ଖାଦ୍ୟ ସୁରକ୍ଷା ଯୋଜନାରେ ଆଧାର ସଂଯୋଗ ହୋଇନଥିବା ପ୍ରସଙ୍ଗ; ଜଣେ ବି ହିତାଧିକାରୀ ବଞ୍ଚିତ ହେବା ଉଚିତ୍‌ ନୁହେଁ: ହାଇକୋର୍ଟ

Advertisment
ନିର୍ବାଚନରେ ଅମାନତ ରାଶି ବ୍ୟବସ୍ଥା ମାମଲା : ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

new indian express

କଟକ: ଆଧାର ସଂଯୋଗ ହୋଇ ନଥିବା କାରଣରୁ କୌଣସି ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ଖାଦ୍ୟ ସୁରକ୍ଷା ଯୋଜନା ସୁବିଧାରୁ ବଞ୍ଚିତ ନ ହେବେ ତାହା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ସାନି ନିର୍ଦ୍ଦେଶନାମା ଜାରି କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଫୁଲ୍ଲ ସାମନ୍ତରାଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ସରକାର ହାଇକୋର୍ଟରେ କହିଥିଲେ ଯେ ଜଣେ ବି ଯୋଗ୍ୟ ହିତାଧିକାରୀଙ୍କୁ ଆଧାର ସଂଯୋଗ ହୋଇ ନଥିବା କାରଣରୁ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ସୁବିଧାରୁ ବଞ୍ଚିତ କରାଯାଇ ନାହିଁ। କିନ୍ତୁ ଆଜି ହାଇକୋର୍ଟରେ ଭିନ୍ନ ସ୍ଥିତି ଦେଖିବାକୁ ମିଳିଥିଲା। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ଅଞ୍ଚଳରେ ଦୁଇ ହଜାରରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ସୁବିଧାରୁ ବଞ୍ଚିତ କରାଯାଇଥିବା ନେଇ ଏପ୍ରିଲ ୬ରେ ଗଣମାଧ୍ୟମରେ ପ୍ରକାଶିତ ଖବର ସଂକ୍ରାନ୍ତରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବ୍ୟାଙ୍କ ଖାତା ସହିତ ଆଧାର ସଂଯୋଗ ହୋଇ ନଥିବା କାରଣରୁ ୨ ହଜାରରୁ ଅଧିକ ହିତାଧିକାରୀଙ୍କୁ ରସୁଲପୁର ବ୍ଲକରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଦ୍ୟଶସ୍ୟ ଦେବାକୁ ମନା କରାଯାଇଥିଲା। ସରକାର ଆଧାର ସଂଯୋଗ ବାଧ୍ୟତାମୂଳକ କରିଥିବା ବେଳେ ଏହି ସବୁ ହିତାଧିକାରୀଙ୍କ ଆଧାର ସଂଯୋଗ ହୋଇ ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ତୁରନ୍ତ ଏହି ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ସମସ୍ତ ସୁବିଧା ପ୍ରଦାନ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିବା ସହିତ ଏକ ଟିମ୍ ରସୁଲପୁର ବ୍ଲକକୁ ପଠାଇବାକୁ ଖାଦ୍ୟ ଯୋଗାଣ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିନା କୌଣସି ବିଳମ୍ବରେ ଯେପରି ଏହି ହିତାଧିକାରୀମାନେ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ସମସ୍ତ ସୁବିଧା ପାଇ ପାରିବେ ସେଥି ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଏକ ସପ୍ତାହ ଭିତରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ସଂପର୍କିତ ରିପୋର୍ଟ ସତ୍ୟପାଠ ମାଧ୍ୟମରେ ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୫କୁ ଧାର୍ଯ୍ୟ କରାଯାଇଛି। ମାର୍ଚ ୨୮ରେ ମାମଲା ଶୁଣାଣି ସମୟରେ ରାଜ୍ୟ ସରକାର ଦର୍ଶାଇଥିଲେ ଯେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା କୌଣସି ଜଣେ ବି ଯୋଗ୍ୟ ହିତାଧିକାରୀ ଆଧାର ସଂଯୋଗ କାରଣରୁ ଏହି ଯୋଜନା ଅନ୍ତର୍ଗତ ସୁବିଧା ପାଇବାରୁ ବଞ୍ଚିତ ହେଉ ନାହାନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଈଶ୍ବର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe