ଧରାପଡ଼ିଲା ଏମ୍‌ସିଏଲ୍‌ର ମିଛ : ଏ ବର୍ଷ ବି ହେବନି ତାଳଚେର ମେଡିକାଲ କଲେଜରେ ନାମଲେଖା

Advertisment

ଠିକାସଂସ୍ଥା ଏପର୍ଯ୍ୟନ୍ତ ବି ହସ୍ତାନ୍ତର କରିନି କୋଠା, ପ୍ରକଳ୍ପ ଅନୁମୋଦନକୁ ବିତିଲା ୧୨ ବର୍ଷ

ଠିକାସଂସ୍ଥା ଏପର୍ଯ୍ୟନ୍ତ ବି ହସ୍ତାନ୍ତର କରିନି କୋଠା, ପ୍ରକଳ୍ପ ଅନୁମୋଦନକୁ ବିତିଲା ୧୨ ବର୍ଷ

ତାଳଚେର ମେଡିକାଲ କଲେଜ ପ୍ରସଂଗରେ ସଭିଏଁ ଚୁପ୍!

Telegraph India

ଅନୁଗୁଳ/ତାଳଚେର : ଏମ୍‌ସିଏଲ୍‌ର ତାଳଚେର ମେଡିକାଲ କଲେଜ ସ୍ଥାପନ ପାଇଁ ପ୍ରକଳ୍ପ ଅନୁମୋଦନକୁ ବିତିଗଲାଣି ୧୨ ବର୍ଷ। ତଥାପି କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। କେବେ ହେବ ତାହା ବି ସ୍ପଷ୍ଟ ହୋଇପାରିନାହିଁ। ଗତ ବର୍ଷ ଏମ୍‌ସିଏଲ୍ ସିଏମ୍‌ଡି ପ୍ରେସ୍ ବିଜ୍ଞପ୍ତି ଜାରିକରି ୨୦୨୦-୨୧ ଶିକ୍ଷାବର୍ଷରୁ ଏହି ମେଡିକାଲ କଲେଜରେ ନାମଲେଖା ଆରମ୍ଭ ହେବ ବୋଲି କହିଥିବା ବେଳେ ଏ ପର୍ଯ୍ୟନ୍ତ ନବନିର୍ମିତ କୋଠା ନେହରୁ ଶତାବ୍ଦୀ କେନ୍ଦ୍ରୀୟ ହସ୍ପିଟାଲକୁ ହସ୍ତାନ୍ତର ବି ହୋଇନଥିବା ଜଣାପଡ଼ିଛି। ଏହାକୁ ନେଇ ତାଳଚେରବାସୀଙ୍କ ମଧ୍ୟରେ ଅସନ୍ତୋଷ ଘନୀଭୂତ ହେବାରେ ଲାଗିଛି।

କଳାହୀରାର ସହର ତାଳଚେର ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ନିର୍ଗତ ଧୂଳିଧୂଆଁ ଓ ପାଉଁଶ ଯୋଗୁଁ ଦେଶର ଅନ୍ୟତମ ସର୍ବାଧିକ ପ୍ରଦୂଷିତ ସହରରେ ପରିଣତ ହୋଇସାରିଛି। ଏସବୁକୁ ଦୃଷ୍ଟିରେ ରଖି ତାଳଚେରରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଜୋର ଧରିଥିଲା। ପରିଶେଷରେ ୨୦୦୮ ମସିହାରେ ଏମସିଏଲ୍ ସହାୟତାରେ ତାଳଚେରରେ ଏକ ମେଡିକାଲ କଲେଜ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅନୁମୋଦନ ଦେଇଥିଲେ। ତତ୍କାଳୀନ ଏମସିଏଲ୍ ସିଏମ୍‌ଡି ଶ୍ରୀରାମ ଉପାଧ୍ୟାୟଙ୍କ ପ୍ରଚେଷ୍ଟାରେ ଏକ ଟ୍ରଷ୍ଟ ଗଠନ କରାଯାଇ ପ୍ରସ୍ତାବିତ ମେଡିକାଲ୍‌ କଲେଜର ନିର୍ଦ୍ଦେଶକ ଭାବେ ଡାକ୍ତର ଏସ.କେ ମହାନ୍ତିଙ୍କୁ ସେତେବେଳେ ନିଯୁକ୍ତି ବି ଦିଆଯାଇଥିଲା। ମେଡିକାଲ କଲେଜ କୋଠା ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ଏମସିଏଲ୍ ୪ ଶହ କୋଟି ଟଙ୍କାର ସ୍ବତନ୍ତ୍ର ପାଣ୍ଠି ଦେଇଥିଲା। କୋଲକାତାସ୍ଥିତ କୋଲ୍ ଇଣ୍ତିଆ ଲିମିଟେଡ୍‌ର କାର୍ଯ୍ୟାଳୟରେ ଟ୍ରଷ୍ଟର ପ୍ରଥମ ବୈଠକ ଅନୁଷ୍ଠିତ ହୋଇ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ସବୁଜ ସଙ୍କେତ ଦିଆଯାଇଥିଲା। ପରେ ପ୍ରକଳ୍ପ ମୂଲ୍ୟ ୪୯୨କୋଟି ଟଙ୍କାରେ ପହ˚ଚିଥିଲା। ତାଳଚେରସ୍ଥିତ ନେହରୁ ଶତାବ୍ଦୀ ମେଡିକାଲକୁ ୧୫୦ରୁ ୫୦୦ ଶଯ୍ୟା ବିଶିଷ୍ଟ ସୁପରସୋନିକ୍ ଡାକ୍ତରଖାନାରେ ପରିଣତ କରି ମେଡିକାଲ କଲେଜ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ନେହରୁ ଶତାବ୍ଦୀ ମେଡିକାଲକୁ ସୁପରସୋନିକ୍ ଡାକ୍ତରଖାନାରେ ପରିଣତ କରି ୨୦୧୧ ଶିକ୍ଷାବର୍ଷଠାରୁ ମେଡିକାଲ କଲେଜରେ ନାମଲେଖା ପାଇଁ ସେତେବେଳେ ଆଶା ବ୍ୟକ୍ତ କରାଯାଇଥିଲା। ମାତ୍ର ଏମ୍‌ସିଏଲ୍‌ କତ୍ତୃର୍ପକ୍ଷଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା।

ତେବେ ନୂତନ ଭାବେ ଏହାର ନାମକରଣ ମହାନଦୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନସ୍ ଏବ˚ ରିସର୍ଚ୍ଚ ସେଣ୍ଟର (ମିମ୍‌ସାର) କରାଯାଇଛି। ଗତ ୩ ସେପ୍ଟେମ୍ବର ୨୦୧୫ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତତ୍କାଳୀନ କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୂଷ ଗୋୟଲ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ତତ୍କାଳୀନ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା। ରାଜ୍ୟ ସରକାର ଯୋଗାଇ ଦେଇଥିବା କୋଡିଏ ଏକର ଜମି ସହିତ ମୋଟ ୬୦ ଏକର ଜମି ଉପରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଶିଳାନ୍ୟାସ ସମୟରେ ପୁରୁଣା ଭିତ୍ତିଭୂମି ଉପଯୋଗ କରି ୨୦୧୬-୧୭ ଶିକ୍ଷାବର୍ଷଠାରୁ ମେଡିକାଲ କଲେଜରେ ନାମଲେଖା ହେବ ବୋଲି ଘୋଷଣା କରାଯାଇଥିଲା। ଏଥି ସହିତ ୨୦୧୮ ମସିହା ସୁଦ୍ଧା ମେଡିକାଲ କଲେଜ ‌କୋଠାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କୁହାଯାଇଥିଲା। ମାତ୍ର ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ଭଳି ମେଡିକାଲ କଲେଜ କାର୍ଯ୍ୟକ୍ଷମରେ ବିଳମ୍ବ ଯୋଗୁଁ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷକୁ ଦେଖି ଗତ ୨ ଅକ୍ଟୋବର ୨୦୧୯ ଗାନ୍ଧୀ ଜୟନ୍ତୀ ଦିନ ଏମ୍‌ସିଏଲ୍‌ ସିଏମ୍‌ଡି ବି.ଏନ୍.ଶୁକ୍ଲା ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିବାକୁ ବାଧ୍ୟ ହୋଇଥିଲେ। ୨୦୨୦-୨୧ ଶିକ୍ଷାବର୍ଷରୁ ଏହି ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବ। ପ୍ରଥମ ବ୍ୟାଚ୍‌ରେ ଶହେ ଜଣ ଛାତ୍ରଛାତ୍ରୀଙ୍କ ନାମଲେଖା ଯିବ। ମେଡିକାଲ କଲେଜ ପରିଚାଳନା ପାଇଁ ଏକ ଖ୍ୟାତିସଂପନ୍ନ କଂପାନିକୁ ଦାୟିତ୍ବ ଦିଆଯିବ। ଏଥିପାଇଁ ଶୀଘ୍ର ଇଓଆଇ(ଏକ୍ସପ୍ରେସନ୍ ଅଫ୍ ଇନ୍‌ଟ୍ରେଷ୍ଟ) ଆହ୍ୱାନ କରାଯିବ ବୋଲି କହିଥିଲେ। ତେବେ, ମେଡିକାଲ କଲେଜ କୋଠା ନିର୍ମାଣ କରୁଥିବା ଠିକାସଂସ୍ଥା ଏପର୍ଯ୍ୟନ୍ତ କୋଠା ହସ୍ତାନ୍ତର କରିନଥିବା ଜଣାପଡ଼ିଛି।

ମେଡିକାଲ କଲେଜରେ ନାମଲେଖା ନେଇ ଏମସିଏଲ୍ ନେହରୁ ଶତାବ୍ଦୀ କେନ୍ଦ୍ରୀୟ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମନୋଜ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଲେ, ପ୍ରଥମେ ସମଗ୍ର ପ୍ରକଳ୍ପ କୋଠା ମେଡିକାଲ କର୍ତ୍ତୃପକ୍ଷ (ଏମସିଏଲ୍ ନେହରୁ ଶତାବ୍ଦୀ କେନ୍ଦ୍ରୀୟ ଚିକିତ୍ସାଳୟ)ଙ୍କୁ ହସ୍ତାନ୍ତର କରାଯିବ। ଏହାପରେ ମେଡିକାଲ କର୍ତ୍ତୃପକ୍ଷ ଏନ୍‌ଏମ୍‌ଏ (ନେସନାଲ ମେଡିକାଲ ଆସୋସିଏସନ)ଙ୍କଠାରୁ ମେଡିକାଲ କଲେଜ କାର୍ଯ୍ୟକ୍ଷମ ନେଇ ଏକ ଅନୁମତିପତ୍ର ପାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିବେ। ଅନୁମତିପତ୍ର ହାସଲ ପରେ ଯାଇ ମେଡିକାଲ କଲେଜରେ ନାମଲେଖା ସମ୍ଭବ ବୋଲି ମୁଖ୍ୟ ଚିକିତ୍ସାଧିକାରୀ ପ୍ରକାଶ କରିଛନ୍ତି। ଯଦି, ଏବେଠାରୁ ଉଦ୍ୟମ ଆରମ୍ଭ କରାଯାଏ ତେବେ ଆସନ୍ତା ଶିକ୍ଷାବର୍ଷ(୨୦୨୧-୨୨)ଠାରୁ ନାମଲେଖା ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି। ଏପଟେ, ନାମଲେଖାରେ ବିଳମ୍ବ ନେଇ ତାଳଚେରବାସୀଙ୍କ ମଧୢରେ ଅସନ୍ତୋଷ ମଧୢ ବଢ଼ିବାରେ ଲାଗିଛି। କିଛି ସ˚ଗଠନ ମଧୢ ଏଥିନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇ ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe