ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଗେଣ୍ତୁଳିସାହି ଗ୍ରାମବାସୀଙ୍କୁ ମିଳୁନି ସରକାରଙ୍କ ମୌଳିକ ସୁବିଧା ସୁଯୋଗ : ରାସ୍ତା, ପାନୀୟ, ବିଦ୍ୟୁତ, ଆବାସ ଅପହଞ୍ଚ, ରାସନ ପାଇଁ ଯିବାକୁ ପଡ଼ୁଛି ୫ କିମି

Advertisment
ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଗେଣ୍ତୁଳିସାହି ଗ୍ରାମବାସୀଙ୍କୁ ମିଳୁନି ସରକାରଙ୍କ ମୌଳିକ ସୁବିଧା ସୁଯୋଗ : ରାସ୍ତା, ପାନୀୟ, ବିଦ୍ୟୁତ, ଆବାସ ଅପହଞ୍ଚ, ରାସନ ପାଇଁ ଯିବାକୁ ପଡ଼ୁଛି ୫ କିମି

ଦଶପଲ୍ଲା : ମିଳୁନି ସରକାରଙ୍କ ମୌଳିକ ସୁବିଧା ସୁଯୋଗ। ଗାଁକୁ ନିର୍ମାଣ ହୋଇ ପାରୁନି ପାଦଚଲା ରାସ୍ତାଟିଏ। ମିଳୁନି ପାନୀୟ ଜଳ କି ଗାଁକୁ ସଂଯୋଗ ହୋଇ ପାରୁନି ବିଦ୍ୟୁତ୍। ସ୍ୱାଧୀନତାର ଦୀର୍ଘ ୭୨ ବର୍ଷ ପରେ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହି ଅଭିଶପ୍ତ ଜୀବନ ବିତାଉଛନ୍ତି ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ କୁଲୁରୁକୁମ୍ପା ପଞ୍ଚାୟତର ଗେଣ୍ତୁଳିସାହି ଗ୍ରାମବାସୀ। ଏହି ଗ୍ରାମରେ ୬ଟି ପରିବାରର ପ୍ରାୟ ୩୦ ଜଣ ବ୍ୟକ୍ତି ବସବାସ କରନ୍ତି। ମୁଖ୍ୟ ସଡ଼କଠାରୁ ଏହି ଗାଁକୁ ଆଜି ପର୍ଯ୍ୟନ୍ତ ପାଦଚଲା ରାସ୍ତାଟିଏ ନିର୍ମାଣ ହୋଇପାରୁନାହିଁ। ଫଳରେ ବିଲ ହୁଡ଼ା ମଧ୍ୟଦେଇ ଲୋକମାନେ ଯାତାୟାତ କରିଥାନ୍ତି। ସେହିପରି ଗାଁରେ ନଳକୂପଟିଏ ନଥିବା ବେଳେ ପ୍ରାୟ ୧ କିମି ଗଲେ ନିକଟସ୍ଥ ଗାଁରୁ ପାଣି ଆଣିବାକୁ ପଡ଼ିଥାଏ।

ସେହିପରି ଗ୍ରାମବାସୀଙ୍କ ପାଇଁ ବିଜୁଳି ଆଲୋକ ସାତସପନ ପାଲଟିଛି। ଆଜି ବି ଡିବିରି ଆଲୋକ ଏମାନଙ୍କ ପାଇଁ ସାହାରା ସାଜିଛି। କିନ୍ତୁ ବଡ଼କଥା ହେଉଛି ଗ୍ରାମରେ ଚିତ୍ରସେନ ମାଝି, ବିଶିକେଶନ ମାଝି, ସୁଦର୍ଶନ ମାଝି, ନରହରି ପ୍ରଧାନ, ଲବ ପ୍ରଧାନ ଏବଂ ଗୋବର୍ଦ୍ଧନ କହଁର ପ୍ରମୁଖ ବସବାସ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ଏମାନଙ୍କୁ ବିଭିନ୍ନ ଆବାସ ଯୋଜନାରେ ଘରଖଣ୍ଡେ ମିଳି ପାରୁନଥିବା ପ୍ରକାଶ କରିଛନ୍ତି। ନିଜ ନାମରେ ଘରଡିହ ପଟାଥିବା ବେଳେ ଆଜି ପର୍ଯ୍ୟନ୍ତ କାହିଁକି ସେମାନଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ ନାହିଁ ତାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ସେହିପରି ରାସନ ସାମଗ୍ରୀ ପାଇଁ ହେଉ କି ଭତ୍ତା, ପାଦଚଲା ରାସ୍ତାରେ ପ୍ରାୟ ୫ କିମି ଗଲେ ପଞ୍ଚାୟତ କାର୍ଯ୍ୟାଳୟ ପହଞ୍ଚେ। ବିଭିନ୍ନ ସରକାରୀ ସୁବିଧା ସୁଯୋଗରୁ ଗ୍ରାମବାସୀ ବଞ୍ଚିତ ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe