ବଳ ଗୋଟାଉଛି ନିଭାର: ଘନୀଭୂତ ହେଉଛି, ଆଜି ଭୀଷଣ ବାତ୍ୟା ରୂପ ନେବ

Advertisment
ବଳ ଗୋଟାଉଛି ନିଭାର: ଘନୀଭୂତ ହେଉଛି, ଆଜି ଭୀଷଣ ବାତ୍ୟା ରୂପ ନେବ

News18

ଭୁବନେଶ୍ବର: ବଙ୍ଗୋପସାଗରରେ ରହିଥିବା ଅବପାତ ଆଜି ରାତି ସୁଦ୍ଧା ଅଧିକ ଘନୀଭୂତ ହୋଇ ବାତ୍ୟା ‘ନିଭାର’ରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଏହା ସମୁଦ୍ର ମଧ୍ୟ‌ରେ ଅଧିକରୁ ଅଧିକ ବଳ ଗୋଟାଇ ଭୀଷଣ ବାତ୍ୟାର ରୂପ ନେବ। ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଏହା ତାମିଲନାଡ଼ୁ ଓ ପୁଡୁଚେରି ନିକଟରେ ଉପକୂଳ ଛୁଇଁବ ବୋଲି ଆଜି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ଏଥିଯୋଗୁଁ ଓଡ଼ିଶାକୁ ବିପଦ ନଥିଲେ ହେଁ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। କିନ୍ତୁ ପବନର ପ୍ରଭାବ ଓଡ଼ିଶାରେ ରହିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୨୫ ଓ ୨୬ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମଧରଣର ବର୍ଷା ହେବ।

ଅପରପକ୍ଷେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ନିଭାର ପରେ ପରେ ଆଉ ଦୁଇଟି ଲଘୁଚାପ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ। ନିଭାର ସମେତ ଏହି ଦୁଇଟି ଲଘୁଚାପର ବିସ୍ତୃତ ପ୍ରଭାବ ତାମିଲନାଡ଼ୁ ଉପରେ ରହିବ। ଦକ୍ଷିଣ ଭାରତରେ ନିଭାର ବାତ୍ୟାର ପ୍ରଭାବ ନ ସରୁଣୁ ୨୮ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ୩୦ ତାରିଖରେ ଲଘୁଚାପ ଓ ସମ୍ଭବତଃ ଅଧିକ ଘନୀଭୂତ ହୋଇ ଅବପାତ ରୂପରେ ଡିସେମ୍ବର ୨ ତାରିଖ ଆଡ଼କୁ ତାମିଲନାଡୁ ଉପକୂଳ ଛୁଇଁପାରେ। ଠିକ୍‌ ସେହି ସମୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇ ପ୍ରାୟତଃ ସମାନ ଗତିପଥ ଦେଇ ଡିସେମ୍ବର ୬ ତାରିଖ ବେଳକୁ ତାମିଲନାଡୁ ଛୁଇଁପାରେ। ବିଭିନ୍ନ ମଡେଲରୁ ଜଣାପଡ଼ୁଛି, ଡିସେମ୍ବର ୬ରେ ଏକା ସମୟରେ ଫିଲିପାଇନ୍ସ ସାଗର, ଦକ୍ଷିଣ ଚୀନ୍‌ ସାଗର, ଥାଇଲାଣ୍ଡ ଉପସାଗର ଓ ବଙ୍ଗୋପସାଗରରେ ୪ଟି ଘୂର୍ଣ୍ଣିବଳୟ ବିଭିନ୍ନ ଘନୀଭୂତ ଅବସ୍ଥା‌‌‌‌‌‌‌‌ରେ ଥିବ। ଏଣୁ ଡିସେମ୍ବର ୧୦ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହେବା ଆଶଙ୍କାକୁ ଏଡ଼ାଯାଇ ନପାରେ ବୋଲି ଶ୍ରୀ ପଶୁପାଳକ କହିଛନ୍ତି।

ଗତ ୨୪ ଘଣ୍ଟାରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ଅଧିକାଂଶ ସ୍ଥାନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ୧୧ ସହରର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଛି। ସୋନପୁରଠାରେ ସର୍ବନିମ୍ନ ତାପମାତ୍ରା ୧୧.୪ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe