କରୋନାର ନୂଆ ହଟସ୍ପଟ୍‌ ‘ଏନ୍‌ଆଇଟି’: ୨ ଦିନରେ ୧୦୨ ସଂକ୍ରମିତ

କରୋନାର ନୂଆ ହଟସ୍ପଟ୍‌ ‘ଏନ୍‌ଆଇଟି’: ୨ ଦିନରେ ୧୦୨ ସଂକ୍ରମିତ

ରାଉରକେଲା: ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ରେ ଏବେ କୋଭିଡ୍‌ ସଂକ୍ରମଣ କାୟାବିସ୍ତାର କରୁଛି। କେବଳ ଗତ ଦୁଇ ଦିନ ଭିତରେ ୧୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂପ୍ରତି ‌କ୍ୟାମ୍ପସ୍‌ରେ ସ୍ବାବ୍‌ ନମୁନା ସଂଗ୍ରହ ଓ ପରୀକ୍ଷା ଜାରି ରହିଛି। ଏବେ ବି ବହୁସଂଖ୍ୟକ ପ୍ରଫେସର, କର୍ମଚାରୀ, ଛାତ୍ରଛାତ୍ରୀ ଥିବାରୁ ଆଗାମୀ ଦିନରେ ଏହି ସଂଖ୍ୟାରେ ଆହୁରି ବୃଦ୍ଧି ଘଟିବା ଆଶଙ୍କା କରାଯାଉଛି।

ପ୍ରାୟ ଦୁଇ ସପ୍ତାହ ପୂର୍ବେ ୨ ଜଣ ବି.ଟେକ୍‌ ଛାତ୍ର ଓ ୧ଜେଣ ଏମ୍‌.ଟେକ୍‌ ଛାତ୍ରୀ କୋଭିଡ୍‌ ସଂକ୍ରମିତ ହୋଇଥିଲେ। ଏହାପରେ ପଶ୍ଚିମବଙ୍ଗରୁ ଛୁଟି କାଟି ଆସିଥିବା ଜଣେ ପ୍ରଫେସର ଓ ତାଙ୍କର ପରିବାରର ୭ ଜଣ ଆକ୍ରାନ୍ତ ହୋଇଥିଲେ। ଏହାର କିଛି ଦିନ ପରେ ଆଉ ଦୁଇ ଜଣ ସଂକ୍ରମିତ ହୋଇଥିଲେ। ଅର୍ଥାତ୍‌ ଏନ୍‌ଆଇଟି କ୍ୟାମ୍ପସ୍‌ରେ ମୋଟ୍‌ ସଂକ୍ରମଣ ୧୨ରେ ପହଞ୍ଚିଥିଲା। ତେବେ ଅନୁଷ୍ଠାନର ଛାତ୍ରଛାତ୍ରୀ, ପ୍ରଫେସର ତଥା କର୍ମଚାରୀଙ୍କ ଉପସ୍ଥିତିକୁ ତର୍ଜମା କରି ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ପକ୍ଷରୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସହଯୋଗରେ କ୍ୟାମ୍ପସ୍‌ରେ ଦୁଇଦିନ ଧରି ସ୍ବତନ୍ତ୍ର ଟେଷ୍ଟିଂ କ୍ୟାମ୍ପ୍‌ ଆୟୋଜନ କରାଯାଇଥିଲା।

ଗତ ଦୁଇ ଦିନ, ଅର୍ଥାତ୍‌ ଗତ ୮ ଓ ୯ ତାରିଖରେ ପାଖାପାଖି ୫ଶହ ଜଣଙ୍କ ପରୀକ୍ଷା କରାଯାଇଥିଲା। ଏଥିରେ ୮ ତାରିଖରେ ୫୨ ଜଣ ଓ ଆଜି(୯ ତାରିଖ)ରେ ୫୦ ଜଣ, ମୋଟ୍‌ ୧୦୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅର୍ଥାତ୍‌ ଆଜି ସୁଦ୍ଧା ଅନୁଷ୍ଠାନରେ ପ୍ରାୟ ୧୧୫ରୁ ଅଧିକ କରୋନା ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି। ପ୍ରକାଶଥାଉକି, ଏବେ ବି କ୍ୟାମ୍ପସ୍‌ରେ ପାଖାପାଖି ୩ ହଜାର ଛାତ୍ରଛାତ୍ରୀ, ପ୍ରଫେସର, କର୍ମଚାରୀ ଅଛନ୍ତି। ଏଣୁ ସମସ୍ତଙ୍କର ପରୀକ୍ଷା କରାଗଲେ ସଂଖ୍ୟାରେ ଆଖିଦୃଶିଆ ବୃଦ୍ଧି ହେବା ଆଶଙ୍କା ସର୍ବାଧିକ।

ପ୍ରଥମ ଓ ଦ୍ବିତୀୟ ଲହରବେଳେ ଅନୁଷ୍ଠାନରେ କୋଭିଡ୍‌ର ଏତେମାତ୍ରାରେ ପ୍ରାଦୁର୍ଭାବ ଦେଖିବାକୁ ମିଳିନଥିଲା। ଯଦିଓ କୋଭିଡ୍‌ରେ ଜଣେ ପ୍ରଫେସରଙ୍କ ପରଲୋକ ଘଟିଥିଲା, କିନ୍ତୁ ସଂଖ୍ୟା ଦୁଇ ଅଙ୍କ ଭିତରେ ସୀମିତ ରହିଥିଲା। କିନ୍ତୁ ତୃତୀୟ ଲହରବେଳେ ଏହି ସଂଖ୍ୟା ସବୁ ସୀମା ସରହଦ ପାର୍‌ କରିଛି। କ୍ୟାମ୍ପସ୍‌ରେ ସଂକ୍ରମଣ ବ୍ୟାପିବା ପଛରେ କର୍ତ୍ତୃପକ୍ଷଙ୍କ ଘୋର୍ ଅବହେଳା ହିଁ ମୁଖ୍ୟ କାରଣ ପାଲଟିଥିବା ଅଭିଯୋଗ ହୁଏ। ବିଶେଷକରି ପଶ୍ଚିମବଙ୍ଗରୁ ଫେରିଥିବା ପ୍ରଫେସର, କର୍ମଚାରୀ ହିଁ ସଂକ୍ରମଣ ବ୍ୟାପିଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କଣ୍ଟାକ୍ଟ୍‌ ଟ୍ରେସିଂ ଦ୍ବାରା ଜାଣିବାକୁ ପାଇଛି।

ତେବେ ଛାତ୍ରଛାତ୍ରୀଙ୍କ ପାଇ କଡ଼ା ନିୟମ ଲାଗୁ ହୋଇଥିବାବେଳେ ପ୍ରଫେସର, କର୍ମଚାରୀଙ୍କ ପାଇଁ ସବୁ ମୁକୁଳା କରିଦେବା ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି। ନିକଟ ଅତିତରେ କ୍ୟାମ୍ପସ୍‌କୁ ଆସିଥିବା ବି.ଟେକ୍‌ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମରୁ କୋଭିଡ୍‌ ଟେଷ୍ଟ୍‌, ୭ ଦିନ ବାଧ୍ୟତାମୂଳକ ସଙ୍ଗରୋଧ ଓ ସଙ୍ଗରୋଧ ଅବଧି ଶେଷ ହେବାପରେ ପୁନର୍ବାର ଟେଷ୍ଟ୍‌ କରିବାର କଡ଼ା ନିୟମ ରହିଥିଲା। କିନ୍ତୁ ପ୍ରଫେସର, କର୍ମଚାରୀଙ୍କ କ୍ଷେତ୍ରରେ ଏଭଳି କୌଣସି ନିୟମ କରାଯାଇନଥିଲା। ଫଳରେ କ୍ୟାମ୍ପସ୍‌ରେ ସଂକ୍ରମଣ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe