ବିନା ଟେଣ୍ଡରରେ ଚାଲିଛି ଏନ୍ଆଇଟି ସୁରକ୍ଷା ବ୍ୟବସ୍ଥା

ବିନା ଟେଣ୍ଡରରେ ଚାଲିଛି ଏନ୍ଆଇଟି ସୁରକ୍ଷା ବ୍ୟବସ୍ଥା

ରାଉରକେଲା: ଜାତୀୟ ବୈଷୟିକ ଶିକ୍ଷା ପ୍ରତିଷ୍ଠାନ (ଏନ୍‌ଆଇଟି)ରେ କିଛି ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ଦୁର୍ନୀତି ଓ ପ୍ରିୟାପୀତିତୋଷଣ ଯୋଗୁ ଶିକ୍ଷାନୁଷ୍ଠାନ ବଦନାମ ହେଉଛି।  କେବଳ ଏତିକି ନୁହେଁ ଅନେକ ସମୟରେ ନାନା ଅବ୍ୟବସ୍ଥାକୁ ନେଇ ଏନ୍‌ଆଇଟିରେ ବିବାଦ ସୃଷ୍ଟି ହୋଇଛି। ଏବେ  ସୁରକ୍ଷା ବ୍ୟବସ୍ଥାରେ ନିଯୁକ୍ତି ଦିଆଯାଇଥିବା ଏକ ନିର୍ଦ୍ଦିଷ୍ଟ ଘରୋଇ ସିକ୍ୟୁରିଟି ସଂସ୍ଥାକୁ ଅନୁକମ୍ପା ଦିଆଯାଉଛି। ଏମିତି ଅଭିଯୋଗ ଆଣିଛି ପଶ୍ଚିମ ଓଡ଼ିଶା ଯବାନ ବିକାଶ ପରିଷଦ। ଅଧ୍ୟକ୍ଷ ଇଂ. ନିର୍ମଳ କୁମାର ଦାସ , ସୁବେଦାର ମେଜର ନିରଞ୍ଜନ ଜେନା,  ତାପସ ସାମଲ, ‌ଭେଟେରାନ୍‌ ଏସ୍‌.କେ. ବାରିକ, ସାଧାରଣ ସମ୍ପାଦକ ଚକ୍ରାନ୍ତ ଜେନା, ‌ଭେଟେରାନ ସମ୍ବିତ ଶ୍ରୀମାନୀ ଏନ୍‌ଆଇଟିରେ ଚାଲିଥିବା ଏଭଳି ବେଆଇନ କାମର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ପରିଷଦ ପକ୍ଷରୁ କୁହାଯାଇଛି, ୨୦୦୩ରେ ଏନ୍ଆଇଟି ପ୍ରଥମ କରି ଖୋଲା ଟେଣ୍ଡର ଜରିଆରେ ସିକ୍ୟୁରିଟି ସଂସ୍ଥା ନିଯୁକ୍ତି ପାଇଁ ଆହ୍ବାନ କରିଥିଲେ। ରାଉରକେଲା ସମେତ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ସିକ୍ୟୁରିଟି ସଂସ୍ଥା ଏହି ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇଥିଲେ। ସେବେଠାରୁ ୨୦୧୪-୧୫ ବର୍ଷ ପର୍ଯ୍ୟନ୍ତ ଖୋଲା ଟେଣ୍ଡର ଜରିଆରେ ଏନ୍ଆଇଟିରେ ସିକ୍ୟୁରିଟି ସଂସ୍ଥା ନିଯୁକ୍ତି  ପାଉଥିଲେ। ମାତ୍ର ୨୦୧୫ ପରଠରୁ ଆଜି ପର୍ଯ୍ୟନ୍ତ ଏନ୍ଆଇଟି କର୍ତ୍ତୃପକ୍ଷ ଖୋଲା ‌ଇ-ଟେଣ୍ଡର କରୁ ନାହାନ୍ତି। ସରକାରଙ୍କ ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ଏକ ନିର୍ଦ୍ଦିଷ୍ଟ ସିକ୍ୟୁରିଟି ସଂସ୍ଥାକ କାମ ଦିଆଯାଉଛି। ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ବନ୍ଦ କରିବାକୁ ଚାପ ପଡ଼ିବା ପରେ  ଶେଷ ଥର ପାଇଁ ୨୦୧୭ରେ ଏନ୍‌ଆଇଟି କର୍ତ୍ତୃପକ୍ଷ ଟେଣ୍ଡର ଆହ୍ବାନ କରିଥିଲେ।

ରାଜ୍ୟ ବାହାରର ଏକ ଘରୋଇ ସିକ୍ୟୁରିଟି ସଂସ୍ଥାକୁ ବର୍ଷକ ପାଇଁ କାମ ମିଳିଥିଲା। ତା’ ପରଠାରୁ ଏନ୍ଆଇଟି କର୍ତ୍ତୃପକ୍ଷ ଟେଣ୍ଡର ନ କରି ସେହି ସମାନ ସଂସ୍ଥାକୁ କାମ ଦେଇ ଚାଲିଛନ୍ତି।  ଫଳରେ କର୍ତ୍ତୃପକ୍ଷ କେନ୍ଦ୍ର ମାନବ ସମ୍ବଳ ବିଭାଗର ମାଗଦର୍ଶିକାକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରି ଚାଲିଛନ୍ତି। ଆଶ୍ଚର୍ଯ୍ୟର କଥା, ଯେତିକି ସିକ୍ୟୁରିଟି  ମୁତୟନ ପାଇଁ ଚୁକ୍ତିନାମା ହୋଇଛି, ତା’ଠରୁ ବହୁତ କମ୍ ସିକ୍ୟୁରିଟି ଗାର୍ଡକୁ ନିଯୁକ୍ତି ଦିଆଯାଇଛି। କେତେ ସିକ୍ୟୁରିଟି ଗାର୍ଡ ଡ୍ୟୁଟି କରୁଛନ୍ତି ସେମାନଙ୍କର ନାମ ଓ ପରିଚୟକୁ ଗୋପନ ରଖାଯାଉଛି। ଚୁକ୍ତିନାମା ଅନୁଯାୟୀ ପ୍ରତ୍ୟେକ ସିକ୍ୟୁରିଟି ଗାର୍ଡକୁ ଏନ୍ଆଇଟି ପକ୍ଷରୁ ପ୍ରାୟ ୨୪ ହଜାର ଟଙ୍କା ଦରମା ଦିଆଯାଉଛି। ମାତ୍ର ସମ୍ପୃ୍କ୍ତ ଘରୋଇ  ସିକ୍ୟୁରିଟି ସଂସ୍ଥା ୧୪ରୁ ୧୮ ହଜାର ଟଙ୍କା ଦେଉଛନ୍ତି। ଅବଶିଷ୍ଟ ଟଙ୍କାକୁ  ଏନ୍‌ଆଇଟିର ବିଭାଗୀୟ ଅଧିକାରୀ ଓ ସମ୍ପୃକ୍ତ ଘରୋଇ ସଂସ୍ଥା ମିଳିମିଶି ହରିଲୁଟ୍‌ କରୁଥିବା ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି। ଜାତୀୟସ୍ତରୀୟ ଶିକ୍ଷା ଅନୁଷ୍ଠାନରେ ଚାଲିଥିବା ଏଭଳି ଅନିୟମିତତାର ତଦନ୍ତ କରିବାକୁ ପରିଷଦ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe