତି ଯଜ୍ଞେଶ୍ବର ବାବୁ, ପିସିସି ସାମାଜିକ ଗଣମାଧ୍ୟମ ସେଲ୍‌ର ଅଧ୍ୟକ୍ଷ ଅଭିଶେକ ମହାନନ୍ଦ, ମୁଖପାତ୍ର ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe