କେନ୍ଦୁଝରରେ ନିରଞ୍ଜନଙ୍କ ଗାଡ଼ିକୁ ଆକ୍ରମଣ

ପିଏସ୍‌ଓଙ୍କୁ ମାଡ଼, ଗାଡ଼ି ଉପରେ ଚଢ଼ି ଉତ୍ପାତ କଲେ

କେନ୍ଦୁଝରରେ ନିରଞ୍ଜନଙ୍କ ଗାଡ଼ିକୁ ଆକ୍ରମଣ

କେନ୍ଦୁଝର : କେନ୍ଦୁଝର ସହରର କାଶୀପୁର ନିକଟରେ ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି। କିଛି ଅସାମାଜିକ ଯୁବକ ଗାଡ଼ି ଉପରେ ଚଢ଼ି ଉତ୍ପାତ କରିଛନ୍ତି। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଶ୍ରୀ ପଟ୍ଟନାୟକଙ୍କ ପିଏସ୍‌ଓଙ୍କୁ ମାଡ଼ ମାରିଛନ୍ତି। ଏନେଇ ଶ୍ରୀ ପଟ୍ଟନାୟକଙ୍କ ପିଏସ୍‌ଓ ରାଜେଶ ସିଂହ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା‌ ଅନୁସାରେ, ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଓ ତାଙ୍କ ପିଏସ୍‌ଓ ରାଜେଶ ସିଂହ ଏକ ଗାଡ଼ି (ଡବ୍ଲ୍ୟୁବି-୦୮-ଏଚ୍‌-୦୦୦୯)ରେ ଯାଉଥିବା ବେଳେ କାଶୀପୁରଠାରେ ସଂଜୟ ମହାନ୍ତିଙ୍କ ସମେତ କିଛି ଅସାମାଜିକ ଯୁବକ ଏକ ବୋ‌ଲେରୋରେ ଆସି ଗାଡ଼ି ଅଟକାଇଥିଲେ। କାହିଁକି ଗାଡ଼ିକୁ ଓଭରଟେକ୍‌ କଲ ବୋଲି ପ୍ରଶ୍ନ କରିବା ସହ ଗାଳିଗୁଲଜ କରିଥିଲେ। ପିଏସ୍‌ଓ ଶ୍ରୀ ସିଂହ ପ୍ରତିବାଦ କରିବାରୁ ତାଙ୍କ ତଣ୍ଟି ଚିପିଦେବା ସହ ମାଡ଼ ମାରିଥିଲେ। ଏପରିକି ସମ୍ପୃକ୍ତ ଯୁବକମାନେ ଗାଡ଼ି ଉପରେ ଚଢ଼ିଯାଇ ହଙ୍ଗାମା କରିଥିଲେ। ଖବର ପାଇ କିଛି କଂଗ୍ରେସ କର୍ମୀ ଘଟଣାସ୍ଥଳରେ ପହଞ୍ଚିବାରୁ ସମ୍ପୃକ୍ତ ଯୁବକମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ।

publive-image

ତେବେ ଏହି ଘଟଣାର ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ସଭାପତି ସୁନେଶ ଧୀରଙ୍କ ନେତୃତୃରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଥିବାରୁ ପୁଲିସ୍‌ ପ୍ରଶାସନ ବିରୋଧରେ ନାରାବାଜି କରିଥିଲେ। ଏଥିସହ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। କେନ୍ଦୁଝର ଭଳି ଶାନ୍ତିପ୍ରିୟ ସହରରେ ଅସମାଜିକ ଯୁବକମାନେ ରାସ୍ତାରେ ଏଭଳି ଉତ୍ପାତ କରିବା ଉଦ୍‌ବେଗର ବିଷୟ ବୋଲି ସେ କହିଛନ୍ତି।

ଏନେଇ ଶ୍ରୀ ପଟ୍ଟନାୟକଙ୍କ ପିଏସ୍‌ଓ ଶ୍ରୀ ସିଂହ କେନ୍ଦୁଝର ଟାଉନ୍‌ ଥାନାରେ ଏତଲା ଦେଇଛନ୍ତି। ପୁଲିସ କେସ୍‌ ନମ୍ବର ୨୯/୨୧ ଦଫା ୩୪୧, ୨୯୪, ୩୨୩, ୩୦୭, ୪୨୭, ୫୦୬ ଓ ୩୪ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଟାଉନ୍‌ଥାନା ଆଇଆଇସି ପ୍ରମୋଦିନୀ ସାହୁ ପ୍ରତିକ୍ରିୟାରେ କହିଛନ୍ତି, ‘ମାମଲା ରୁଜୁ ହୋଇଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe